ପଞ୍ଚମ ଦିନରେ ୩ ସ୍ୱର୍ଣ୍ଣ ସହ ୭ ପଦକ:ବ୍ୟାଡ୍‌ମିଣ୍ଟନ୍‌ରୁ ଐତିହାସିକ ସ୍ୱର୍ଣ୍ଣ

ଗୋଲ୍ଡକୋଷ୍ଟ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୋମବାର ବି ଭାରତୀୟ ଖେଳାଳିଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି। ପ୍ରତିଯୋଗିତାର ପଞ୍ଚମ ଦିନରେ ଭାରତ ଆଉ ତିନିଟି ସ୍ୱର୍ଣ୍ଣ ସହ ୭ ପଦକ ଜିତି ନେଇଛି। ଫଳରେ ଭାରତର ମୋଟ ପଦକ ସଂଖ୍ୟା ୧୯ରେ ପହଞ୍ଚି ଯାଇଛି। ସେଥିପାଇଁ କାନାଡାକୁ ହଟାଇ ଭାରତ ପଦକ ତାଲିକାର ଚତୁର୍ଥରୁ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଆଜିର ତିନିଟି ସ୍ୱର୍ଣ୍ଣ ମିଶ୍ରିତ ବ୍ୟାଡ୍‌ମିଣ୍ଟନ୍‌, ବନ୍ଧୁକ ଚାଳନା ଏବଂ ପୁରୁଷ ଟେବୁଲ ଟେନିସ୍‌ରୁ ଆସିଛି।

ଭାରୋତ୍ତୋଳନରେ ପୂର୍ବବତ୍‌ ଭାରତୀୟ ପ୍ରତିଯୋଗୀଙ୍କ ଭଲ ପ୍ରଦର୍ଶନ ଜାରି ରହିଛି। ସୋମବାର ବନ୍ଧୁକ ଚାଳନାରୁ ବି ବଢ଼ିଆ ଫଳ ମିଳିଛି। ଏହି ଖେଳରୁ ଭାରତ ଗୋଟିଏ ସ୍ୱର୍ଣ୍ଣ ସହ ତିନିଟି ପଦକ ଜିତି ନେଇଛି। ସୋମବାରର ଏହି ଏକମାତ୍ର ବ୍ୟକ୍ତିଗତ ସ୍ୱର୍ଣ୍ଣ ଜିତୁ ରାଏ ଜିତିଛନ୍ତି। ହେଲେ ସବୁଠାରୁ ସ୍ମରଣୀୟ ସଫଳତା ବ୍ୟାଡ୍‌ମିଣ୍ଟନ୍‌ରୁ ହସ୍ତଗତ ହୋଇଛି। ମିଶ୍ରିତ ବ୍ୟାଡ୍‌ମିଣ୍ଟନ୍‌ କୀର୍ତ୍ତି ପାଇଁ ଭାରତର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ନୂଆ ସଫଳତା ଯୋଡ଼ି ହୋଇ ଯାଇଛି। ସାଇନା ନେହଓ୍ଵାଲ ଏବଂ କିଦାମ୍ବି ଶ୍ରୀକାନ୍ତ କମାଲ ପରେ ଭାରତ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମିଶ୍ରିତ ବର୍ଗ ବ୍ୟାଡ୍‌ମିଣ୍ଟନ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ରବିବାର ଭାରତୀୟ ମହିଳା ଟିଟି ଦଳ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲା। ସୋମବାର ପୁରୁଷମାନେ ମଧ୍ୟ ଏହି ସଫଳତା ଦୋହରାଇଛନ୍ତି। ସେମାନେ ବି ସ୍ୱର୍ଣ୍ଣିମ ସଫଳତା ଲାଭ କରିଛନ୍ତି। ତେବେ ପଞ୍ଚମ ଦିନର ଖେଳ ଶେଷ ସୁଦ୍ଧା ଆୟୋଜକ ଅଷ୍ଟ୍ରେଲିଆ ୧୦୬ ପଦକ (୩୯ ସ୍ୱର୍ଣ୍ଣ, ୩୩ ରୌପ୍ୟ, ୩୪ କାଂସ୍ୟ) ସହ ପ୍ରଥମ ସ୍ଥାନରେ ତା’ର ସ୍ଥିତିକୁ ଆହୁରି ସୁଦୃଢ଼ କରି ନେଇଛି। ଇଂଲଣ୍ଡ ୬୩ ପଦକ ( ୨୨ ସ୍ୱର୍ଣ୍ଣ, ୨୫ ରୌପ୍ୟ, ୧୬ କାଂସ୍ୟ) ଜିତି ପୂର୍ବ ଭଳି ଦ୍ୱିତୀୟ ସ୍ଥାନରେ ସ୍ଥିର ରହିଛି।

ବନ୍ଧୁକ ଚାଳନାରେ ଜିତୁଙ୍କ କୀର୍ତ୍ତିମାନ

ବନ୍ଧୁକ ଚାଳନାରେ ସେନା ଅଧିକାରୀ ଜିତୁ ରାଏ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ସେ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲେ। ଏହି ବର୍ଗରେ ଓମ୍‌ ମିଥରଭଲ କାଂସ୍ୟ ପଦକ ପାଇଥିଲେ। ମହିଳା ୧୦ ମିଟର ଏୟାର ରାଇଫଲରେ ମେହୁଲି ଘୋଷ ରୌପ୍ୟ ହାସଲ କରିଥିଲା ବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଗତ ସଂସ୍କରଣରେ ସ୍ୱର୍ଣ୍ଣ ଜିତିଥିବା ଅପୂର୍ବୀ ଚାନ୍ଦେଲା କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ବେଲମଣ୍ଟ ବନ୍ଧୁକ ଚାଳନା କେନ୍ଦ୍ରରେ ଆୟୋଜିତ ପ୍ରତିଯୋଗିତାରେ ଜିତୁ ୨୩୫.୧ ପଏଣ୍ଟ ଅର୍ଜନ କରି ନୂଆ ରାଜ୍ୟଗୋଷ୍ଠୀ କୀର୍ତ୍ତିମାନ ସହ ଲଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଥିଲେ।

୪ ବର୍ଷ ତଳେ ଗ୍ଲାସଗୋରେ ଆୟୋଜିତ ୨୦ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ମେହୁଲି ୨୪୭.୨ ଏବଂ ଅପୂର୍ବୀ ୨୨୫.୩ ପଏଣ୍ଟ ଅର୍ଜନ କରି ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।

ମହିଳାଙ୍କ ପରେ ପୁରୁଷଙ୍କୁ ଟିଟି ସ୍ୱର୍ଣ୍ଣ

ଟବୁଲ ଟେନିସରୁ ସୋମବାର ଭାରତ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲା। ଏହି ସ୍ୱର୍ଣ୍ଣ ପୁରୁଷ ଦଳଗତ ବର୍ଗରୁ ଆସିଥିଲା। ଭାରତୀୟ ପୁରୁଷ ଦଳ ନାଇଜେରିଆକୁ ଏକତରଫା ଭାବେ ୩-୦ରେ ହରାଇ ଏହି ସଫଳତା ଲାଭ କରିଛି। ଅଚାନ୍ତ ଶରତ କମଲ, ସାଥୀଆନ୍‌ ଜ୍ଞାନଶେଖରନ୍‌ ଏକକ ବର୍ଗରେ ବିଜୟୀ ହୋଇ ଭାରତକୁ ୨-୦ରେ ଆଗୁଆ କରିଥିଲେ। ଏହା ପରେ ସାଥୀଆନ୍‌ ଏବଂ ହରମିତ ଦେଶାଇ ଯୁଗଳ ମ୍ୟାଚ୍‌ ଜିତି ଟେବୁଲ୍‌ ଟେନିସରୁ ଦେଶ ପାଇଁ ଦ୍ୱିତୀୟ ପଦକ ଜିତିଥିଲେ। ରବିବାର ଭାରତୀୟ ମହିଳା ଦଳ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତୀୟ ମହିଳା ଟିଟି ଦଳର ଏହା ପ୍ରଥମ ସ୍ୱର୍ଣ୍ଣ ଥିଲା।

ସାଇନା-ଶ୍ରୀକାନ୍ତଙ୍କ ପାଇଁ ଇତିହାସ

ଭାରତୀୟ ମିଶ୍ରିତ ବ୍ୟାଡ୍‌ମିଣ୍ଟ୍‌ନ୍‌ ଦଳ ମାଲେସିଆକୁ ୩-୧ରେ ହରାଇ ମାଇଲଖୁଣ୍ଟ ସଫଳତା ପାଇଥିଲା। ଗୁରୁ ପୁଲେଲା ଗୋପୀଚାନ୍ଦଙ୍କ ମାର୍ଗଦର୍ଶନରେ କୋର୍ଟକୁ ଓହ୍ଲାଇଥିବା ଭାରତୀୟ ଦଳ ପକ୍ଷରୁ ସାତ୍ୱିକ ରାଙ୍କିରେଡ୍ଡୀ ଏବଂ ଅଶ୍ୱିନ ପୋନାପ୍ପା ପ୍ରଥମ ବିଜୟ ହାସଲ କରିଥିଲେ। ରାଙ୍କି-ପୋନାପ୍ପା ଯୋଡ଼ି ପଙ୍ଗେ ସୁନ୍‌ ଚାନ୍‌ ଓ ଲିୟୁ ଇଙ୍ଗ୍‌ ଗୋଙ୍କୁ ୨୧-୧୫, ୧୫-୨୧, ୨୧-୧୫ରେ ହରାଇ ଭାରତ ବିଜୟର ମୂଳଦୁଆ ପକାଇଥିଲେ। ମୁକାବିଲାର ସବୁଠାରୁ ସଂଘଷପୂର୍ଣ୍ଣ ଲଢ଼େଇ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା କିଦାମ୍ବି ଶ୍ରୀକାନ୍ତ ଓ ତିନି ଥର ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଲି ଚୋଙ୍ଗ େଓ୍ଵଇଙ୍କ ମଧ୍ୟରେ ହୋଇଥିଲା। ତେବେ ଏହାକୁ ଶ୍ରୀକାନ୍ତ ସିଧାସଳଖ ୨୧-୧୭, ୨୧-୧୪ରେ ଜିତି ନେଇଥିଲେ। ପଞ୍ଚମ ଭେଟରେ େଓ୍ଵଇଙ୍କ ବିରୋଧରେ ଶ୍ରୀକାନ୍ତଙ୍କର ଏହା ପ୍ରଥମ ବିଜୟ ଥିଲା। ୨-୦ରେ ଆଗୁଆ ହେବା ପରେ ପୁରୁଷ ଯୁଗଳ ଯୋଡ଼ି ରାଙ୍କି ରେଡ୍ଡୀ ଓ ଚିରାଗ ସେଠୀ ପରବର୍ତୀ ମୁକାବିଲାରେ ସ୍ୱର୍ଣ୍ଣ ପଦକ ପକ୍କା କରିନେବେ ବୋଲି ଭାରତୀୟ ଦଳ ଭାବିଥିଲା। ହେଲେ ସେମାନେ ଦୁର୍ଭାଗ୍ୟଜନକ ଭାବେ ମାଲେସୀୟ ଯୋଡ଼ି ସେମ୍‌ ଗୋ ଓ ଓ୍ଵି କିଙ୍ଗ ତାନଙ୍କଠାରୁ ୧୫-୨୧, ୨୦-୨୨ରେ ହାରି ଯାଇଥିଲେ। ସେଥିପାଇଁ ସବୁନଜର ବେଜିଂ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ତଥା ବିଶ୍ୱ ମାନ୍ୟତାର ଦ୍ୱାଦଶ ସ୍ଥାନରେ ଥିବା ସାଇନା ନେହଓ୍ଵାଲ ଏବଂ ମାଲେସିଆର ସୋନିଆ ଚେହଙ୍କ ମଧ୍ୟରେ ହେବାକୁ ଥିବା ମୁକାବିଲା ଉପରେ ରହିଥିଲା। ଏହାକୁ ୨୧-୧୧, ୧୯-୨୧ ଓ ୨୧-୯ରେ ଜିତି ନେଇ ସାଇନା ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ ଉପହାର ଦେଇଥିଲେ।

ଭାରୋତ୍ତୋଳନରେ ପ୍ରଦୀପଙ୍କ ଚମକ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତୋଳନରୁ ଭାରତୀୟ ପ୍ରତିଯୋଗୀମାନେ ସର୍ବାଧିକ ପଦକ ଜିତିଛନ୍ତି। ରବିବାର ଚତୁର୍ଥ ଦିବସ ସୁଦ୍ଧା ଏହି ପାରମ୍ପରିକ ଖେଳରୁ ଭାରତ ୮ ପଦକ ଜିତି ନେଇଥିଲା। ସୋମବାର ପଞ୍ଚମ ଦିନରେ ୨୨ ବର୍ଷୀୟ ଯୁବ ଭାରୋତ୍ତୋଳକ ପ୍ରଦୀପ ସିଂହ ଏହି ସଂଖ୍ୟାକୁ ୯ରେ ପହଞ୍ଚାଇ ଦେଇଥିଲେ। ୧୦୫ କିଲୋଗ୍ରାମ ବର୍ଗରେ ପ୍ରଦୀପ ମୋଟ ୩୫୨ କିଲୋଗ୍ରାମ ଭାର (ସ୍ନାଚ୍‌ ୧୫୨ କିଲୋଗ୍ରାମ, କ୍ଲିନ୍‌ ଆଣ୍ଡ ଜର୍କ ୨୦୦ କିଲୋଗ୍ରାମ) ଉଠାଇ ରୌପ୍ୟ ପଦକ ପାଇଥିଲେ। ସାମୋଆର ମାନେଲା ମାଓ ୩୬୦ କିଲୋଗ୍ରାମ (୧୫୪ ଓ ୨୦୬) ଭାର ଉଠାଇ ଏହି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଉଚ୍ଚ ଡିଅାଁ ଫାଇନାଲ୍‌ରେ ତେଜସ୍ୱିନ୍‌
ପୁରୁଷ ଉଚ୍ଚ ଡିଅାଁ ଫାଇନାଲ୍‌ରେ ଭାରତୀୟ ତାରକା ତେଜସ୍ୱିନ୍‌ ଶଙ୍କର ସ୍ଥାନ ପକ୍କା କରିଛନ୍ତି। ସୋମବାର ଯୋଗ୍ୟତା ପର୍ଯ୍ୟାୟରେ ସେ ୨.୨୧ ମାର୍କ ଅତିକ୍ରମ କରି ପଦକ ଦୌଡ଼ରେ ନିଜକୁ ସାମିଲ କରିଛନ୍ତି।

ମହିଳା ୪୦୦ ମିଟର ସେମିରେ ହିମା
ମହିଳା ୪୦୦ ମିଟର ଦୌଡ଼ ସେମିଫାଇନାଲ୍‌ରେ ହିମା ଦାସ ସ୍ଥାନ ପକ୍କା କରିଛନ୍ତି। ସେ ହିଟ୍‌ରେ ୫୨.୧୧ ସେକେଣ୍ଡ୍‌ ସମୟ ନେଇ ତୃତୀୟ ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କରିଥିଲେ। ତେବେ ପୂଭାମା ହିଟ୍‌ରେ ୫୩.୭୨ ସେକେଣ୍ଡ୍‌ ସମୟ ନେଇ ପଞ୍ଚମ ସ୍ଥାନ ସହ ସେମିଫାଇନାଲ୍‌ ପୂର୍ବରୁ ବିଦାୟ ନେଇଥିଲେ।

ପଦକ ପାଇଁ ଦୌଡ଼ିବେ ଆନସ୍‌
ଭାରତୀୟ ଧାବକ ୟାହିୟା ମହମ୍ମଦ ଆନସ ମଙ୍ଗଳବାର ପୁରୁଷ ୪୦୦ ମିଟରରେ ପଦକ ପାଇଁ ଦୌଡ଼ିବେ। ସୋମବାର ସେମିଫାଇନାଲ୍‌ରେ ସେ ୪୫.୪୪ ସେକେଣ୍ଡ୍‌ ସମୟ ନେଇ ନିଜ ହିଟ୍‌ରେ ପ୍ରଥମ ସ୍ଥାନରେ ରହି ଫାଇନାଲ୍‌ରେ ପ୍ରବେଶ କରିଥିଲେ।

୧୦୦୦୦ ମିଟରରେ ସୁରିୟା ୧୩
ମହିଳା ୧୦,୦୦୦ ମିଟର ଦୌଡ଼ରେ ସୁରିୟା ଲୋଗାନାଥନ୍‌ ନିଜର ଶ୍ରେଷ୍ଠ ସମୟ ୩୨ ମିନିଟ୍‌ ୨୩.୫୬ ସେକେଣ୍ଡ ପାଇଥିଲେ ତ୍ରୟୋଦଶ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ଉଗାଣ୍ଡାର ଚେସାଙ୍ଗ ଷ୍ଟେଲା (୩୧:୪୫.୩୦) ସ୍ୱର୍ଣ୍ଣ ଓ ଚେଲାଙ୍ଗାତ ମର୍ସିଲାଇନ୍‌ (୩୧:୪୮.୪୧) କାଂସ୍ୟ ଜିତିଥିଲା, କେନିଆର ଦିଓ୍ଵା ଷ୍ଟାସି (୩୧:୪୬.୩୬) ରୌପ୍ୟ ଜିତିଥିଲେ।

ସମ୍ବନ୍ଧିତ ଖବର