ଆଇପିଏଲ୍‌ ୧୧: ହାଇଦ୍ରାବାଦକୁ ୪ ରନ୍‌ରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍‌

ହାଇଦ୍ରାବାଦ୍‌: ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌(୮୪ ରନ୍‌)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ରବିବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୪ ରନ୍‌ରେ ଚେନ୍ନାଇ ଠାରୁ ପରାସ୍ତ ହୋଇଛି । ୧୮୩ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ପାଳିରେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍‌ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୭୮ ରନ୍‌ ସଂଗ୍ରହ କରିଛି। ଓ୍ଵିଲିୟମସନ୍‌ ଓ ୟୁସୁଫ ପଠାନଙ୍କ ବ୍ୟତୀତ ଅନ୍ୟ ବ୍ୟାଟସ୍‌ମ୍ୟାନମାନେ ଭଲ ପ୍ରଦର୍ଶନ କରି ନଥିଲେ।

କୌଣସି ରନ୍‌ ନକରି ହାଇଦ୍ରାବାଦ୍‌ ପ୍ରଥମ ଓ୍ଵିକେଟ୍‌ ହରାଇଥିବା ବେଳେ ୧୦ ରନ୍‌ରେ ୨ୟ ଓ୍ଵିକେଟ୍‌, ୨୨ ରନ୍‌ରେ ୩ୟ ଓ୍ଵିକେଟ୍‌, ୭୧ ରନ୍‌ରେ ୪ର୍ଥ ଓ୍ଵିକେଟ୍‌, ୧୫୦ ରନ୍‌ରେ ୫ମ ଓ୍ଵିକେଟ୍‌ ଓ ୧୫୭ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌ ପଡ଼ିଥିଲା।

ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ ଆଇପିଏଲ୍‌ ୧୧ତମ ସଂସ୍କରଣର ୨୦ତମ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗସ୍‌ ୨୦ ଓଭରରେ ୩ ଟି ଓ୍ଵିକେଟ୍‌ ହରାଇ ୧୮୨ ରନ୍‌ ସଂଗ୍ରହ କରିବା ପରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ବିଜୟ ପାଇଁ ୧୮୩ ରନ୍‌ ଟାର୍ଗେଟ ମିଳିଥିଲା। ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇର ଅମ୍ବାତି ରାୟଡୁ ସର୍ବାଧିକ ୩୭ ଟି ବଲ୍‌ରୁ ୭୯ ରନ୍‌ ସଂଗ୍ରହ କରିଥିଲେ। ସେହିଭଳି ସୁରେଶ ରାଇନା(ଅପରାଜିତ ୫୪, ୫ ଟି ଚୌକା ଓ ୨ ଟି ଛକା) ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି(୨୫ ରନ୍‌, ୩ ଟି ଚୌକା ଓ ଗୋଟିଏ ଛକା) ବିସ୍ଫୋରକ ବ୍ୟାଟିଂ କରିଥିଲେ।

ଆରମ୍ଭରୁ ଚେନ୍ନାଇ ଭଲ ବ୍ୟାଟିଂ କରି ନ ଥିଲା। ମାତ୍ର ୩.୩ ଓଭରରେ ଦଳ ସେନ୍‌ ଓ୍ଵାଟସନ୍‌ଙ୍କୁ ହରାଇଥିଲା। ସେତେବେଳକୁ ଦଳୀୟ ସ୍କୋର ୧୪ ରନ୍‌ ଥିଲା। ହାଇଦ୍ରାବାଦ୍‌ର ୨ୟ ଶିକାର ହୋଇଥିଲେ ଫାଫ୍‌ ଡୁ ପ୍ଲେସିସ୍‌। ସେ ଦଳୀୟ ସ୍କୋର ୩୨ ରନ୍‌ ଥିବା ବେଳେ ଆଉଟ୍‌ ହୋଇଥିଲେ। ଚେନ୍ନାଇ ୧୪୪ ରନ୍‌ରେ ଅମ୍ବାତି ରାୟଡୁଙ୍କୁ ହରାଇଥିଲା। ଭୁବନେଶ୍ୱର କୁମାର ଓ ଋଷଭ ପନ୍ଥ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର