ୱେଲିଂଟନ୍: ସ୍ମୃତି ମନ୍ଧାନାଙ୍କ ଦ୍ରୁତତମ ଟ୍ବେଣ୍ଟି-୨୦ ଅର୍ଧଶତକକୁ ବେକାର କରି ଘରୋଇ ନ୍ୟୁଜିଲାଣ୍ଡ୍ ମହିଳା ଦଳ ପ୍ରଥମ ମ୍ୟାଚ୍କୁ ଜିତିନେଇଛି। ବୁଧବାର ଏଠାରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦କୁ ୨୩ ରନ୍ରେ ଜିତି ନ୍ୟୁଜିଲାଣ୍ଡ୍ ମଧ୍ୟ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଛି। ପ୍ରାରମ୍ଭିକ ବ୍ୟାଟର୍ ମନ୍ଧାନା ୨୪ ବଲ୍ରୁ ୫୦ ରନ୍ କରି ଟ୍ବେଣ୍ଟି-୨୦ରେ ଦ୍ରୁତତମ ଅର୍ଧଶତକ ଜମାଇବାରେ ଭାରତୀୟ କୀର୍ତିମାନ ରଚିଥିଲେ। ଏଥି ସହିତ ସେ ମଧ୍ୟ ନିଜର ପୂର୍ବ କୀର୍ତିମାନକୁ ଟପି ଯାଇଥିଲେ। ଗତବର୍ଷ ମାର୍ଚରେ ଇଂଲଣ୍ଡ୍ ବିପକ୍ଷରେ ୨୫ ବଲ୍ରୁ ଅର୍ଧଶତକ ହାସଲ କରି ମନ୍ଧାନା ନିଜ ନାମରେ ଦ୍ରୁତତମ ଭାରତୀୟ କୀର୍ତିମାନ ରଖିଥିଲେ। ବୁଧବାର ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଗୋଟିଏ ବଲ୍ ପୂର୍ବରୁ ଅର୍ଧଶତକ ଜମାଇ ଏହାକୁ ଟପି ଯାଇଥିଲେ। ତେବେ ତାଙ୍କର ଏହି କୀର୍ତିମାନ ଭରା ପାଳି ସତ୍ତ୍ବେ ଭାରତ ପରାଜୟରୁ ଶୃଙ୍ଖଳା ଆରମ୍ଭ କରିଛି।
ବୁଧବାର ଟସ୍ ଜିତି ହର୍ମନ୍ପ୍ରୀତ୍ କୌରଙ୍କ ଦଳ ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ତେବେ ଘରୋଇ ଦଳ ଆରମ୍ଭରୁ ଆକ୍ରମଣ କରିଥିଲା। ସୁଜି ବେଟ୍ସ (୭) ଦ୍ବିତୀୟ ଓଭରରେ ଆଉଟ୍ ହୋଇଯାଇଥିଲେ ମଧ୍ୟ ଦେବିନେ (୬୨ ରନ୍, ୪୮ ବଲ୍, ୬ ଚୌକା, ୨ ଛକା)ଙ୍କ ବିସ୍ଫୋରକ ଅର୍ଧଶତକ ସାଙ୍ଗକୁ ଅଧିନାୟିକା ସାଟର୍ଥୱେଟ୍ (୩୩), ୱିକେଟ୍ରକ୍ଷିକା ମାର୍ଟିନ୍ (୨୭, ୧୪ ବଲ୍, ୨ ଛକା, ୧ ଚୌକା) ଓ ମ୍ୟାକେ (୧୦)ଙ୍କ ବଳରେ ନ୍ୟୁଜିଲାଣ୍ଡ୍ ୪ ୱିକେଟ୍ ବିନିମୟରେ କରିଥିଲା ୧୫୯ ରନ୍। ଦେବିନେ ଓ ସାଟର୍ଥୱେଟ୍ ତୃତୀୟ ୱିକେଟ୍ରେ ୬୯ ରନ୍ ଯୋଡ଼ି ସ୍ଥିତି ଦୃଢ଼ କରିଥିଲେ। ଜବାବରେ ମନ୍ଧାନା (୫୮ ରନ୍, ୩୪ ବଲ୍, ୭ ଚୌକା, ୩ ଛକା) ଓ ଜେମିମା ରୋଦ୍ରିଗୁଏଜ୍ (୩୯)ଙ୍କ ଉପଯୋଗୀ ପାଳି ସତ୍ତ୍ବେ ୧୯.୧ ଓଭରରେ ୧୩୬ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ମନ୍ଧାନା ଓ ରୋଦ୍ରିଗୁଏଜ୍ ଦ୍ବିତୀୟ ୱିକେଟ୍ରେ ୯୮ ରନ୍ ଯୋଡ଼ି ବିଜୟ ସୁଯୋଗ ଦେଇଥିଲେ ମଧ୍ୟ ହର୍ମନ୍ପ୍ରୀତ୍ (୧୭)ଙ୍କ ବ୍ୟତୀତ ଅନ୍ୟ କେହି ଏକ ଅଙ୍କ ଟପିନପାରିବାରୁ ଭାରତ ପରାଜୟ ପାଇଁ ବାଧ୍ୟ ହୋଇଥିଲା। ଏକ ସମୟରେ ୧୦୨ରେ ଗୋଟିଏ ୱିକେଟ୍ ହରାଇଥିବା ଭାରତକୁ ଆଉ ୫୧ ବଲ୍ରୁ ଜିତିବା ପାଇଁ ୫୮ ରନ୍ ଦରକାର ଥିଲା। ହେଲେ ୧୧୧ ରନ୍ ବେଳେ ଯୁଗଳ ଝଟ୍କା ସାଙ୍ଗକୁ ଶେଷ ୫ ୱିକେଟ୍ ୧୯ ରନ୍ ମଧ୍ୟରେ ହରାଇ ଭାରତ ପରାଜୟକୁ ଆଦରି ନେଇଥିଲା। ଘରୋଇ ଦଳ ପକ୍ଷରୁ ଦ୍ରୁତ ବୋଲର ଲି ତାହୁହୁ (୩/୨୦), ଅଫ୍ ସ୍ପିନର ଲି କାସ୍ପରେକ୍ (୨/୨୫) ଓ କଚଟି ସ୍ପିନର ଆମେଲିଆ କେର୍ (୨/୨୮) ୭ ୱିକେଟ୍ ବାଣ୍ଟି ନେଇଥିଲେ। ତାହୁହୁଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ସଂକ୍ଷିପ୍ତ ସ୍କୋର୍: ନ୍ୟୁଜିଲାଣ୍ଡ୍ ୧୫୯/୪ (ଦେବିନେ-୬୨, ସାଟର୍ଥୱେଟ୍-୩୩, ମାର୍ଟିନ୍-୨୭*, ଅରୁନ୍ଧତୀ ରେଡ୍ଡୀ-୧/୩୮, ରାଧା ଯାଦବ-୧/୩୮, ଦୀପ୍ତି ଶର୍ମା-୧/୧୯, ପୂନମ୍ ଯାଦବ-୧/୩୦)। ଭାରତ ୧୯.୧ ଓଭରରେ ୧୩୬ (ସ୍ମୃତି ମନ୍ଧାନା-୫୮, ଜେମିମା ରୋଦ୍ରିଗୁଏଜ୍-୩୯, ହର୍ମନ୍ପ୍ରୀତ୍ କୌର-୧୭, ଲି ତାହୁହୁ-୩/୨୦, ଲି କାସ୍ପରେକ୍-୨/୨୫, ଆମେଲିଆ କେର୍-୨/୨୮)।