ପ୍ରଥମ ଟ୍ବେଣ୍ଟି-୨୦:ବାଂଲାଦେଶକୁ ୮ ୱିକେଟ୍‌ରେ ହରାଇଲା ୱେଷ୍ଟଇଣ୍ଡିଜ୍‌

ହୋପ୍‌ଙ୍କ ଅର୍ଧଶତକ ତୃତୀୟ ଦ୍ରୁତତମ : ପାୱାର ପ୍ଲେରେ ସର୍ବାଧିକ ସ୍କୋର୍‌ ସମକକ୍ଷ

ସିଲ୍‌ହେଟ୍‌: ବାଂଲାଦେଶଠାରୁ ଟେଷ୍ଟ୍‌ ଶୃଙ୍ଖଳା ୦-୨ ଏବଂ ଦିନିକିଆ ଶୃଙ୍ଖଳା ୧-୨ରେ ହାରିବା ପରେ ୱେଷ୍ଟ୍‌ଇଣ୍ଡିଜ୍‌ ଟ୍ବେଣ୍ଟି-୨୦ରେ ଭିନ୍ନ ଦଳର ଆଭିମୁଖ୍ୟ ଦେଖାଇଛି। ସୋମବାର ଏଠାରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଇଣ୍ଡିଜ୍‌ ଦଳ ଦମ୍‌ଦାର ପ୍ରଦର୍ଶନ କରି ବାଂଲାଦେଶକୁ ୮ ୱିକେଟ୍‌ରେ ପରାସ୍ତ କରିଦେଇଛି। ବିଶେଷକରି ସେଲ୍‌ଡନ୍‌ କୋଟ୍ରେଲ (୪/୨୮)ଙ୍କ ଘାତକ ବୋଲିଂ ପରେ ସାଇ ହୋପ୍‌ (୫୫ ରନ୍‌, ୨୩ ବଲ୍‌, ୩ ଚୌକା ଓ ୬ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଇଣ୍ଡିଜ୍‌ ୫୫ ବଲ୍‌ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ହୋପ୍‌ଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଇଣ୍ଡିଜ୍‌ ପାୱାର ପ୍ଲେ ୬ ଓଭର ମଧ୍ୟରେ ଗୋଟିଏ ୱିକେଟ୍‌ ହରାଇ ୯୧ ରନ୍‌ ସଂଗ୍ରହ କରିନେଇଥିଲା। ଯାହାକି ପାୱାର ପ୍ଲେରେ ଅଷ୍ଟ୍ରେଲିଆ, ନେଦରଲାଣ୍ଡ୍‌ ଓ ଆୟର୍ଲାଣ୍ଡ୍‌ର ସର୍ବାଧିକ ସ୍କୋର୍‌ର ସମକକ୍ଷ ହୋଇଥିଲା। ଏହି ସିଲ୍‌ହେଟ୍‌ରେ ନେଦରଲାଣ୍ଡ୍‌ ମଧ୍ୟ ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏତେବଡ଼ ସ୍କୋର୍‌ କରିଥିଲା।
ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ କୋଟ୍ରେଲଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠିନପାରି ଏକ ସମୟରେ ୭୩ ରନ୍‌ରେ ୫ ୱିକେଟ୍‌ ହରାଇଥିଲା। ଏକା ଅଧିନାୟକ ସାକିବ୍‌ ଅଲ୍‌ ହାସନ୍‌ ୬୧ ରନ୍‌ କରିଥିଲା ବେଳେ ବାକି ସମସ୍ତେ ମିଶିକରି ୬୦ ରନ୍‌ କରିଥିଲେ। ଅତିରିକ୍ତ ୮ ଯୋଗୁଁ ବାଂଲାଦେଶ ୧୯ତମ ଓଭରରେ ୧୨୯ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। କୋଟ୍ରେଲଙ୍କ ବ୍ୟତୀତ କିମୋ ପଲ୍‌ ୨ ୱିକେଟ୍‌ ନେଇଥିଲେ। ଜବାବରେ ଲୁଇସ୍‌ (୧୮) ଓ ହୋପ୍‌ (୫୫)ଙ୍କ ୱିକେଟ୍‌ ହରାଇ ଇଣ୍ଡିଜ୍‌ ଦଳ ୧୦.୫ ଓଭରରେ ବିଜୟ ଲକ୍ଷ୍ୟ ୧୩୦ରେ ପହଞ୍ଚି ଯାଇଥିଲା। ପୂରନ୍‌ (୨୩) ଓ କିମୋ ପଲ୍‌ (୨୮) ଅପରାଜିତ ରହିଥିଲେ। ତେବେ ହୋପ୍‌ଙ୍କ ପାଳି ହିଁ ମ୍ୟାଚ୍‌ର ଉଲ୍ଲେଖନୀୟ ଥିଲା। ସେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ତୃତୀୟ ଦ୍ରୁତତମ ଅର୍ଧଶତକ ଜମାଇଥିଲେ। ଭାରତର ଯୁବରାଜ ସିଂହ (୧୨ ବଲ୍‌ରୁ ୫୦) ଓ ନ୍ୟୁଜିଲାଣ୍ଡ୍‌ର କଲିନ୍‌ ମୁନ୍‌ରୋ (୧୪ ବଲ୍‌ରୁ ୫୦)ଙ୍କ ପଛକୁ ହୋପ୍‌ (୧୬ ବଲ୍‌ରୁ ୫୦) ରହିଗଲେ। ତେବେ ଜୀବନର ସର୍ବଶ୍ରେଷ୍ଠ ବୋଲିଂ ଚିତ୍ର ପା‌ଇଥିବା କୋଟ୍ରେଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର