ଗଭୀର ନୁହେଁ ‘ଗୋଲାପି ‌ଟେଷ୍ଟ୍‌’ ଇତିହାସ, କୋଲକାତାରେ ଦ୍ବାଦଶ ମ୍ୟାଚ୍

ଭାରତ ସପ୍ତମ ଆୟୋଜକ

କୋଲକାତା: ଐତିହାସିକ ଇଡେନ୍ ଗାର୍ଡେନ୍ ପଡ଼ିଆରେ ଖେଳାଯିବ ଭାରତର ପ୍ରଥମ ଦିବା ରାତ୍ର ଟେଷ୍ଟ୍‌। ଶୁକ୍ରବାରଠାରୁ ଦୁଇ ପଡ଼ୋଶୀ ଭାରତ ଏବଂ ବାଂଲାଦେଶ ଏଥିରେ ମୁହାଁମୁହିଁ ହେବେ। ପାରମ୍ପରିକ ଲାଲ୍ ବଲ୍ ପରିବର୍ତେ ଗୋଲାପି ବଲ୍‌ରେ ଖେଳାଯିବ ଏହି ମାଇଲଖୁଣ୍ଟ ମ୍ୟାଚ୍। ସେଥିପାଇଁ ଏହାକୁ ଗୋଲାପି ‌ଟେଷ୍ଟ୍‌ର ମାନ୍ୟତା ବି ମିଳିଛି। ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ଗୋଲାପି ଟେଷ୍ଟ୍ ଖେଳିବାକୁ ଯାଉଥିବାରୁ ଏହାକୁ ନେଇ କ୍ରିକେଟରଙ୍କଠାରୁ କ୍ରିକେଟ୍‌ପ୍ରେମୀଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ୍ ଉତ୍ସାହିତ। ଆୟୋଜକ ସହର କୋଲକାତା ମଧ୍ୟ ଏବେ ଗୋଲାପି‌ ଗୋଲାପି ଦେଖାଯାଉଛି।

କୋଲକାତାରେ ଦ୍ବାଦଶ ମ୍ୟାଚ୍
ଦିବା ରାତ୍ର ଟେଷ୍ଟ୍ ବା ଗୋଲାପି ବଲ୍‌ ଟେଷ୍ଟ୍ ଇତିହାସ କିନ୍ତୁ ସେ‌ତେଟା ଗଭୀର ନୁହେଁ। ଟେଷ୍ଟ୍ କ୍ରିକେଟ୍‌ର ସୃଷ୍ଟିକୁ ୧୩୮ ବର୍ଷ ପୂରି ଯାଇଥିଲେ ମଧ୍ୟ ଦିବା ରାତ୍ର ଟେଷ୍ଟ୍ ଇତିହାସ ମାତ୍ର ୪ ବର୍ଷର। ୨୦୧୫ ନଭେମ୍ବର ମାସରେ ହିଁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା ପ୍ରଥମ ଦିବା ରାତ୍ର ଟେଷ୍ଟ୍। ସେବେଠାରୁ କେବଳ ୧୧ ଦିବରାତ୍ର ଟେଷ୍ଟ୍ ଖେଳାଯାଇଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ କୋଲକାତାରେ ଖେଳାଯିବାକୁ ଥିବା ମ୍ୟାଚ୍ ଦିବା ରାତ୍ର ଭିତ୍ତିରେ ଦ୍ବାଦଶ ଟେଷ୍ଟ୍ ଲଢ଼େଇ ହେବ। ଟେଷ୍ଟ୍ କ୍ରିକେଟ୍‌ର କମି କମି ଯାଉଥିବା ଦର୍ଶକ ସଂଖ୍ୟାର ପୁନରୁଦ୍ଧାର ପାଇଁ ଆଇସିସି ୨୦୧୨ ମସିହାରେ ଦିବା ରାତ୍ର ଟେଷ୍ଟ୍‌କୁ ସବୁଜ ସଙ୍କେତ ଦେଇଥିଲା। ତେବେ ୩ ବର୍ଷ ପରେ କ୍ରିକେଟ୍ ପ୍ରେମୀ ଆଡିଲେଡଠାରେ ପ୍ରଥମ ଦିବା ରାତ୍ର ଟେଷ୍ଟ୍ ଦେଖିବାକୁ ପାଇଥିଲେ। ରାତିରେ ଲାଲ୍ ଏବଂ ଧଳା ବଲ୍ ଦେଖିବା କଷ୍ଟକର ହେଉଥିବାରୁ ବହୁ ପରୀକ୍ଷା ନିରୀକ୍ଷା ପରେ ଗୋଲାପି ବଲ୍‌ରେ ଏହାକୁ ଖେଳା ଯାଇଥିଲା। ଫ୍ଲଡ୍‌ଲାଇଟ୍‌ରେ ଧଳା ଜର୍ସି ପିନ୍ଧି ଗୋଲାପିକୁ ଦେଖିବା ଲାଲ୍ ଓ ଧଳା ବଲ୍ ପରିବର୍ତେ ଅଧିକ ସହଜ ହୋଇଥିଲା।

ଭାରତ ସପ୍ତମ ଆୟୋଜକ
ଦିବା ରାତ୍ର ଟେଷ୍ଟ୍‌ର ୪ ବର୍ଷର ଛୋଟିଆ ଇତିହାସ ମଧ୍ୟରେ ମାତ୍ର ୬ ଦେଶ ଟେଷ୍ଟ୍ କ୍ରିକେଟ୍‌ର ଏହି ନିଆରା ରୂପକୁ ଆୟୋଜନ କରିପାରିଛନ୍ତି। ସେଥିମଧ୍ୟରେ ଅଷ୍ଟ୍ରେଲିଆ ସର୍ବାଗ୍ରେ ରହିଛି। ଅଷ୍ଟ୍ରେଲିଆ ସର୍ବାଧିକ ୫ ଦିବା ରାତ୍ର ଟେଷ୍ଟ୍ ଆୟୋଜନ କରିଥିଲା ବେଳେ ୟୁଏଇ ଦୁଇଟି ଦିବା ରାତ୍ର ଟେଷ୍ଟ୍‌ର ଆୟୋଜକ ହୋଇଛି। ଅନ୍ୟପକ୍ଷରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ଗୋଟିଏ ଲେଖାଏଁ ଦିବା ରାତ୍ର ଟେଷ୍ଟ୍ ଆୟୋଜନ କରିଛନ୍ତି। ଦିବା ରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆର ସଫଳତା ହାର ମଧ୍ୟ ଅନ୍ୟ ସମସ୍ତଙ୍କଠାରୁ ଢେର ଅଧିକ ରହିଛି। ଅଷ୍ଟ୍ରେଲିଆ ୫ ଦିବା ରାତ୍ର ଟେଷ୍ଟ୍ ଖେଳି ୫ଟି ଯାକ ଜିତିଛି। ସେପଟେ ଶ୍ରୀଲଙ୍କା ୩ରୁ ୧, ନ୍ୟୁଜିଲାଣ୍ଡ ୨ରୁ ୧, ଦକ୍ଷିଣ ଆଫ୍ରିକା ୨ରୁ ୧, ଇଂଲଣ୍ଡ ୩ରୁ ୧, ପାକିସ୍ତାନ ୩ରୁ ୧ ବିଜୟ ପାଇଛି। ଜିମ୍ବାୱେ ୧ ଏବଂ ୱେଷ୍ଟଇଣ୍ଡିଜ୍ ତିନିଟି ଦିବା ରାତ୍ର ଟେଷ୍ଟ୍ ଖେଳିଥିଲେ ମଧ୍ୟ ବିଜୟଶୂନ୍ୟ ରହିଛନ୍ତି। ପୂର୍ବରୁ ଖେଳା ଯାଇଥିବା ୧୧ ଦିବା ରାତ୍ର ଟେଷ୍ଟ୍‌ରେ ଟସ୍ ଜିତିଥିବା ଦଳ ୯ ଥର ପ୍ରଥମେ ବ୍ୟାଟିଂ କରିଛନ୍ତି। ସେଥିରେ ସେମାନେ ୫୫.୫୫ ପ୍ରତିଶତ ସଫଳତା ପାଇଛନ୍ତି। ଅର୍ଥାତ୍ ୫ ମ୍ୟାଚ୍ ଜିତିଥିଲା ବେଳେ ୪ଟିରେ ପରାଜିତ ହୋଇଛନ୍ତି। ଟସ୍ ଜିତି ମାତ୍ର ଦୁଇ ଥର କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନିଆଯାଇଛି। ସେଥିରୁ ଗୋଟିଏ ଦଳ ବିଜୟୀ ହୋଇଥିଲା ବେଳେ ଅନ୍ୟଟି ପରାଜିତ ‌ହୋଇଛି। ଅର୍ଥାତ୍ ପଛୁଆ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦଳର ସଫଳତା ହାର ୫୦ ପ୍ରତିଶତ ରହିଛି। ଦିବା ରାତ୍ର ଟେଷ୍ଟ୍ର ହାରାହାରି ପ୍ରଥମ ପାଳି ରନ୍ ୩୨୯ ଥିଲା ବେଳେ ଦ୍ବିତୀୟ ପାଳିର ହାରାହାରି ରନ୍ ୨୪୯ ରହିଛି।

ମାତ୍ର ପାଞ୍ଚ ମ୍ୟାଚ୍‌ ପଞ୍ଚମ ଦିନକୁ ଯାଇଛି
ପୂର୍ବରୁ ଖେଳାଯାଇଥିବା ୧୧ ଦିବା ରାତ୍ର ଟେଷ୍ଟ୍ ମଧ୍ୟରୁ ମାତ୍ର ପାଞ୍ଚଟି ମ୍ୟାଚ୍‌ ପଞ୍ଚମ ଦିନକୁ ଯାଇଛି। ଦୁଇଟି ଟେଷ୍ଟ୍ ଚାରି ଦିନ ଭିତରେ ସରିଛି। ତିନିଟି ତିନି ଦିନ ଏବଂ ଗୋଟିଏ ଦୁଇ ଦିନ ଭିତରେ ସମାପ୍ତ ହୋଇଛି। ସ୍ପିନରଙ୍କ ଅପେକ୍ଷା ଦ୍ରୁତ ବୋଲରମାନେ ଦିବା ରାତ୍ର ଟେଷ୍ଟ୍‌କୁ ଅଧିକ ଉପଭୋଗ କରିଛନ୍ତି। ସେମାନେ କେବଳ ଅଧିକ ୱିକେଟ୍ ନେଇନାହାନ୍ତି। ସେମାନଙ୍କ ହାରାହାରି, ଷ୍ଟ୍ରାଇକ୍ ରେଟ୍ ଏବଂ ମିତବ୍ୟୟିତା ମଧ୍ୟ ସ୍ପିନରଙ୍କଠାରୁ ବେଶ୍ ଭଲ ରହିଛି।

୫୭୯/୩ (ଘୋଷଣା) ସର୍ବାଧିକ, ୫୮ ସର୍ବନିମ୍ନ
ଦିବା ରାତ୍ର ଟେଷ୍ଟ୍‌ର ସର୍ବାଧିକ ଦଳଗତ ସ୍କୋର ପାକିସ୍ତାନ ନାଁରେ ରହିଛି। ୨୦୧୬ରେ ଦୁବାଇଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିବା ମ୍ୟାଚ୍‌ରେ ପାକିସ୍ତାନ ୫୭୯/୩ (୧୫୫.୩ ଓଭର)ରେ ପାଳି ଘୋଷଣା କରିଥିଲା। ଯାହା ଆଜି ପର୍ଯ୍ୟନ୍ତ ଦିବା ରାତ୍ର ଟେଷ୍ଟ୍‌ର ସର୍ବାଧିକ ଦଳଗତ ସ୍କୋର ହୋଇ ରହିଛି। ଏହି କ୍ରମରେ ଇଂଲଣ୍ଡ ୫୧୪/୮ (୧୩୫.୫ ଓଭର) ଦ୍ବିତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ସେହି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବର୍ମିଂହାମଠାରେ ୨୦୧୭ରେ ଏହି ସ୍କୋର କରିଥିଲା। ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କା ଦୁବାଇରେ (୨୦୧୭) କରିଥିବା ୪୮୨ ରନ୍ (୧୫୯.୨ ଓଭର) ରନ୍ ଏହି କ୍ରମରେ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ସର୍ବନିମ୍ନ ଦଳଗତ ସ୍କୋରର ଅଲୋଡ଼ା କୀର୍ତ୍ତିମାନ ଇଂଲଣ୍ଡ ନାଁରେ ରହିଛି। ଇଂଲଣ୍ଡ ୨୦୧୮ରେ ଅକଲାଣ୍ଡଠାରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ୨୦.୪ ଓଭର ଖେଳି ମାତ୍ର ୫୮ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ଜିମ୍ବାୱେ ୨୦୧୭‌ରେ ପୋର୍ଟ ଏଲିଜାବେଥଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬୮ ରନ୍‌ରେ ଅଲଆଉଟ୍ ହୋଇ ଦ୍ବିତୀୟ ସ୍ଥାନରେ ରହିଛି। ତୃତୀୟ, ଚତୁର୍ଥ ଏବଂ ପଞ୍ଚମରେ ଯଥାକ୍ରମେ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ଜିମ୍ବାୱେ ଅଛନ୍ତି। ୱେଷ୍ଟଇଣ୍ଡିଜ୍ ବ୍ରିଜଟାଉନଠାରେ ଶ୍ରୀଲଙ୍କା ବିପକ୍ଷରେ ୯୩ ରନ୍ କରିଥିଲା। ଶ୍ରୀଲଙ୍କା ଦୁବାଇରେ ପାକିସ୍ତାନ ବିପକ୍ଷରେ ୯୬ ରନ୍ କରିଥିଲା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜିମ୍ବାୱେ ୧୨୧ ରନ୍ କରିଥିଲା।

ବ୍ୟାଟିଂରେ ଆଝାର, ବୋଲିଂରେ ବିଶୁ ଶ୍ରେଷ୍ଠ
ଦିବା ରାତ୍ର ଟେଷ୍ଟ୍‌‌ରେ ଆଜି ପର୍ଯ୍ୟନ୍ତ ୧୬ ଶତକ ଦେଖିବାକୁ ମିଳିଛି। ପ୍ରଥମ ପାଳିରେ ୯ ଏବଂ ଦ୍ବିତୀୟରେ ୩ ଶତକ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ତୃତୀୟ ପାଳିରେ ଗୋଟିଏ ଏବଂ ଚତୁର୍ଥରେ ଚାରିଟି ଶତକ ହାସଲ ହୋଇଛି। ପାକିସ୍ତାନର ଆଝାର ଅଲ୍ଲୀଙ୍କ ନାଁରେ ଗୋଟିଏ ପାଳିରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ର କୀର୍ତ୍ତିମାନ ରହିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁବାଇଠାରେ ସେ ଖେଳିଥିବା ୩୦୨* ରନ୍‌ର ପାଳି ଆଜି ପର୍ଯ୍ୟନ୍ତ ଦିବା ରାତ୍ର ଟେଷ୍ଟ୍‌ରେ ସର୍ବାଧିକ ବ୍ୟକ୍ତିଗତ ରନ୍ ହୋଇ ରହିଛି। ଇଂଲଣ୍ଡର ଆଲେଷ୍ଟର କୁ୍କ୍ (୨୪୩), ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ (୧୯୬), ନ୍ୟୁଜିଲାଣ୍ଡର ହେନରି ନିକୋଲାସ (୧୪୫*), ଅଷ୍ଟ୍ରେଲିଆର ଉସମାନ ଖୱାଜା (୧୪୫), ପାକିସ୍ତାନର ଅସଦ ସଫିକ (୧୩୭) ଏହି କ୍ରମରେ ଦ୍ବିତୀୟରୁ ଷଷ୍ଠ ସ୍ଥାନରେ ରହିଛନ୍ତି। ଗୋଟିଏ ପାଳି ବୋଲିଂରେ ୱେଷ୍ଟଇଣ୍ଡିଜର ଦେବେନ୍ଦ୍ର ବିଶୁ ପ୍ରଥମ ସ୍ଥାନରେ ରହିଛନ୍ତି। ପାକିସ୍ତାନ ବିପକ୍ଷରେ ଦୁବାଇଠାରେ ସେ ନେଇଥିବା ୮/୪୯ ଦିବା ରାତ୍ର ଟେଷ୍ଟ୍‌ରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ହୋଇ ରହିଛି। ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ (୬/୨୩), ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ (୬/୩୨), ଅଷ୍ଟ୍ରେଲିଆର ଜୋସ୍ ହାଜେଲଉଡ୍ (୬/୭୦), ପାକିସ୍ତାନର ୟାସିର ଶାହ (୬/୧୮୪) ଓ ଦକ୍ଷିଣ ଆଫ୍ରିକାର ମନି ମର୍କେଲ (୫/୨୧) ଏହି କ୍ଷେତ୍ରରେ ଦ୍ବିତୀୟରୁ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି।

ସମ୍ବନ୍ଧିତ ଖବର