କଳିଙ୍ଗ ଟର୍ଫ ଯିବ ଯୁଯୁମୁରା

ସମ୍ବଲପୁର: ସମ୍ବଲପୁରର ଆଦିବାସୀ ଅଧ୍ୟୁଷିତ ଯୁଯୁମୁରାଠାରେ ସିନ୍ଥେଟିକ ହକି ଟର୍ଫ ବିଛାଯିବ। ମଙ୍ଗଳବାର ସମ୍ବଲପୁର ଗସ୍ତ ଅବସରରେ କ୍ରୀଡ଼ା ସଚିବ ବିଶାଲ ଦେବ ଏହା କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ପଡ଼ିଥିବା ନୀଳ ରଂଗ (ଗୋଲାପୀ ବର୍ଡର୍‌)ର ଟର୍ଫ ଦ୍ୱୟକୁ ଆଗାମୀ ହକି ବିଶ୍ୱ କପ୍‌ ପୂର୍ବରୁ ବଦଳାଯିବ। ସେଠାରେ ପଡ଼ିଥିବା ଟର୍ଫ ଦ୍ୱୟକୁ ଗୋଟିଏ ସୁନ୍ଦରଗଡ଼ରେ ଓ ଗୋଟିଏ ସମ୍ବଲପୁରର ଯୁଯୁମୁରାରେ ପକାଯିବ। ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଏ କଥା ସ୍ପଷ୍ଟ କରିଛନ୍ତି। ତେବେ ଆଜି ଏ ସଂପର୍କରେ ସଚିବ କହିଥିବାରୁ ଖୁବ ଶୀଘ୍ର ସିନ୍ଥେଟିକ୍‌ ଟର୍ଫ ପକାଇବା ପାଇଁ ଜାଗା ଚିହ୍ନଟ କରାଯିବ ବୋଲି ଶ୍ରୀ ବର୍ମା ସୂଚନା ଦେଇଛନ୍ତି। ଯୁଯୁମୁରା ଅଞ୍ଚଳରେ ବହୁ ପ୍ରତିଭାବାନ ହକି ଖେଳାଳି ଥିଲାବେଳେ ଏହି ଟର୍ଫ ସେମାନଙ୍କ ଅଭ୍ୟାସ ପାଇଁ ସହାୟକ ହେବ ବୋଲି ହକି ଓଡ଼ିଶାର ପୂର୍ବତନ ଉପସଭାପତି ଲକ୍ଷ୍ମୀଧର ମହାନ୍ତି ଆଶାବ୍ୟକ୍ତ କରିଛନ୍ତି। ପୂର୍ବରୁ ଉଭୟ ଟର୍ଫ ସୁନ୍ଦରଗଡ଼କୁ ସ୍ଥାନାନ୍ତରିତ ହେବାକୁ ଥିଲା। ତେବେ ରେଢ଼ାଖୋଲ ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ ଯୁଯୁମୁରାରେ ଗୋଟିଏ ଟର୍ଫ ପକାଇବାକୁ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କୁ ଅନୁରୋଧ କରିଥିଲେ। ତେଣୁ ସରକାରଙ୍କ ନିଷ୍ପତ୍ତିକୁ ଶ୍ରୀ ପୂଜାରୀ ସ୍ୱାଗତ କରିଛନ୍ତି। ଆଗକୁ ଯୁଯୁମୁରାରେ ଏକ ହକି ଏକାଡେମି ସ୍ଥାପନର ଯୋଜନା ରହିଛି ବୋଲି ଲକ୍ଷ୍ମୀଧର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର