ନଟିଂହାମ୍: ବିରାଟ କୋହଲିଙ୍କ ଆଉ ଏକ ଶତକ ବଳରେ ଭାରତ ଟ୍ରେଣ୍ଟ୍ବ୍ରିଜ୍ ଟେଷ୍ଟ୍ରେ ଘରୋଇ ଇଂଲଣ୍ଡ ସମ୍ମୁଖରେ ୫୨୧ ରନ୍ର ବିଜୟ ଲକ୍ଷ୍ୟ ରଖିଛି। ଜବାବରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିନା ଓ୍ଵିକେଟ୍ରେ ୨୩ ରନ୍ କରିଛି।
ଦ୍ୱିତୀୟ ଦିନର ସ୍କୋର୍ ୧୨୪/୨ରୁ ଖେଳିଥିବା ଭାରତ ସୋମବାର ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରାଙ୍କ ଶତକୀୟ ଭାଗୀଦାରି ବଳରେ ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଅସୀମ ଧୈର୍ଯ୍ୟ ଦେଖାଇଥିବା ପୂଜାରା (୭୨, ୨୦୮ ବଲ୍, ୭ ଚୌକା) କିନ୍ତୁ ଶତକ ହାସଲ କରିପାରିନଥିଲେ। ହେଲେ ଅଧିନାୟକ ବିରାଟ କୋହଲି (୧୦୩, ୧୯୭ ବଲ୍, ୧୦ ଚୌକା) ତାଙ୍କ ୨୩ତମ ଟେଷ୍ଟ୍ ଶତକ ହାସଲ କରି ନେଇଥିଲେ। ବର୍ମିଂହାମ୍ ଟେଷ୍ଟ୍ର ପ୍ରଥମ ପାଳିରେ ଶତକ ହାସଲ କରିଥିବା କୋହଲି ଏବେ ଚଳିତ ଇଂଲଣ୍ଡ ଗସ୍ତରେ ୩ ଟେଷ୍ଟ୍ରୁ ୨ ଶତକ ହାସଲ କରି ଦୁଇ ଦେଶ ମଧ୍ୟରେ ଅଗ୍ରଣୀ ରନ୍ ସ୍କୋରର୍ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ସେ ଇଂଲଣ୍ଡ ମାଟିରେ ଆଦୌ ଶତକ ହାସଲ କରିନଥିଲେ। ଏବେ କିନ୍ତୁ ଅଧୁରା ସ୍ୱପ୍ନକୁ ସାକାର କରି ନେଇଛନ୍ତି। ପ୍ରଥମ ପାଳିରେ ଶତକ (୯୭)ରୁ ବଞ୍ଚିତ କୋହଲି ଏଥର ମଧ୍ୟ ସମାନ ସ୍ଥିତିରେ ପହଞ୍ଚିଥିଲେ। ବ୍ୟକ୍ତିଗତ ଭାବେ ୯୩ ରନ୍ରେ ଥିବାବେଳେ ଆଣ୍ଡରସନ୍ଙ୍କ ବୋଲିଂରେ ସ୍ଲିପ୍ରେ ଜେନିଙ୍ଗ୍ସ କ୍ୟାଚ୍ ଛାଡ଼ିଥିଲେ। କୋହଲି ଏହାର ଫାଇଦା ଉଠାଇଥିଲେ। ଓ୍ଵକ୍ସଙ୍କୁ ଚୌକା ମରି ତିନି ଅଙ୍କ ଛୁଇଁଥିଲେ। କିନ୍ତୁ ଓ୍ଵକ୍ସ ତାଙ୍କୁ ପର ଓଭରରେ ଆଉଟ୍ କରି ଦେଇଥିଲେ। କୋହଲିଙ୍କ ବିଦାୟ ପରେ ପନ୍ତ ଏବଂ ସାମି ବିଫଳ ହୋଇଥିଲେ ମଧ୍ୟ ହାର୍ଦିକ ପାଣ୍ଡ୍ୟା ତାଙ୍କ ୫ ଓ୍ଵିକେଟ୍ ସଫଳତାକୁ ଆଗକୁ ନେଇ ବିସ୍ଫୋରକ ଅର୍ଧଶତକ (୫୨*, ୫୨ ବଲ୍, ୭ ଚୌକା, ୧ ଛକା) ଅର୍ଜନ କରିଥିଲେ। ଭାରତ ୩୫୨/୭ରେ ପାଳି ଘୋଷଣା କରି ଦେଇଥିଲା।
ଇଂଲଣ୍ଡ ଦ୍ୱିତୀୟ ପାଳି ଆରମ୍ଭ କରିବା ପୂର୍ବରୁ କିନ୍ତୁ ଜନି ବେୟାରଷ୍ଟୋଙ୍କ ଆହତ କାରଣରୁ ଝଟ୍କା ପାଇଛି। ଭାରତ ପାଳିର ୪୪ତମ ଓଭରରେ ଆଣ୍ଡରସନ୍ଙ୍କ ବଲ୍କୁ ପୂଜାରା ଛାଡ଼ିଦେବା ପରେ ଏହା ବେୟାରଷ୍ଟୋଙ୍କ ବାମହାତରେ ଜୋରରେ ବାଜିଥିଲା। ହାତ ଆଙ୍ଗୁଠି ଭାଙ୍ଗିଥିବା ଜଣାପଡ଼ିବାରୁ ଇଂଲଣ୍ଡ ଦ୍ୱିତୀୟ ପାଳିରେ ସେ ବ୍ୟାଟିଂ କରିବା ନେଇ ସନ୍ଦେହ ରହିଛି।
ଭାରତ-ଇଂଲଣ୍ଡ୍ ସ୍କୋର୍ କାର୍ଡ
ଭାରତ ପ୍ରଥମ ପାଳି: ୩୨୯
ଇଂଲଣ୍ଡ୍ ପ୍ରଥମ ପାଳି: ୧୬୧
ଭାରତ ଦ୍ୱିତୀୟ ପାଳି: ୩୫୨/୭ (ଘୋଷିତ)
ଶିଖର ଧାଓ୍ଵନ୍-ଷ୍ଟ-ବେୟାରଷ୍ଟୋ-ବୋ-ରସିଦ-୪୪
ରାହୁଲ୍-ବୋ-ବେନ୍ ଷ୍ଟୋକ୍ସ-୩୬
ଚେତେଶ୍ୱର ପୂଜାରା-କ-କୁକ୍-ବୋ-ଷ୍ଟୋକ୍ସ୭୨
ବିରାଟ କୋହଲି-ଏଲ୍ବି-ଓ୍ଵକ୍ସ-୧୦୩
ଅଜିଙ୍କ୍ୟ ରାହାଣେ-ବୋ-ରସିଦ୍ ୨୯
ଋଷବ ପନ୍ତ୍-କ-କୁକ୍-ବୋ-ଆଣ୍ଡରସନ୍- ୦୧
ହାର୍ଦିକ ପାଣ୍ଡ୍ୟା-ଅପରାଜିତ- ୫୨
ମହମ୍ମଦ ସାମି-କ-କୁକ୍-ବୋ-ରସିଦ୍ ୦୩
ରବିଚନ୍ଦ୍ରନ୍ ଅଶ୍ୱିନ୍-ଅପରାଜିତ- ୦୧
ଅତିରିକ୍ତ: (ବାଇ-୧, ଏଲ୍ବି-୯, ଓ୍ଵାଇଡ-୧)-୧୧
ମୋଟ-(୧୧୦ ଓଭର, ୭ ଓ୍ଵିକେଟ୍)-୩୫୨
ଓ୍ଵିକେଟ୍ ପତନ-୧/୬୦, ୨/୧୧୧, ୩/୨୨୪, ୪/୨୮୧, ୫/୨୮୨, ୬/୩୨୯, ୭/୩୪୯।
ବୋଲିଂ: ଜେମ୍ସ ଆଣ୍ଡରସନ୍ ୨୨-୭-୫୫-୧, ଷ୍ଟୁଆର୍ଟ ବ୍ରଡ୍ ୧୬-୩-୬୦-୦, କ୍ରିସ୍ ଓ୍ଵକ୍ସ ୨୨-୪-୪୯-୧, ବେନ୍ ଷ୍ଟୋକ୍ସ ୨୦-୩-୬୮-୨, ଆଦିଲ୍ ରସିଦ୍ ୨୭-୨-୧୦୧-୩, ଜୋ ରୁଟ୍ ୩-୦-୯-୦।
ଇଂଲଣ୍ଡ୍ ଦ୍ୱିତୀୟ ପାଳି:
ଆଲେଷ୍ଟର କୁକ୍-ଅପରାଜିତ- ୦୯
ଜେନିଙ୍ଗ୍ସ-ଅପରାଜିତ-୧୩
ଅତିରିକ୍ତ: (ନୋ-୧) ୦୧
ମୋଟ-(୯ ଓଭର)-୨୩
ବୋଲିଂ: ଜସ୍ପ୍ରିତ୍ ବୁମ୍ରା ୩-୧-୧୬-୦, ଇଶାନ୍ତ ଶର୍ମା ୪-୧-୫-୦, ଆର ଅଶ୍ୱିନ ୨-୧-୨-୦।