ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ: ଟସ ଜିଣିଲା ଶ୍ରୀଲଙ୍କା, ଭାରତ କରିବ ବ୍ୟାଟିଂ

ଧର୍ମଶାଳା: ଦେଶର ସର୍ବୋଚ୍ଚ ଷ୍ଟାଡିୟମ ’ଧର୍ମଶାଳା ଷ୍ଟାଡିୟମ’ରେ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଉଛି। ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ମ୍ୟାଚରେ ୧-୦ରେ ବିଜୟୀ ହୋଇଥିବା ଭାରତ ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ପଡ଼ିଆକୁ ଓହ୍ଲାଇବ। ଏଥି ପାଇଁ ଟସ ପଡ଼ି ସାରିଛି। ଟସ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଛି।

ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ଇଟାଲିର ’ମିଲାନ’ ସହରକୁ ଗସ୍ତ କରିଥିବା ଟିମ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ମ୍ୟାଚ ଖେଳୁଛି। ରୋହିତ ଶର୍ମା ଓ ଶିଖର ଧାୱନ ଚମତ୍କାର ଫର୍ମରେ ଥିବାରୁ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଜିଣିବା ପାଇଁ ଉତ୍ସାହିତ ଅଛି। ସେହିପରି ଆଜିଙ୍କ୍ୟ ରାହାଣେ, କେଦାର ଯାଧବ, ମନୀଷ ପାଣ୍ଡେ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନି ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ କମାଲ କରିବେ। ଅପରପକ୍ଷେ ଶ୍ରୀଲଙ୍କା ଗତ ଶୃଙ୍ଖଳାରେ ପାକିସ୍ତାନ ଠାରୁ ୦-୫ରେ ପରାଜୟ ହେବା ପରେ ତା’ର ପ୍ରଦର୍ଶନରେ ଉନ୍ନତୀ ଆଣିଛି। ଏହା ଏକ ଆକର୍ଷଣୀୟ ମ୍ୟାଚ ହେବ ବୋଲି କ୍ରିକେଟ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛ‘ି।

ଉଲ୍ଲେଖଯୋଗ୍ୟ, ଆଇପିଏଲ ସଫଳ ଅଧିନାୟକ ରୋହିତ ଶର୍ମା ଏବଂ ଅନ୍ୟତମ ଆଇପିଏଲ୍‌ ଖେଳାଳି ତିସରା ପେରେରାଙ୍କ ମଧ୍ୟରେ ରବିବାରଠାରୁ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ୫୦ ଓଭରିଆ ଲଢ଼େଇ। ଶେଷ ଥର ପାଇଁ ଶ୍ରୀଲଙ୍କା ଯେତେବେଳେ ଭାରତରେ ଖେଳିଥିଲା ରୋହିତ ଶର୍ମା ବିଶ୍ୱ କୀର୍ତିମାନ ଭରା ୨୬୪ ରନ ପାଳି ଖେଳିଥିଲେ। ଭାରତ ଏବେ ୭ ଶୃଙ୍ଖଳା ବିଜୟ ଧାରାରେ ଥିବାବେଳେ ଶ୍ରୀଲଙ୍କା ୧୨ମ୍ୟାଚ୍‌ ପରାଜୟ କ୍ରମରେ ରହିଛି। ସେଭଳି କିଛି କରିସ୍ମା ହେବା ଭଳି ଲାଗୁନାହିଁ। କେବଳ ଭାରତକୁ ମୂଳପୋଛ ବିଜୟରୁ ରୋକିପାରିଲେ ଶ୍ରୀଲଙ୍କା ପାଇଁ ଯଥେଷ୍ଟ ହେବ ବୋଲି ବିଶ୍ୱାସ କରାଯାଉଛି। ଭାରତ ୧ ନମ୍ବର ସ୍ଥାନ ଦଖଲ କରିବାକୁ ହେଲେ ମୂଳପୋଛ ବିଜୟ ଲୋଡ଼ା କରିବ। ଉତ୍ତର ଭାରତରେ ଥିବା ୨ଟି ମ୍ୟାଚ୍‌କୁ କିନ୍ତୁ କାକର ପ୍ରଭାବିତ କରିବା ଆଶଙ୍କା ରହିଛି। ଶ୍ରୀଲଙ୍କାଙ୍କୁ ହାଲକାରେ ନେବା ଭାରତ ପାଇଁ ନିଶ୍ଚିତ ମହଙ୍ଗା ପଡ଼ିବ। ଶେଷ ଥର ପାଇଁ ଶ୍ରୀଲଙ୍କା ସହିତ ଭାରତ ଚଳିତ ବର୍ଷ ଚାମ୍ପିଅନ୍‌ସ ଟ୍ରଫିରେ ଖେଳିଥିଲା ଏବଂ ଜିତିଥିଲା। ସେହିଭଳି ଭାରତ ମଧ୍ୟ ଚଳିତ ବର୍ଷ ଶ୍ରୀଲଙ୍କା ଗସ୍ତରେ ୫-୦ରେ ଜିତିଥିଲା।

କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ଚୂଡାନ୍ତ ଏକାଦଶରେ ଖେଳିବା ନିଶ୍ଚିତ। ଦୀନେଶ କାର୍ତିକ ପୁଣି ୪ ନମ୍ବର ସ୍ଥାନ ପାଇଁ ବିକଳ୍ପ ଭାବେ ରହିଛନ୍ତି। ଧାଓ୍‌ନଙ୍କ ଜ୍ୱର ହୋଇଥିବାରୁ ସେ ଶୁକ୍ରବାର ଅଭ୍ୟାସ କରିନଥିଲେ। କିନ୍ତୁ ଶନିବାର ସେ ନେଟ୍‌ସରେ ସାମିଲ ହୋଇଥିଲେ। ଯୁବ ବ୍ୟାଟିଂ ପ୍ରତିଭା ଶ୍ରେୟସ ଆୟର୍‌ ପଦାର୍ପଣ ସୁଯୋଗ ପାଇବା ସମ୍ଭାବନା ରହିଛି। କେଦାର ଯାଦବଙ୍କ ବଦଳରେ ମଧ୍ୟକ୍ରମରେ ମନୀଷ ପାଣ୍ଡେ କିମ୍ବା ଦୀନେଶ କାର୍ତିକ ଖେଳିବେଯଶ୍ରୀଲଙ୍କା ଦିିନିକିଆ ଦଳକୁ ଆଞ୍ଜେଲୋ ମାଥ୍ୟୁସ, ଦାନୁସ୍କ ଗୁଣତିଳକ ଓ ଆସେଲା ଗୁଣରତ୍ନେଙ୍କ ପ୍ରତ୍ୟାବର୍ତନ ନିଶ୍ଚିତ ଭାରତ ପାଇଁ ପ୍ରତିବଂଧକ ହେବ। ଦିଲ୍ଲୀରେ ଶତକ ମାରିଥିବା ଧନଞ୍ଜୟ ଡି’ସିଲଭା ଆହତ ତାଲିକାରେ ଥିବାରୁ ପ୍ରଥମ ଦିନିକିଆ ଖେଳିନପାରନ୍ତି। ଚଳିତ ବର୍ଷର ଅଗ୍ରଣୀ ସିଂହଳୀ ବୋଲର ସୁରଙ୍ଗା ଲାକମଲ୍‌ କିନ୍ତୁ ଉପଲବ୍ଧ ଅଛନ୍ତି। ଧର୍ମଶାଳାରେ ମାତ୍ର ୩ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ପ୍ରଥମେ ବ୍ୟାଟିଂ ସ୍କୋର୍‌ ୧୯୦ରୁ ୩୩୦ ରନ୍‌ ଭିତରେ ରହିଛି। ସେ ଦୃଷ୍ଟିରୁ ଆକଳନ ଲଗାଇବା କଷ୍ଟକର ହୋଇଛି। ତିସରା କହିଛନ୍ତି ଏହା ବ୍ୟାଟିଂ ପିଚ୍‌ ହେବ।

ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍‌ନ, ଅଜିଙ୍କ୍ୟ ରାହାଣେ, ଦୀନେଶ କାର୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ଓ୍‌ିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ/ଅକ୍ଷର ପଟେଲ୍‌, ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ୍‌।

ଶ୍ରୀଲଙ୍କା: ଉପୁଲ ଥରଙ୍ଗା, ଦାନୁଷ୍କ ଗୁଣତିଳକ, ସଦୀରା ସମରବିକ୍ରମା/କୁସଲ ପେରେରା/ଲାହିରୁ ଥିରିମାନେ, ନିରୋଶନ ଡିକେଓ୍‌ଲା (ଓ୍‌ିକେଟରକ୍ଷକ), ଆଞ୍ଜେଲୋ ମାଥ୍ୟୁସ, ତିସରା ପେରେରା (ଅଧିନାୟକ), ଆସେଲା ଗୁଣରତ୍ନେ, ଚତୁରଙ୍ଗା ଡି’ ସିଲଭା/ସଚିତ ପଥିରଣା,/ଦୁଷ୍ମନ୍ତ ଚାମିରା, ସୁରଙ୍ଗା ଲାକମଲ, ନୁଓ୍‌ାନ ପ୍ରଦୀପ, ଅଖିଳ ଧନଞ୍ଜୟ।

ସମ୍ବନ୍ଧିତ ଖବର