ଦ୍ବିତୀୟ କ୍ରିକେଟ୍‌ ଏକାଡେମୀ ପାଇଁ ଜମି ଖୋଜୁଛି ଓସିଏ

ପୂର୍ବ ଏକାଡେମୀରେ ସ୍କୁଲ୍‌ସ୍ତରୀୟ ଖେଳାଳିଙ୍କୁ ତାଲିମ ଦିଆଯିବ

କଟକ : ଓଡ଼ିଶା କ୍ରିକେଟ ଖେଳାଳିଙ୍କ ପାଇଁ ରାଜ୍ୟରେ ଆରମ୍ଭ ହେବ ଦ୍ବିତୀୟ ଏକାଡେମୀ। ଏଥିପାଇଁ ଜମି ଖୋଜା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଯଦିଓ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ, ତଥାପି ନୂଆ ପେଶାଦାର ଏକାଡେମୀ ନିର୍ମାଣ କରିବାକୁ ସମ୍ପାଦକଙ୍କ ନେତୃତ୍ବରେ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଛି। କରୋନା ତାଲାବନ୍ଦ କଟକଣା ହଟିବା ପରେ ଆପେକ୍ସ କାଉନସିଲ ଓ ସାଧାରଣ ପରିଷଦ ବୈଠକ ଡକାଯାଇ ଏବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ଓସିଏ ସମ୍ପାଦକ ସ˚ଜୟ ବେହେରା ସୂଚନା ଦେଇଛନ୍ତି।

ନୂଆ ଏକାଡେମୀରେ ଖେଳାଳିମାନଙ୍କ ରହିବା ବ୍ୟବସ୍ଥା ସହ ବର୍ଷତମାମ୍‌ ସ୍ବତନ୍ତ୍ର ବ୍ୟାଟି˚, ବୋଲି˚, କ୍ଷେତ୍ରରକ୍ଷଣ, ଵିକେଟ ରକ୍ଷଣ ଉପରେ ପ୍ରଶିକ୍ଷଣ ଦିଆଯିବ। ଅନ୍ତଃଜିଲ୍ଲା ପ୍ରତିଯୋଗିତାରୁ ଖେଳାଳିମାନଙ୍କୁ ନେଇ ଏହି ଏକାଡେମୀରେ ପ୍ରଶିକ୍ଷଣ ଦିଆଯିବ। ଯଦି ମ୍ୟାଚଗୁଡ଼ିକ ସମୟରେ କୌଣସି ଖେଳାଳିଙ୍କ ଶୈଳୀକୁ ନେଇ ପ୍ରଶ୍ନ ଉଠେ, ତାହେଲେ ଏଠାରେ ତାହାକୁ ସୁଧାରିବା ପାଇଁ ବିଶେଷଜ୍ଞ ପ୍ରଶିକ୍ଷକ ରହିବେ। ବିଭନ୍ନ ସମୟରେ କ୍ରିକେଟ ପାଠ୍ୟକ୍ରମ ସମ୍ବନ୍ଧୀୟ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଜାତୀୟ କ୍ରିକେଟ ଏକାଡେମୀ ଭଳି ଓସିଏର ଉକ୍ତ ଏକାଡେମୀ ନିର୍ମାଣ କରାଯିବାକୁ ଯୋଜନା କରାଯାଉଥିବା କୁହାଯାଇଛି। ବର୍ତ୍ତମାନ ବାରବାଟୀ ଷ୍ଟାଡିୟମ ପାଖରେ ଥିବା ଓଡ଼ିଶା କ୍ରିକେଟ ଏକାଡେମୀ ବିଦ୍ୟାଳୟସ୍ତରୀୟ ଖେଳାଳିଙ୍କ ପାଇଁ ଉଦ୍ଧିଷ୍ଟ ହେବ। ଏଠାରେ ୧୨ରୁ ୧୯ ବର୍ଷରୁ କମ୍‌ ଖେଳାଳିଙ୍କ ପାଇଁ ଆବାସିକ ଏକାଡେମୀର ବ୍ୟବସ୍ଥା ରହିବ ବୋଲି ଯୋଜନା ହୋଇଥିବା ସୂଚନା ମିଳିଛି।

ଷ୍ଟାଡିୟମ ପାଖରେ ଥିବା ଉକ୍ତ ଏକାଡେମୀ ୨୦୦୯ ଫେବ୍ରୁଆରି ୮ ତାରିଖରେ ତତ୍କାଳୀନ ଜାତୀୟ କ୍ରିକେଟ ଏକାଡେମୀ ନିର୍ଦ୍ଦେଶକ ତଥା ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଓ ପ୍ରଶିକ୍ଷକ ଡେଭ୍‌ ହ୍ବାଟମୋରଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା। ଏଥିପାଇଁ ପାଖାପାଖି ୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ ବିସିସିଆଇ ୫୦ ପ୍ରତିଶତ ସହାୟତା ଯୋଗାଇଦେଇଥିଲା। ବର୍ଷତମାମ ଅଭ୍ୟାସ ପାଇଁ ଏଠାରେ ମୋଟ ୧୦ଟି ପିଚ୍‌ ରହିଛି। ଯେଉଁଥିରେ ୨ ସିନ୍ଥେଟିକ୍‌, ୨ କ˚କ୍ରିଟ୍‌ ଓ ୬ ଟର୍ଫ ପିଚ୍‌ ଅନ୍ତର୍ଭୁକ୍ତ। ସେହିପରି ଖେଳାଳିଙ୍କ ପାଇଁ ଡର୍ମିଟୋରି, ଜିମ୍‌, ଅଫିସ ରୁମ୍‌, ଡାଇନି˚ ହଲ୍‌ ଇତ୍ୟାଦିର ସୁବିଧା ରହିଛି। କିନ୍ତୁ ପାଖାପାଖି ୪ ବର୍ଷ ଧରି କ୍ରିକେଟ ଏକାଡେମୀରେ କୌଣସି ପ୍ରକାରର କାର୍ଯ୍ୟକଳାପ ହେଉନାହିଁ। ଯାହାଫଳରେ ଅନେକ ଭିତ୍ତିଭୂମି ନଷ୍ଟ ହେବାକୁ ବସିଲାଣି। ତେବେ ଦୀର୍ଘ ବର୍ଷ ଧରି ଏଠାରେ ଓସିଏ ସ୍ବୀକୃତିପ୍ରାପ୍ତ ଏକ କ୍ଲବ୍‌ର ଖେଳାଳିମାନେ ପିଚ୍‌ ଓ ପଡ଼ିଆକୁ ବ୍ୟବହାର କରିଆସୁଛନ୍ତି। କିନ୍ତୁ ନୂଆ କର୍ମକର୍ତ୍ତା ଆସିବା ପରେ ଓଡ଼ିଶା କ୍ରିକେଟ ଏକାଡେମୀର ପୂର୍ବ ଚେହେରା ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା ବେଳେ ଆଉ ଏକ ପୂର୍ଣ୍ଣାଙ୍ଗ ଏକାଡେମୀ ପାଇଁ ଯୋଜନା କରାଯାଇଛି।

କ୍ରୀଡ଼ା ବିଭାଗ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ
ଭୁବନେଶ୍ବର : କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବୁଧବାର କ୍ରୀଡ଼ା ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଲକଡାଉନ୍ ନିୟମ ତଥା ସାମାଜିକ ଦୂରତା ନିୟମକୁ କଡ଼ା କଡ଼ି ଭାବେ ପାଳନ କରି ଖୁବ୍ କମ୍ ଅଧିକାରୀଙ୍କୁ ନେଇ ମନ୍ତ୍ରୀ ଏହି ସମୀକ୍ଷା ବୈଠକ କରିଥିଲେ। ଏହି ଅବସରରେ ସେ କ୍ରୀଡ଼ା ଭିତ୍ତିଭୂମୀର ସମୀକ୍ଷା କରିବା ସହ କରୋନା ପାଇଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିଥିଲେ। ଏଥିସହ ଓଡ଼ିଶାରେ ଆଗାମୀ ସମୟରେ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ସ୍ଥିତି, ଖେଳାଳିଙ୍କ ଅଭ୍ୟାସ ଲାଗି ଆଥଲେଟିକ୍ ଷ୍ଟାଡିୟମ୍, ସ୍ପୋର୍ଟସ କଂପ୍ଲେକ୍ସର ସୁପରିଚାଳନା ସହ ସାନିଟାଇଜେସନ୍ ଏବଂ ସାଧାରଣ ପରିଚାଳନା ପ୍ରକ୍ରିୟା (ଏସଓପି)କୁ କଡ଼ାକଡ଼ି ଭାବେ ପାଳନ ଉପରେ ଗୁରୁତ୍ବ ଦେଇଥିଲେ। ଜିଲ୍ଲା ସ୍ପୋର୍ଟସ କଂପ୍ଲେକ୍ସ, କ୍ରୀଡ଼ା ଛାତ୍ରାବାସର ମାନବ ସମ୍ବଳ ଓ ପରିଚାଳନା ନେଇ ମଧ୍ୟ ଆଲୋଚନା କରିଥିଲେ। ବିପିଏଡ୍ କଲେଜ୍ ଓ କ୍ରୀଡ଼ା ଛାତ୍ରାବାସ ଖୋଲିବା, ନୂତନ ଭାବେ ନିର୍ମାଣ ହୋଇଥିବା ଷ୍ଟାଡିୟମ୍, ମୁକ୍ତାକାଶ ଜିମ୍ ଓ ବିଜୁ ଯୁବ ବାହିନୀର ବିଭିନ୍ନ କାର୍ଯ୍ୟକ୍ରମ ନେଇ ମନ୍ତ୍ରୀ ଶ୍ରୀ ବେହେରା ସମୀକ୍ଷା କରିବା ସହ ‌କୋଭିଡ୍-୧୯ ମାର୍ଗଦର୍ଶିକା ଓ ସାମାଜିକ ଦୂରତା ନିୟମକୁ ମାନି ବିଭାଗର କାର୍ଯ୍ୟ ଆଗକୁ ନେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ତା ସହିତ ଉତ୍ସାହର ସହ କାର୍ଯ୍ୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିସନର ତଥା ଶାସନ ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ଆର ଭିନିଲକୃଷ୍ଣ, ଉପଶାସନ ସଚିବ ରଞ୍ଜିତ ପରିଡ଼ା, ଓକାକ ସିଓଏ ମନୋଜ ପଟ୍ଟନାୟକ ଓ ଯୁଗ୍ମ ଶାସନ ସଚିବ ସୁଜିତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର