ଇରାନୀ କପ୍‌ରେ ବିହାରୀଙ୍କ କ୍ରମାଗତ ଶତକ

ଲକ୍ଷ୍ୟ ୨୮୦, ବିଦର୍ଭ ୩୭/୧

ନାଗପୁର: ରଣଜୀ ବିଜେତା ବିଦର୍ଭ ବିପକ୍ଷ ଇରାନୀ କପ୍‌ର ଚତୁର୍ଥ ଦିବସରେ ହନୁମା ବିହାରୀଙ୍କ କ୍ରମାଗତ ଶତକ ସହାୟତାରେ ଅବଶିଷ୍ଟ ଭାରତ ତା’ର ଦ୍ବିତୀୟ ପାଳିରେ ୩୭୪/୩ରେ ଘୋଷଣା କରିଦେଇଛି। ପ୍ରଥମ ପାଳିରେ ୧୧୪ ରନ୍‌ କରିଥିବା ବିହାରି ଦ୍ବିତୀୟ ପାଳିରେ ୧୮୦ ରନ୍‌ରେ ଅପରାଜିତ ରହିଛନ୍ତି। ଏଥି ସହିତ ଇରାନୀ କପ୍‌ର ଉଭୟ ପାଳିରେ ଶତକ ଜମାଇବାରେ ସେ ଶିଖର ଧାୱନ୍‌ଙ୍କ ପରେ ଦ୍ବିତୀୟ ଖେଳାଳି ହୋଇଥିଲେ। ଧାୱନ୍‌ ୨୦୧୧/୧୨ ଋତୁରେ ଉଭୟ ପାଳିରେ ଶତକୀୟ ସଫଳତା ପାଇଥିଲେ। ଶୁକ୍ରବାର ବିହାରୀଙ୍କ ବ୍ୟତୀତ ଅଧିନାୟକ ଆଜିଙ୍କ୍ୟ ରାହାଣେ (୮୭) ଓ ଶ୍ରେୟସ ଆୟର (୬୧*) ଅର୍ଧଶତକ ଜମାଇଛନ୍ତି। ତୃତୀୟ ଦିବସ ସ୍କୋର୍‌ ୧୦୨/୨ରୁ ଖେଳିଥିବା ଅବଶିଷ୍ଟ ଭାରତ ଶନିବାର କେବଳ ରାହାଣେଙ୍କ ୱିକେଟ୍‌ ହରାଇ ୨୭୨ ରନ୍ ଯୋଡ଼ି ପାଳି ଘୋଷଣା କରିଦେଇଥିଲା। ବିହାରି ଓ ରାହାଣେ ତୃତୀୟ ୱିକେଟ୍‌ରେ ୨୨୯ ଏବଂ ବିହାରି ଓ ଆୟର ଅସମାପ୍ତ ଚତୁର୍ଥ ୱିକେଟ୍‌ରେ ୯୯ ରନ୍ ଯୋଡ଼ିଥିଲେ। ଫଳରେ ପ୍ରଥମ ପା‌ଳିରେ ୯୫ ରନ୍‌ ପଛୁଆ ରହିଥିବା ଅବଶିଷ୍ଟ ଭାରତ ମୋଟ ଉପରେ ୨୮୦ ରନ୍‌ର ବିଜୟ ଲକ୍ଷ୍ୟ ବିଦର୍ଭ ସମ୍ମୁଖରେ ଛାଡ଼ିଛି। ଏହାର ଜବାବରେ ବିଦର୍ଭ ଶୁକ୍ରବାର ଚତୁର୍ଥ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୩୭ ରନ୍‌ରେ ଗୋଟିଏ ୱିକେଟ୍‌ ହରାଇଛି। ଶନିବାର ପଞ୍ଚମ ତଥା ଶେଷ ଦିନରେ ବିଜୟ ପାଇଁ ବିଦର୍ଭକୁ ଆଉ ୨୪୩ ରନ୍‌ ଏବଂ ଅବଶିଷ୍ଟ ଭାରତକୁ ୯ ୱିକେଟ୍‌ ଦରକାର ରହିଛି।

ସଂକ୍ଷିପ୍ତ ସ୍କୋର: ଅବଶିଷ୍ଟ ଭାରତ ପ୍ରଥମ ପାଳି ୩୩୦ (ହନୁମା ବିହାରି ୧୧୪, ମୟଙ୍କ ଅଗ୍ରୱାଲ ୯୫, ଆଦିତ୍ୟ ସରୱାତେ ୩/୯୯, ଅକ୍ଷୟ ୱାଖରେ ୩/୬୨)। ବିଦର୍ଭ ପ୍ରଥମ ପାଳି ୪୨୫ (ଅକ୍ଷୟ ୱାଦେକର ୭୩, ଅକ୍ଷୟ କର୍ନେୱାର ୧୦୨, ରାହୁଲ ଚହର୍‌ ୪/୧୧୨)। ଅବଶିଷ୍ଟ ଭାରତ ଦ୍ବିତୀୟ ପାଳି ୧୦୭ ଓଭରରେ ୩୭୪/୩ (ହନୁମା ବିହାରି ୧୮୦, ଆଜିଙ୍କ୍ୟ ରାହାଣେ ୮୭, ଶେୟସ ଆୟର ୬୧*, ଆଦିତ୍ୟ ସରୱାତେ ୨/୧୪୧, ଅକ୍ଷୟ ୱାଖରେ ୧/୬୦। ବିଦର୍ଭ ଦ୍ବିତୀୟ ପାଳି ୧୬ ଓଭରରେ ୩୭/୧ (ସଞ୍ଜୟ ରଘୁନାଥ ୧୭*, ତାଇଦେ ୧୬*, ଅଙ୍କିତ ରାଜ୍‌ପୁତ ୧/୧୦)।

ଉଭୟ ଦଳ ହାତରେ କଳା ପଟି ବାନ୍ଧି ଖେଳିଲେ
ଗୁରୁବାର ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ଦେଶର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୁକ୍ରବାର ଈରାନୀ କପ୍‌ ମ୍ୟାଚ୍‌ ପୂର୍ବରୁ ଉଭୟ ଦଳ (ଅବଶିଷ୍ଟ ଭାରତ ଏବଂ ବିଦର୍ଭ)ର ଖେଳାଳିମାନେ ହାତରେ କଳା ପଟି ବାନ୍ଧି ଖେଳିଥିଲେ। ଏକରିକି ପଡ଼ିଆ ଭିତରେ ଥିବା ଦୁଇ ଅମ୍ପାୟାର ନନ୍ଦନ ଓ ନିତିନ ମେନନ୍‌ ମଧ୍ୟ ସହିଦ ଯବାନଙ୍କ ସମ୍ମାନାର୍ଥେ ହାତରେ କଳା ପଟି ବାନ୍ଧିଥିଲେ।

ସମ୍ବନ୍ଧିତ ଖବର