ଆଇପିଏଲ୍‌ ୧୧: ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ, ଚେନ୍ନାଇକୁ ୨୦୩ ରନ୍‌ ବିଜୟ ଲକ୍ଷ୍ୟ ଦେଲା କୋଲକାତା

ଚେନ୍ନାଇ: ଆନ୍ଦ୍ରେ ରସେଲ(୮୮ରନ, ୩୬ ବଲ, ଗୋଟିଏ ଚୌକା, ୧୧ଟି ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ୍‌ ରାଇଡର୍ସ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍‌କୁ ୨୦୩ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିଣି ଚେନ୍ନାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୦୨ରନ୍‌ ସଂଗ୍ରହ କରିଛି। କୋଲକାତାର ଖେଳାଳିମାନେ ଶେଷ ୫ ଓଭରରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଓପନର କ୍ରିସ ଲିନ୍‌ ୨୫ ରନ୍‌, ସୁନିଲ ନାରିନ ୧୨ ରନ୍‌, ରବିନ ଉଥାପା ୨୯ ରନ୍‌, ନୀତିଶ ରାଣା ୧୬, ଦିନେଶ କାର୍ତ୍ତିକ ୨୬ ରନ୍‌ ସଂଗ୍ରହ କରିଛନ୍ତି।

୧୯ ରନ୍‌ରେ ଚେନ୍ନାଇର ପ୍ରଥମ ଶିକାର ହୋଇଥିଲେ ସୁନିଲ ନାରିନ। ୫୧ ରନ୍‌ରେ କୋଲକାତା ୨ୟ ଓ୍ଵିକେଟରେ କ୍ରିସ ଲିନଙ୍କୁ ହରାଇଥିଲା। ସେହିଭଳି ୮୦ ରନ୍‌ରେ ୩ୟ ଓ୍ଵିକେଟ୍‌, ୮୧ ରନ୍‌ରେ ୪ର୍ଥ ଓ୍ଵିକେଟ, ୮୯ ରନ୍‌ରେ ୫ମ ଓ୍ଵକେଟ ଓ ୧୬୫ ରନ୍‌ରେ ୬ଷ୍ଠ ଓ୍ଵିକେଟ ପଡ଼ିଥିଲା। ଚେନ୍ନାଇ ଟିମ୍‌ର ସେନ୍‌ ଓ୍ଵାଟସନ୍‌ ୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ହରଭଜନ ସିଂ, ରବୀନ୍ଦ୍ର ଜାଡ଼େଜା ଓ ସାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର