ଆଇସିସିକୁ ‘ବିସିସିଆଇ’ର ପତ୍ର: ଆତଙ୍କବାଦୀ ଦେଶ ସହିତ ଶେଷ ହେଉ ସଂପର୍କ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ବିଶ୍ୱକପ୍‌ରେ ପାକିସ୍ତାନ ସହିତ ନ ଖେଳିବାକୁ ନେଇ ନିଷ୍ପତ୍ତି ସରକାରଙ୍କ ଉପରେ ଛାଡ଼ି ଦେଇଛି। ମାତ୍ର ବୋର୍ଡ ଏବାବଦରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଏକ ଚିଠି ଲେଖି ନିଜର ଚିନ୍ତା ବିଷୟରେ ଅବଗତ କରିଛି।

ବୋର୍ଡ ଚିଠିରେ ଅର୍ନ୍ତଜାତୀୟ କ୍ରିକେଟ ଜଗତକୁ ଆତଙ୍କବାଦୀ ପ୍ରୋତ୍ସାହନ ଦେଉଥିବା ଦେଶ ସହିତ ସଂପର୍କ ଶେଷ କରିବାକୁ ଦାବି କରିଛି। ନିଜର ଚିଠିରେ ବିସିସିଆଇ ଦିନିକିଆ ବିଶ୍ୱକପ ସହିତ ଆଇସିସିର ଭବିଷ୍ୟତରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ଖେଳାଳି, ମ୍ୟାଚ ଅଧିକାରୀ, ପ୍ରଶଂସକଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛି।

ବିନୋଦ ରାୟ ସିଓଏ ସଦସ୍ୟ ଏବଂ ବିସିସିଆଇର ମୁଖ୍ୟ ନିର୍ବାହୀ ଅଧିକାରୀ ରାହୁଲ ଜୋହିରଙ୍କ ସହିତ ବୈଠକ ପରେ ସୂଚନା ଦେଇଛନ୍ତି, ଆଇସିସିକୁ ଚିଠି ଲେଖି ଆମେ ଆତଙ୍କବାଦୀ ଆକ୍ରମଣକୁ ନେଇ ନିଜର ଭାବନା ଅବଗତ କରିଛୁ। ଜାତୀୟ ଗଣମାଧ୍ୟମକୁ ସେ କହିଛନ୍ତି, ଖେଳାଳି ଏବଂ ମ୍ୟାଚ ଅଧିକାରୀଙ୍କ ସୁରକ୍ଷାକୁ ଉଚିତ ଭାବରେ ଦୃଷ୍ଟି ଦିଅଯିବା ଦରକାର।

ଏହା ପୂର୍ବରୁ ଶୁକ୍ରବାର ବୈଠକ ପରେ ସିଓଏ ଅଧ୍ୟକ୍ଷ ବିନୋଦ ରାୟ କହିଥିଲେ, ଏବାବଦରେ ସରକାରଙ୍କ ସହିତ ଆଲୋଚନା କରାଯିବା ପରେ ନିଷ୍ପତ୍ତି ନିଆଯିବ। ଏବେ ବିଶ୍ୱକପ ୩ ମାସ ବାକି ଅଛି। ରାୟ କହିଛନ୍ତି ଆଇସିସିକୁ ଆମେ ପାକିସ୍ତାନ ସହିତ ଜଡ଼ିତ ନିଜର ଭାବନା ବିଷୟରେ ଅବଗତ କରାଇଛୁ।

ସମ୍ବନ୍ଧିତ ଖବର