ଭାରତ ବୋଲିଂରେ ୩-୨ରେ ଖେଳୁ : ଲାମ୍ବ କହିଲେ ଭାରତ ଦାବିଦାର

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‍ ଶୃଙ୍ଖଳା ପୂର୍ବରୁ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ କହିଛନ୍ତି ଯେ ଭାରତ ଏଥର ବୋଲିଂ ବିଭାଗରେ ୩ ପେସର୍‌ ଏବଂ ୨ ସ୍ପିନର୍‌ ନେଇ ଖେଳିଲେ ଭଲ। ଭାରତ ପାଇଁ ଏବେ ଇଂଲଣ୍ଡକୁ ଇଂଲଣ୍ଡରେ ହରାଇବାର ଶ୍ରେଷ୍ଠ ସୁଯୋଗ ଆସିଛି ବୋଲି ଆଝାର୍‌ କହିଛନ୍ତି। ସୂଚନାଯୋଗ୍ୟ, ୧୯୮୬ରେ ଇଂଲଣ୍ଡକୁ ଭାରତ ହରାଇଥିବା ବେଳେ ଆଝାର୍‌ ଅନ୍ୟତମ ସଦସ୍ୟ ଥିଲେ। ଭାରତ ଏବେ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଓ କୁଲ୍‌ଦୀପ ଯାଦବଙ୍କୁ ସ୍ପିନ୍‌ ବିଭାଗରେ ଖେଳାଇ ୩ ଜଣ ପେସରଙ୍କୁ ନେବା ଉଚିତ୍‌। ଇଂଲଣ୍ଡ ଯଦି ଘାସୁଆ ପିଚ୍‌ ରଖିବ ତେବେ ଏହାକୁ ୪-୧ କରାଯାଇ ପାରିବ। ଏ କ୍ଷେତ୍ରରେ ଅଭିଜ୍ଞତା ଦୃଷ୍ଟିରୁ ଅଶ୍ୱିନ୍‌ ଖେଳିବା କଥା। ଏଭଳି ପରିସ୍ଥିତିରେ ଇଂଲଣ୍ଡକୁ ବି ଭାରତୀୟ ପେସ୍‌ ବୋଲର ଅସୁବିଧାରେ ପକାଇପାରିବେ। ଉମେଶ ଯାଦବ ସୀମିତ ଓଭର ଶୃଙ୍ଖଳାରେ ପ୍ରଭାବୀ ରହିଥିବାରୁ ତାଙ୍କୁ ସୁଯୋଗ ମିଳିବା ଉଚିତ୍‌। ଅନ୍ୟପକ୍ଷରେ ଜେମ୍‌ସ ଆଣ୍ଡରସନ୍‌ ଏବଂ ଷ୍ଟୁଆର୍ଟ ବ୍ରଡ ସେମାନଙ୍କ ଖେଳ ଜୀବନର ଅପରାହ୍‌ଣରେ ଥିବାରୁ ସେଭଳି ପ୍ରଭାବୀ ହେବେ ନାହିଁ ବୋଲି ଆଝାର୍‌ କହିଛନ୍ତି।

ଲଣ୍ଡନ୍‌: ୨୦୦୭ ମସିହା ପରଠାରୁ ଇଂଲଣ୍ଡରେ ଭାରତକୁ ଟେଷ୍ଟ୍‍ ଶୃଙ୍ଖଳା ସଫଳତା ମିଳିନାହିଁ। ଶେଷ ଥର ପାଇଁ ୧୧ ବର୍ଷ ତଳେ ରାହୁଲ ଦ୍ରାବିଡ଼ଙ୍କ ଦଳ ୧-୦ରେ ଜିତିଥିଲା। ପରବର୍ତୀ ୨ ଗସ୍ତ ୨୦୧୧ରେ ୦-୪ ଏବଂ ୨୦୧୪ରେ ୧-୩ରେ ଏକପାଖିଆ ପରାଜୟ ବରଣ କରିଥିଲା। କିନ୍ତୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲାନ୍‌ ଲାମ୍ବଙ୍କ ବିଶ୍ୱାସ ଭାରତ ଏଥର ଦୃଢ଼ ଦାବିଦାର। ମୋ ମତରେ ବିରାଟ କୋହଲିଙ୍କ ଦଳ ଆଗାମୀ ଶୃଙ୍ଖଳାରେ ଦାବିଦାର ରହିବ। ପରିସ୍ଥିତି ଓ ପରିବେଶ ମଧ୍ୟ ଭାରତ ସପକ୍ଷରେ ରହିବ। ବିଗତ କିଛି ସପ୍ତାହ ହେଲାଣି ଇଂଲଣ୍ଡରେ ବର୍ଷା ନାହିଁ। ଫଳରେ ଶୁଷ୍କ ପିଚ୍‌ରେ ଭାରତୀୟ ସ୍ପିନର୍‌ମାନେ ପ୍ରଭାବ ବିସ୍ତାର କରିବେ ବୋଲି ଲାମ୍ବ ଆଶଙ୍କା ପ୍ରକାଶ କରିଛନ୍ତି। ଭାରତ ନିକଟରେ ୩ ଆଗଧାଡ଼ିର ସ୍ପିନର୍‌ ଅଛନ୍ତି, ସେମାନଙ୍କ ମଧ୍ୟରୁ ୨ ଜଣ ଖେଳିବା ଉଚିତ୍‌ ବୋଲି ଇଂଲଣ୍ଡ ପାଇଁ ୭୯ ଟେଷ୍ଟ୍‍ ଓ ୧୨୨ ଦିନିକିଆ ଖେଳିଥିବା ଲାମ୍ବ କହିଛନ୍ତି। ସେହିଭଳି କାଉଣ୍ଟି କ୍ରିକେଟ୍‌ ଖେଳିଥିବା ଚେତେଶ୍ୱର ପୂଜାରା, ଈଶାନ୍ତ ଶର୍ମା ଏବଂ ଆର୍‌ ଅଶ୍ୱିନ୍‌ଙ୍କ ଅଭିଜ୍ଞତା ସହାୟକ ହେବ। ଭାରତ ପାଇଁ ୩-୧ ଜିତିବା ସୁଯୋଗ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର