ଗଫିନ୍‌, ଓ୍ଵାରିଙ୍କା, ମୁଗୁରୁଜା, କୋଣ୍ଟାଙ୍କ ଅଭିଯାନ ଶେଷ

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ଏକକରୁ ସପ୍ତମ ମାନ୍ୟତା ଡେଭିଡ୍‌ ଗଫିନ୍‌, ନବମ ମାନ୍ୟତା ଷ୍ଟାନ୍‌ ଓ୍ଵାରିଙ୍କା ଏବଂ ତ୍ରୟୋଦଶ ମାନ୍ୟତା ସାମ୍‌ କ୍ୱେରିଙ୍କ ଅଭିଯାନ ଶେଷ ହୋଇଛି। ସେହିପରି ମହିଳା ଏକକ ଦ୍ୱିତୀୟ ପର୍ଯ୍ୟାୟରୁ ତୃତୀୟ ମାନ୍ୟତା ଗାର୍ବିନେ ମୁଗୁରୁଜା ଏବଂ ନବମ ମାନ୍ୟତା ଜୋହନା କୋଣ୍ଟା ବିଦାୟ ନେଇଛନ୍ତି। ତେବେ ପୁରୁଷ ଏକକର ଦ୍ୱିତୀୟ ମାନ୍ୟତା ଖେଳାଳି ରୋଜର ଫେଡେରର୍‌, ପୂର୍ବତନ ବିଜେତା ନୋଭାକ ଜୋକୋଭିକ୍‌, ଚତୁର୍ଥ ମାନ୍ୟତା ଆଲେକ୍‌ଜାଣ୍ଡର ଭେରଭ୍‌, ପଞ୍ଚମ ମାନ୍ୟତା ଡୋମିନିକ୍‌ ଥିମ୍‌ ଏବଂ ଦ୍ୱାଦଶ ମାନ୍ୟତା ଜୁଆନ୍‌ ମାର୍ଟିନ୍‌ ଡେଲ୍‌ପୋତ୍ରୋ ବିଜୟ ସହ ତୃତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ମହିଳା ଏକକରେ ଶୀର୍ଷ ମାନ୍ୟତା ଲାଭ କରିଥିବା ସିମୋନା ହାଲେପ୍‌, ପୂର୍ବତନ ଶୀର୍ଷ ଖେଳାଳି ମାରିଆ ସାରାପୋଭା, ଆଞ୍ଜେଲିକ୍‌ କେର୍ବର ଏବଂ କାରୋଲିନା ପ୍ଲିସ୍‌କୋଭା ମଧ୍ୟ ବିଜୟ ଜାରି ରଖି ପରବର୍ତୀ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି।

ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ବେଲ୍‌ଜିୟମ ତାରକା ଡେଭିଡ୍‌ ଗଫିନ୍‌ ୬-୧, ୬-୭, ୧-୬, ୬-୭ ସେଟ୍‌ରେ ଫ୍ରାନ୍ସର ଜୁଲିଏନ୍‌ ବେନ୍‌ଟାଓଙ୍କଠୁ, ସ୍ୱିଜରଲାଣ୍ଡ୍‌ର ଷ୍ଟାନ୍‌ ଓ୍ଵାରିଙ୍କା ୨-୬, ୧-୬, ୪-୬ ସିଧାସଳଖ ସେଟ୍‌ରେ ଆମେରିକାର ତେନିସ୍‌ ସାଣ୍ଡ୍‌ଗ୍ରେନ୍‌ଙ୍କଠୁ ଏବଂ ଆମେରିକାର ସାମ୍‌ କ୍ୱେରି ୪-୬, ୬-୭, ୬-୪, ୨-୬ ସେଟ୍‌ର ହଙ୍ଗେରିର ମାର୍ଟନ୍‌ ଫୁସୋଭିକ୍ସଙ୍କଠୁ ହାରି ବିଦାୟ ନେଇଥିଲେ। ତେବେ ସ୍ୱିଜରଲାଣ୍ଡ ତାରକା ଫେଡେରର୍‌ ୬-୪, ୬-୪, ୭-୬ ସେଟ୍‌ରେ ଜର୍ମାନିର ଜାନ୍‌-ଲେନାର୍ଡ ଷ୍ଟଫ୍‌ଙ୍କୁ, ସର୍ବିଆର ଜୋକୋଭିକ୍‌ ୪-୬, ୬-୩, ୬-୧, ୬-୩ ସେଟ୍‌ରେ ଫ୍ରାନ୍ସର ଗେଲ୍‌ ମନ୍‌ଫିଲ୍ସଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି। ସେହିଭଳି ଜର୍ମାନିର ଭେରଭ୍‌ ୬-୧, ୬-୩, ୪-୬, ୬-୩ ସେଟ୍‌ରେ ନିଜ ଦେଶର ପିଟର ଗୋଜୋଚିକ୍‌ଙ୍କୁ, ଅଷ୍ଟ୍ରିଆର ଥିମ୍‌ ୬-୭, ୩-୬, ୬-୩, ୬-୨, ୬-୩ ସେଟ୍‌ରେ ଆମେରିକାର ଡେନିସ୍‌ କୁଦ୍‌ଲାଙ୍କୁ ଏବଂ ଆର୍ଜେଣ୍ଟିନାର ଡେଲ୍‌ପୋତ୍ରୋ ୬-୪, ୭-୬, ୬-୭, ୬-୪ ସେଟ୍‌ରେ ରୁଷିଆର କରେନ୍‌ କାଚାନୋଭଙ୍କୁ ପରାସ୍ତ କରିଥିଲେ।

ମହିଳା ଏକକରେ ସ୍ପେନ୍‌ ଲଳନା ମୁଗୁରୁଜା ୬-୭, ୪-୬ ସେଟ୍‌ରେ ତାଇଓ୍ଵାନ୍‌ର ସିଏ ସୁ-େଓ୍ଵଇଙ୍କଠୁ ଏବଂ ବ୍ରିଟେନ୍‌ ସୁନ୍ଦରୀ କୋଣ୍ଟା ୪-୬, ୫-୭ ସିଧାସଳଖ ସେଟ୍‌ରେ ଆମେରିକାର ବର୍ନର୍ଦାଙ୍କଠୁ ହାରିଯାଇଥିଲେ। ରୋମାନିଆର ହାଲେପ୍‌ ୬-୨, ୬-୨ ସେଟ୍‌ରେ କାନାଡାର ଏଗୁନି ବୌଚାର୍ଡଙ୍କୁ, ରୁଷିଆର ସାରାପୋଭା ୬-୧, ୭-୬ ସେଟ୍‌ରେ ଚତୁର୍ଦଶ ମାନ୍ୟତା ଲାଟଭିଆର ଆନାସ୍ତାଜିଆ ସେବାସ୍ତୋଭାଙ୍କୁ ପରାସ୍ତ କରିଥିଲେ। ତୃତୀୟ ପର୍ଯ୍ୟାୟରେ ସାରାପୋଭା ଜର୍ମାନି ତାରକା କେର୍ବର୍‌ଙ୍କୁ ଭେଟିବେ। କେର୍ବର ୬-୪, ୬-୧ ସେଟ୍‌ରେ କ୍ରୋଏସିଆର ଡୋନା ଭେକିକ୍‌ଙ୍କୁ ଏବଂ ଚେକ୍‌ ଗଣରାଜ୍ୟର ପ୍ଲିସକୋଭା ୬-୧, ୬-୧ ସେଟ୍‌ରେ ବ୍ରାଜିଲ୍‌ର ବିତ୍ରିଜ୍‌ ହାଦ୍ଦାଦ୍‌ ମାଲାଙ୍କୁ ହରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟମ ମାନ୍ୟତା ଫ୍ରାନ୍ସର କାରୋଲିନ୍‌ ଗ୍ରାସିଆ ୬-୭, ୬-୨, ୮-୬ ସେଟ୍‌ରେ ଚେକ୍‌ ଗଣରାଜ୍ୟର ମାର୍କେଟା ଭନ୍ଦ୍ରତ୍ସୋଭାଙ୍କୁ ଏବଂ ଆମେରିକାର ମାଡିସନ୍‌୍‌ କିଜ୍‌ ୬-୦, ୬-୧ ସେଟ୍‌ରେ ରୁଷିଆର କାଟ୍ରିନା ଆଲେକ୍‌ଜାଣ୍ଡ୍ରୋଭାଙ୍କୁ ପରାସ୍ତ କରି ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି।

ଭାରତୀୟଙ୍କ ପାଇଁ ଭଲଦିନ
ଗୁରୁବାର ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରେ ଗୁରୁବାର ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ପୁରୁଷ ଯୁଗଳରେ ଭାରତୀୟ ଯୋଡ଼ି ଲିଆଣ୍ଡର ପେସ୍‌ ଓ ପୂରବ ରାଜାଙ୍କ ସହିତ ରୋହନ ବୋପାନ୍ନା ଓ ଦିଭିଜ ସରଣ ନିଜ ନିଜ ସାଥୀଙ୍କ ସହ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପେସ୍‌ ଓ ରାଜା ୬-୨, ୬-୩ ସେଟ୍‌ରେ ନିକୋଲୋସ୍‌ ବାସିଲାସିଲି ଓ ଆନ୍ଦ୍ରେସ୍‌ ହାଇଦର-ମୌରେର୍‌ଙ୍କୁ ପରାସ୍ତ କରିଥିଲେ। ଏହି ଭାରତୀୟ ଯୋଡ଼ି ପରବର୍ତୀ ପର୍ଯ୍ୟାୟରେ ପଞ୍ଚମ ମାନ୍ୟତା ଯୋଡ଼ି ଜାମି ମରେ ଓ ବ୍ରୁନୋ ସୌରେସ୍‌ଙ୍କୁ ଭେଟିବେ। ସେହଭଳି ଫ୍ରାନ୍ସର ଏଡର୍ଡ ରୋଜର-ଭାସେଲିନ୍‌ଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ୬-୨, ୭-୬ ସେଟ୍‌ରେ ରିଆନ୍‌ ହାରିସନ୍‌ ଓ ଭାସିକ୍‌ ପୋସ୍‌ପିସିଲ୍‌ଙ୍କୁ ହରାଇ ଦେଇଥିଲେ। ଏହି ଦଶମ ମାନ୍ୟତା ଫ୍ରାନ୍ସ-ଭାରତ ଯୋଡ଼ି ଦ୍ୱିତୀୟ ପର୍ଯ୍ୟାୟରେ ଜୋଆଓ ସୌସା ଓ ଲିଓନାର୍ଡ ମେୟରଙ୍କୁ ଭେଟିବେ। ଆମେରିକାର ରାଜୀବ ରାମଙ୍କୁ ସାଥୀ କରି ଖେଳୁଥିବା ଦିଭିଜ ୭-୬, ୬-୪ ସେଟ୍‌ରେ ରୋମାନିଆ-ସର୍ବିଆ ଯୋଡ଼ି ମାରିୟସ୍‌ କୋପିଲ ଓ ଭିକ୍ଟୋର ତ୍ରୋକିଙ୍କୁ ବିଦାୟ ରାସ୍ତା ଦେଖାଇଥିଲେ। ଷୋଡ଼ଶ ମାନ୍ୟତା ଏହି ଭାରତ-ଆମେରିକା ଯୋଡ଼ି ତୃତୀୟ ପର୍ଯ୍ୟାୟ ସ୍ଥାନ ପାଇଁ ଫାବିଓ ଫଗନିନି ଓ ମାର୍ସିଲ୍‌ ଗ୍ରାନୋଲର୍ସଙ୍କ ସହ ଲଢ଼ିବେ।

ସମ୍ବନ୍ଧିତ ଖବର