ଅନ୍ତଃମହାବିଦ୍ୟାଳୟ କ୍ରିକେଟ୍‌: ଜୟଦେବ ଉପବିଜେତା

କଟକ: ଅଡ଼ଶପୁରସ୍ଥିତ ଉଦୟନାଥ ସ୍ୱୟଂଶାସିତ (ୟୁଏନ୍‌) ମହାବିଦ୍ୟାଳୟ ଲଗାତର ଦ୍ୱିତୀୟ ଥର ପାଇଁ ଅନ୍ତଃମହାବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଏସ୍‌ସିବି ମେଡିକାଲ୍‌ ପଡ଼ିଆରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଗୁରୁବାର ଫାଇନାଲ୍‌ ମ୍ୟାଚରେ ୟୁଏନ୍‌ କଲେଜ ପୁଣି ଥରେ ଗତବର୍ଷର ଉପବିଜେତା ଜୟଦେବ ମହାବିଦ୍ୟାଳୟକୁ ୬ ଓ୍ଵିକେଟ୍‌ରେ ହରାଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଜୟଦେବ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ନିମ୍ନକ୍ରମରେ କାର୍ତ୍ତିକ ବିଶ୍ୱାଳ (୧୦୮)ଙ୍କ ଚମତ୍କାର ଶତକ ସହାୟତାରେ ଜୟଦେବ ଦଳ ନିର୍ଧାରିତ ଓଭର ସୁଦ୍ଧା ୮ ଓ୍ଵିକେଟ୍‌ ବିନିୟମରେ ୧୬୭ ରନ୍‌ କରିଥିଲା। ନିଲୁ ପ୍ରଧାନ ଓ ପ୍ରତୀକ ଅନୁରାଗ ଦାସ ୩ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ତେବେ ୧୬୮ ରନ୍‌ର ଲକ୍ଷ୍ୟକୁ ୟୁଏନ୍‌ ୭ ବଲ୍‌ ପୂର୍ବରୁ ହାସଲ କରିନେଇଥିଲା। ଆଶିଷ ସାହୁ ୫୦, ପ୍ରତୀକ ଅନୁରାଗ ଦାସ ୩୧, ସୌଭାଗ୍ୟ ମିଶ୍ର ୩୦, ରଂଜିତ ପାଇକରାୟ ୪୦ ରନ୍‌ କରି ଦଳକୁ ଜିତାଇଥିଲେ। ଏହି ମ୍ୟାଚ୍‌କୁ ସୁମେନ୍ଦ୍ର ପାତ୍ର, ତପନ କୁମାର ବେହେରା, ଅମୀୟ କୁମାର ଦାସ ପରିଚାଳନା କରିଥିଲେ।

ପୁରସ୍କାର ପ୍ରଦାନ ସମାରୋହରେ ଏସ୍‌ସିବି ମେଡିକାଲ୍‌ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ସିବି ମେଡିକାଲ୍‌ କଲେଜ କ୍ରୀଡ଼ା ସଂସଦ ଉପ ସଭାପତି ପ୍ରଫେସର ଡାକ୍ତର ବିଦ୍ୟୁତ ଦାସ, କିଟ୍‌ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅଧିକାରୀ ଅମ୍ବିକା ପ୍ରସାଦ ରାଏ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତିଯୋଗିତାକୁ ଏସ୍‌ସିବି ମେଡିକାଲ୍‌ କ୍ରୀଡ଼ା ଅଧିକାରୀ ତାରିଣୀ ପ୍ରସାଦ ଦାସ, ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅଧିକାରୀ ଅଂଜନ କୁମାର ଖୁଣ୍ଟିଆ, ମନ୍ମଥ ରାଉତ, ବନମାଳି ବିଶୋଇ, ପ୍ରଭାତ ମିଶ୍ର, ରଂଜନ ସୁତାର, ଦକ୍ଷବ୍ରହ୍ମା ରାଉତରାୟ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର