ପ୍ଲେ-ଅଫ୍‌ ଓ ଫାଇନାଲ୍‌ ରାତି ୭ଟାରୁ

ଦର୍ଶକ ଓ ପ୍ରଶଂସକଙ୍କ ସୁବିଧା ପାଇଁ ସୂଚୀରେ ପରିବର୍ତନ

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ ଏକାଦଶ ସଂସ୍କରଣର ସମସ୍ତ ରାତି ମ୍ୟାଚ୍‌ ୮ଟାରୁ ଆରମ୍ଭ ହେଉଥିଲା ବେଳେ ପ୍ରଶଂସକଙ୍କ ସୁବିଧା ଅସୁବିଧାକୁ ଦୃଷ୍ଟିରେ ରଖି ପ୍ଲେ-ଅଫ୍‌ ଓ ଫାଇନାଲ୍‌ ମ୍ୟାଚ୍‌ ସମୟରେ ପରିବର୍ତନ କରିବାକୁ ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା ନିଷ୍ପତ୍ତି ନେଇଛନ୍ତି। ରାତି ୮ଟାରୁ ମ୍ୟାଚ୍‌ ଆରମ୍ଭ ହୋଇ ସରିଲା ବେଳକୁ ସାଢ଼େ ୧୧ ଟପିଯାଇଛି। ପୁଣି ମନ୍ଥର ବୋଲିଂ ପାଇଁ କେତେକ ମ୍ୟାଚ୍‌ ମଧ୍ୟ ସରିଲା ବେଳକୁ ପାଖାପାଖି ରାତି ୧୨ ବାଜିଯାଉଛି। ଫଳରେ ଦର୍ଶକ ଓ ପ୍ରଶଂସକମାନେ ଷ୍ଟାଡିୟମ୍‌ରୁ ନିଜ ନିଜ ଘରକୁ ଫେରିବା ପାଇଁ ବିଳମ୍ବିତ ରାତି ହୋଇଯାଉଛି। କେବଳ ସେତିକି ନୁହେଁ ଟେଲିଭିଜନ୍‌ରେ ମଧ୍ୟ ମ୍ୟାଚ୍‌ ଦେଖୁଥିବା କର୍ମଜୀବୀମାନେ ପରଦିନ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ପହଞ୍ଚିବାରେ ସମସ୍ୟା ଉପୁଜୁଛି। ପୁଣି ବିଳମ୍ବିତ ରାତିରେ ଷ୍ଟାଡିୟମ୍‌ରୁ ଫେରି ସକାଳୁ ସ୍କୁଲ୍‌, କଲେଜ ପିଲାମାନେ ମଧ୍ୟ ବିଦ୍ୟାଳୟ ଯିବାରେ ଅସୁବିଧା ଭୋଗୁଛନ୍ତି। ଏହାକୁ ନେଇ ଦର୍ଶକ ଓ ପ୍ରଶଂସକ ବହୁ ସମୟରେ ଅଡୁଆରେ ପଡୁଛନ୍ତି। ତେଣୁ ଉଭୟ ଷ୍ଟାଡିୟମ୍‌ର ଦର୍ଶକ ଏବଂ ଟେଲିଭିଜନ୍‌ ଦର୍ଶକଙ୍କ ସହିତ ପ୍ରଶଂସକମାନଙ୍କ ସୁବିଧା ଦୃଷ୍ଟିରୁ ପ୍ଲେ-ଅଫ୍‌ ଓ ଫାଇନାଲ୍‌ ମ୍ୟାଚ୍‌ ୮ଟା ପରିବର୍ତେ ରାତି ୭ଟାରୁ ଆରମ୍ଭ କରାଯିବ ବୋଲି ଶୁକ୍ଳା ସ୍ପଷ୍ଟ କରିଛନ୍ତି। ଦର୍ଶକଙ୍କ ଆଗ୍ରହ ଯୋଗୁଁ ଆଇପିଏଲ୍‌ ଅତିମାତ୍ରାରେ ଲୋକପ୍ରିୟ ହୋଇପାରିଛି। ସେମାନଙ୍କ ଅସୁବିଧା ଯୋଗୁଁ ହୁଏତ ଆପିଏଲ୍‌ରେ ଦର୍ଶକ ସଂଖ୍ୟା କାଳେ କମିପାରେ ବୋଲି ଶୁକ୍ଳା ଅନୁଭବ କରୁଛନ୍ତି। ତେଣୁ ପ୍ଲେ-ଅଫ୍‌ର ତିନି ମ୍ୟାଚ୍‌ ସାଙ୍ଗକୁ ଫାଇନାଲ୍‌ ମ୍ୟାଚ୍‌କୁ ପୂର୍ବ ନିର୍ଧାରିତ ସମୟରୁ ଗୋଟିଏ ଘଣ୍ଟା ଆଗୁଆ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି। ଫଳରେ ଏହି ସବୁ ମ୍ୟାଚ୍‌ ରାତି ୭ଟାରୁ ଆରମ୍ଭ ହେବ ବୋଲି ଶୁକ୍ଳା କହିଛନ୍ତି। ଚଳିତ ଆଇପିଏଲ୍‌ର ଦୁଇଟି ପ୍ଲେ-ଅଫ୍‌ ମ୍ୟାଚ୍‌ କୋଲ୍‌କାତାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ ଆୟୋଜନ କରିବ। ଏହି ଦୁଇଟି ମ୍ୟାଚ୍‌ ପୁନେରୁ ସ୍ଥାନାନ୍ତର ହୋଇଛି। ଚଳିତ ମାସ ୨୩ ତାରିଖରେ ଏଲିମିନେଟର୍‌ ଓ ୨୫ ତାରିଖରେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‌ ଇଡେନ୍‌ ଗାର୍ଡେନ୍‌ରେ ଖେଳାଯିବ ବୋଲି ଆଇପିଏଲ୍‌ ପରିଚାଳନା ପରିଷଦ ସ୍ପଷ୍ଟ କରିଥିଲା ବେଳେ ପ୍ରଥମ କ୍ୱାଲିଫାୟର (ମେ’ ୨୨ ତାରିଖ) ଓ ଫାଇନାଲ୍‌ (ମେ ୨୭ ତାରିଖ) ମ୍ୟାଚ୍‌ ଦୁଇଟି ମୁମ୍ବାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଖେଳାଯିବ।

ସମ୍ବନ୍ଧିତ ଖବର