ଭୁବନେଶ୍ବର ସାଇକ୍ଲୋଥୋନ୍ ଆଜି: ମୁଁ ଆସିବି…, ଆପଣ ବି ଆସନ୍ତୁ…

ଭୁବନେଶ୍ବର: ସୁସ୍ଥ ରହିବା ପାଇଁ ଦୈନନ୍ଦିନ କର୍ମମୟ ଜୀବନରେ ସାଇକେଲ୍‌କୁ ସାମିଲ୍ କରିପାରିଲେ ଜଣେ ବ୍ୟକ୍ତି ନିଜେ ସୁସ୍ଥ ରହିବା ସହ ପରିବେଶକୁ ମଧ୍ୟ ସୁସ୍ଥ ରଖିବାରେ ଅବଦାନ ରଖେ। ଏଇ ଉଦ୍ଦେଶ୍ୟରେ ସାଇକେଲ୍ ଚାଳନା ସହ ଏକ ସୁସ୍ଥ ଜୀବନଯାପନର ବାର୍ତା ନେଇ ‘ସମ୍ବାଦ’ ପକ୍ଷରୁ ଆଜି ଆୟୋଜିତ ହେବ ‘ଭୁବନେଶ୍ବର ସାଇକ୍ଲୋଥୋନ୍’। ଆବାଳବୃଦ୍ଧବନିତା ସମସ୍ତେ ଏଥିରେ ସାମିଲ୍ ହେଇପାରିବେ। ସିନେ ଦୁନିଆର ସେଲେବ୍ରିଟିଙ୍କ ସମେତ ଜାତୀୟ ସ୍ତରର କ୍ରୀଡ଼ାବିତ୍ ମଧ୍ୟ ଏଥିରେ ସାମିଲ୍ ହୋଇ ସାଇକେଲ୍ ଚାଳନା କରିବେ। ୧୬ ତାରିଖ ସକାଳ ସାଢ଼େ ୫ଟା ସମୟରେ ଶିଖରଚଣ୍ଡୀରୁ ଏହା ଆରମ୍ଭ ହେବ। ଜୟଦେବ ବିହାର ଦେଇ ଏହା କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବ। ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୁଲିସ୍‌ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା, ବିଏମ୍‌ସି କମିସନର ସମର୍ଥ ବର୍ମା, ଜାତୀୟ କୀର୍ତିମାନଧାରୀ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ, ବିଶ୍ବକପ୍ ବିଜେତା ଦୃଷ୍ଟିହୀନ କ୍ରିକେଟର ମହମ୍ମଦ ଜାଫର୍ ଇକ୍‌ବାଲ୍, ପ୍ରଥମ ଓଡ଼ିଆ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ, ଅଭିନେତା ସବ୍ୟସାଚୀ ମିଶ୍ର, ଚୁଲ୍‌ବୁଲି ନାୟିକା ଅର୍ଚ୍ଚିତା ସାହୁ, ସାଇକେଲ୍ ଚାଳନା କରିବା ପାଇଁ ସମ୍ମତି ଦେଇଥିବା ବେଳେ ଏହିଭଳି ଏକ ନିଆରା ଆଡ଼ମ୍ବରରେ ସାମିଲ୍ ହେବା ପାଇଁ ଆହ୍ବାନ କରିଛନ୍ତି। ସୁସ୍ଥ ରହିବା ପାଇଁ ସାଇକେଲ୍ ଚଲାଇବା ଏବଂ ସାଇକେଲ୍ ଚାଳନାର ଉପକାରକୁ ଉପଲବ୍ଧି କରାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସାଇକ୍ଲୋଥୋନ୍ ଚଳିତ ବର୍ଷ ଚତୁର୍ଥ ବର୍ଷରେ ପଦାର୍ପଣ କରିଛି। ପ୍ରତିବର୍ଷ ହଜାରହଜାର ସଂଖ୍ୟାରେ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀ ସାମିଲ୍ ହୋଇ ପ୍ରତିଯୋଗିତାମୂଳକ ମନୋଭାବ ସହ ସାଇକେଲ୍ ଚାଳନା କରନ୍ତି। ଏଥର ମଧ୍ୟ ଏହି କାର୍ଯ୍ୟକ୍ରମରେ ସମସ୍ତେ ସାମିଲ୍ ହୋଇପାରିବେ। ଇଚ୍ଛୁକ ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ ସାମିଲ୍‌ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ନିବେଦନ।

ସମ୍ବନ୍ଧିତ ଖବର