ଓଡ଼ିଶା କ୍ରିକେଟର୍ ବି ଏହାର ଲାଭ ଉଠାଇ ପାରିବେ, ଅମିୟଙ୍କ ‘ଜୁମ୍’ରେ ବିଦର୍ଭ ଖେଳାଳି ଫିଟ୍

ଭୁବନେଶ୍ବର: ପରିସ୍ଥିତି ଓ ପରିବେଶ ଯାହା ହେଉନା କହିଁକି, ଜଣେ ଖେଳାଳି ପାଇଁ ନିୟମିତ ଓ ନିରଂନ୍ତର ଭାବେ ପ୍ରଶିକ୍ଷଣ ନେବା ଏବଂ ନିର୍ଦିଷ୍ଟ ପ୍ରଣାଳୀ ତଥା ବିଜ୍ଞାନସମ୍ମତ ଉପାୟରେ ଅଭ୍ୟାସ ଜାରି ରଖିବା ଅତ୍ୟନ୍ତ ମହତ୍ବପୂର୍ଣ୍ଣ। କରୋନା ଭୂତାଣୁ ପାଇଁ ସଂପ୍ରତି ସୃଷ୍ଟି ହୋଇଥିବା ଗୃହାବଦ୍ଧ ସ୍ଥିତି ପାଇଁ କ୍ରୀଡ଼ାବିତ୍‌ମାନେ କିନ୍ତୁ ଏଥିରୁ ବଞ୍ଚିତ ହେଉଛନ୍ତି। ଯାହା ଫଳରେ ସେମାନଙ୍କ ପାଇଁ ଶାରୀରିକ ସୁସ୍ଥତା ବଜାୟ ରଖିବା କଷ୍ଟକର ହୋଇ ଯାଉଛି। ଏଭଳି ସ୍ଥିତି ଯଦି ଦୀର୍ଘ ଦିନ ଲାଗି ରହେ, ତେବେ ସେମାନେ ଆଗକୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ଏପରିକି ଆଘାତ ଜନିତ ଅସୁବିଧାର ଅନେକ ମାମଲା ପଦାକୁ ଆସିପାରେ। ସେଥିପାଇଁ ବିଦର୍ଭ କ୍ରିକେଟ୍ ଦଳ ସହ ଗତ କିଛି ବର୍ଷ ହେବ କାର୍ଯ୍ୟ କରି ଆସୁଥିବା ଓଡ଼ିଆ ଫିଟ୍‌ନେସ୍ ଗୁରୁ ତଥା ପୂର୍ବତନ କ୍ରିକେଟର ଅମିୟ କୁମାର ମହାନ୍ତି ‘ଜୁମ୍ ମିଟିଂ’ ଆପ୍‌ର ସହାୟତା ନେଉଛନ୍ତି। ବିଦର୍ଭ କ୍ରିକେଟ୍ ସଂଘର ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଅମିୟ ସେଠାକାର ୧୯ ବର୍ଷରୁ କମ୍, ୨୩ ବର୍ଷରୁ କମ୍ ତଥା ରଣଜୀ ଦଳ ପାଇଁ ସ୍ବତନ୍ତ୍ର ବଡି ୱେଟ୍ ବା ଶାରୀରିକ ଓଜନ ପ୍ରଶିକ୍ଷଣ ସାରଣୀ ପ୍ରସ୍ତୁତ କରିଛନ୍ତି। ଯାହା ପ୍ରତି ସପ୍ତାହରେ ପରିବର୍ତନଶୀଳ ରହୁଛି। ଏଥିପାଇଁ ଖେଳାଳିମାନେ ନିଜ ନିଜ ଘରେ ରହି ମଧ୍ୟ ବିଭିନ୍ନ ଶାରୀରିକ ଅଭ୍ୟାସ କରିପାରୁଛନ୍ତି। ସପ୍ତାହ ଆରମ୍ଭରୁ ପ୍ରଶିକ୍ଷଣ ପ୍ରଣାଳୀ ପ୍ରସ୍ତୁତ କରି ସେ ଏହାକୁ ବିଦର୍ଭ କ୍ରିକେଟରଙ୍କ ପାଇଁ ସୃଷ୍ଟି କରାଯାଇଥିବା ସ୍ବତନ୍ତ୍ର ଗ୍ରୁପରେ ଛାଡ଼ି ଦେଉଛନ୍ତି। ଖେଳାଳିମାନେ ଏହାକୁ ଦେଖି ନିଜ ଘରେ ନିଜେ ହିଁ ଫିଟ୍ ରହିବା ଲାଗି ଚେଷ୍ଟା କରୁଛନ୍ତି। ଭୁଲ ଭଟକା ହେଲେ ଅନଲାଇନ୍‌ରେ ରହୁଥିବା ଅମିୟ ଏବଂ ଅନ୍ୟ ପ୍ରଷିକ୍ଷକଙ୍କ ସହଯୋଗ ମଧ୍ୟ ସେମାନେ ନେଇପାରୁଛନ୍ତି। ଅମିୟଙ୍କ ଏହି ପ୍ରଶିକ୍ଷଣ ପ୍ରଣାଳୀକୁ ଏବେ ଚାରିଆଡ଼ୁ ଉଚ୍ଚ ପ୍ରଶଂସା କରାଯାଉଛି। ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ଚାହିଁଲେ ନିଜ ଶରୀରିକ ପ୍ରଶିକ୍ଷକଙ୍କ ମାଧ୍ୟମରେ ଏଭଳି ଆପ୍ ଜରିଆରେ ରାଜ୍ୟ କ୍ରିକେଟରମାନଙ୍କୁ ଫିଟ୍, ସୁସ୍ଥ ତଥା ସତେଜ ରଖିପାରିବ ବୋଲି ଅମିୟ ‘ସମ୍ବାଦ’ ସହ କଥା ହେଲା ବେଳେ କହିଛନ୍ତି। ଏପରିକି ସୁଯୋଗ ମିଳିଲେ ଭବିଷ୍ୟତରେ ଓସିଏ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ମତ ରଖିଛନ୍ତି ସେ। ”ମୋ ପରିବାର ଭୁବନେଶ୍ବରର କଳିଙ୍ଗ ନଗର ଅଞ୍ଚଳରେ ରହୁଛନ୍ତି। ମୁଁ ଏବେ ବିଦର୍ଭ କ୍ରିକେଟ୍ ସଂଘର କାର୍ଯ୍ୟ କରୁଛି। ଏହି ସଂଘ ସହ ମୋର ଆଉ ଦୁଇ ବର୍ଷର ଚୁକ୍ତି ଅଛି। ହେଲେ ପରିବାର ସହ ସମୟ କଟାଇବା ଲାଗି ମୁଁ ଓଡ଼ିଶା ଫେରିବାକୁ ଯୋଜନା କରୁଛି। ଏଣୁ ଓସିଏ ଚାହିଁଲେ ମୁଁ ସେମାନଙ୍କ ସହ କାର୍ଯ୍ୟ କରିବାରେ ଅସୁବିଧା ନାହିଁ। ଏପରିକି ସେମାନେ ଯଦି ଜୁମ୍ ପ୍ରୋଗ୍ରାମକୁ ନେଇ କିଛି ସହାୟତା ଚାହାନ୍ତି, ତାହା ମଧ୍ୟ ଦେବାକୁ ମୁଁ ପ୍ରସ୍ତୁତ ବୋଲି ଅମୀୟ କହିଛନ୍ତି। ‘ଜୁମ୍ ମିଟିଂ’ ଆପ୍ ଜରିଆରେ ଗତ ମାସ ୨୬ ତାରିଖରୁ ଏଭଳି ପ୍ରଶିକ୍ଷଣ ଦିଆଯାଉଛି। ଆଗକୁ ମଧ୍ୟ ଏହା ଜାରି ରହିବ” ବୋଲି ସେ ମତ ଦେଇଛନ୍ତି।

କୋର୍ ଷ୍ଟ୍ରେଙ୍ଗ୍‌ଥ, କାର୍ଡିଓ ଓ ମୋବିଲିଟି ଉପରେ ଗୁରୁତ୍ବ
ଏଭଳି ନିଆରା ଶାରୀରିକ ଅଭ୍ୟାସ ପ୍ରଣାଳୀକୁ ଆହୁରି ସରଳ କରିବାକୁ ଯାଇ ଅମିୟ କହିଛନ୍ତି, ”ମାର୍ଚ ୨୫ରେ ଲକ୍‌ଡାଉନ୍ ଘୋଷଣା ହେଲା ପରେ ଆମେ ଜାଣିଥିଲୁ ଯେ ଏହି ସ୍ଥିତି ଢେର କିଛି ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏପ୍ରିଲ ୧୪ ଆଗକୁ ମଧ୍ୟ ଏହା ବଢ଼ିପାରେ। ଏଣୁ ଆମେ ଯେ କୌଣସି ଉପାୟରେ ଖେଳାଳିଙ୍କୁ ଫିଟ୍ ରଖିବାକୁ ଚାହୁଁଥିଲୁ। କାରଣ ଦୀର୍ଘ ଦିନର ବିରତି ପରେ କ୍ରିକେଟ୍ ପଡ଼ିଆକୁ ଫେରିଲା ବେଳକୁ ଓଜନକୁ ନେଇ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏଥିଲାଗି ଆମେ ଅନ୍‌ଲାଇନରେ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବାର ବାଟ ବାହାର କରିଥିଲୁ। ସଂପ୍ରତି ଆମେ ଏକାଥରକେ ଗୋଟିଏ ସପ୍ତାହ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରୁଛୁ। ଏଥିରେ ‌ ଷ୍ଟ୍ରେନ୍ଥ, କାଡିଓ, କୋର୍ ‌ଷ୍ଟ୍ରେଙ୍ଗ୍‌ଥ, ମୋବିଲିଟି ପ୍ରୋଗାମ ଆଦି ରହୁଛି। ପ୍ରଶିକ୍ଷଣ ସକାଳ ୭ଟା ୩୦ରୁ ଆରମ୍ଭ ହେଉଛି। ଫିଜିଓ, ଡାକ୍ତର, ପ୍ରଶିକ୍ଷକ ଆଦି ଆସି ଅଭ୍ୟାସ ଆରମ୍ଭ କରିବା ପରେ ଆମେ ଟ୍ରେନରମାନେ ଏହାର ଦତାରଖ କରୁଛୁ। ଯାହାର ବହୁ ସୁଫଳ ମିଳୁଛି ବୋଲି ମୁଁ ଭାବୁଛି। ଖେଳାଳିମାନେ ମଧ୍ୟ ଏହି ଯୋଜନାକୁ ଢେର ପସନ୍ଦ କରୁଛନ୍ତି। ଏଇ ପ୍ରୋଗ୍ରାମ କେବଳ କ୍ରିକେଟରମାନଙ୍କ ପାଇଁ ନୁହେଁ। ଫୁଟବଲ୍ ଓ ଅନ୍ୟ ଖେଳାଳିମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ। ଓସିଏ ଖେଳାଳିଙ୍କ ସହ ଭୁବନେଶ୍ବର ଓ ଅନ୍ୟ ସହରରେ କ୍ରିକେଟ୍ ଖେଳୁଥିବା ଖେଳାଳିମାନେ ମଧ୍ୟ ଏଭଳି କାର୍ଯ୍ୟକ୍ରମର ଅନୁସରଣ କଲେ ବହୁତ ଲାଭବାନ ହେବେ।” ସେହିଭଳି କ୍ରିକେଟରଙ୍କ ପାଇଁ ନୂଆ ନୂଆ ଜ୍ଞାନ କୌଶଳ ଉପଯୋଗ କରି ସେମାନଙ୍କ ଫିଟ୍‌ନେସ୍ ସ୍ତରକୁ ଯଥେଷ୍ଟ ଉଚ୍ଚରେ ରଖିବାକୁ ସେ ଓସିଏକୁ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର