ସାମୀଙ୍କ ବିରୋଧରେ ମ୍ୟାଚ ଫିକ୍ସିଂ ଅଭିଯୋଗ ଆଣିଲେ ପତ୍ନୀ, ବିସିସିଆଇର ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ: କ୍ରିକେଟିୟର ମହମ୍ମଦ ସାମୀ ଓ ତାଙ୍କ ପତ୍ନୀ ହସୀନ ଜାହାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଏକ ନୂଆ ମୋଡ଼ ନେଇଛି । ସାମୀଙ୍କ ବିରୋଧରେ ହସୀନ ମ୍ୟାଚ ଫିକ୍ସିଂ ଅଭିଯୋଗ ଲଗାଇବା ପରେ ବିସିସିଆଇ ସତର୍କ ହୋଇ ଉଠିଛି । ଏହି ଅଭିଯୋଗର ତଦନ୍ତ ପାଇଁ ବିସିସିଆଇର ପ୍ରଶାସନ କମିଟି (ସିଓଏ) ପକ୍ଷରୁ ଦୁର୍ନୀତି ନିବାରଣ ଓ ନିରାପତ୍ତା ୟୁନିଟ୍‌କୁ ନିର୍ଦ୍ଦେଶ ଦିଆଯାଇଛି । ହସୀନ ଅଭିଯୋଗ କରିଛନ୍ତି ଯେ ଲଣ୍ଡନର ଜଣେ ବ୍ୟବସାୟୀ ମହମ୍ମଦ ଭାଇଙ୍କ ନିର୍ଦ୍ଦେଶ କ୍ରମେ ଜଣେ ପାକିସ୍ତାନି ଯୁବତୀ ଆଲସବା ସାମୀଙ୍କୁ ଟଙ୍କା ଦେଇଛନ୍ତି ।

ସିଓଏ ପକ୍ଷରୁ ବିସିସିଆଇର ଦୁର୍ନୀତି ନିବାରଣ ଓ ନିରାପତ୍ତା ୟୁନିଟ ମୁଖ୍ୟ ନୀରଜ କୁମାରଙ୍କୁ ଏହି ତଦନ୍ତ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ତାଙ୍କୁ କୁହାଯାଇଛି । ସାମୀ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ହୋଇଥିବା ଏକ ଟେଲିଫୋନ କଥାବାର୍ତ୍ତାର ରେକର୍ଡିଂକୁ ଏବେ ତଦନ୍ତର ଅନ୍ତର୍ଭୁକ୍ତ କରାଯାଇଛି । ମୁଖ୍ୟତଃ ତିନୋଟି ବିନ୍ଦୁ ଉପରେ ତଦନ୍ତ କରିବାକୁ ଦୁର୍ନୀତି ନିବାରଣ ଓ ନିରାପତ୍ତା ୟୁନିଟ୍‌କୁ ନିର୍ଦ୍ଦେଶ ଦିଆଯାଇଛି । ତାହା ହେଉଛି ମହମ୍ମଦ ଭାଇ ଓ ପାକିସ୍ତାନି ଯୁବତୀ ଆଲସବା କିଏ ଓ ତାଙ୍କର ପିଛିଲା ଇତିହାସ କଣ ? ସତରେ କଣ ମହମ୍ମଦ ଭାଇଙ୍କ ପକ୍ଷରୁ ସାମୀଙ୍କୁ କିଛି ଅର୍ଥ ଦିଆଯାଇଛି ? ଯଦି ଅର୍ଥ ଦିଆଯାଇଛି, କେଉଁ ଉଦ୍ଦେଶ୍ୟରେ ଏହ ଅର୍ଥ ଦିଆଯାଇଛି? ଗତକାଲି କୋଲକାତା ପୁଲିସ୍‌ ବିସିସିଆଇକୁ ଏକ ପତ୍ର ଲେଖି ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଶେଷ ଟିଟେ୍ଵଣ୍ଟି ମ୍ୟାଚ ପରେ ସାମୀଙ୍କ ଯାତ୍ରା ବିବରଣୀ ପ୍ରଦାନ ପାଇଁ ଅନୁରୋଧ କରିଛି ।

ସମ୍ବନ୍ଧିତ ଖବର