ବର୍ଗରକୁ ନେଇ ବିତର୍କ

ଭାରତଠାରୁ ଲଜ୍ଜାଜନକ ପରାଜୟ ବରଣ କରିବା ପରେ ପାକିସ୍ତାନୀ ଖେଳାଳି ନିଜ ଦେଶରେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ସେଠାକାର ସାଧାରଣ ଜନତାଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟର ପର୍ଯ୍ୟନ୍ତ, ସମସ୍ତେ ପାକିସ୍ତାନ କ୍ରିକେଟ୍ ଦଳର ପ୍ରଦର୍ଶନ ଏବଂ ଶାରୀରିକ ସୁସ୍ଥତା ନେଇ ଟାହି ଟାପରା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଏବେ ପାକିସ୍ତାନ କ୍ରିକେଟ୍ ଦଳ ଥଟ୍ଟା ମଜାର ପ୍ରମୁଖ କାରକ ହୋଇଛି। ତେବେ ସବୁଠାରୁ ବେଶି ବିତର୍କ ପାକିସ୍ତାନ ଖେଳାଳିଙ୍କ ବର୍ଗର ‌ଭୋଜିକୁ ନେଇ ହେଉଛି। ଭାରତ ବିପକ୍ଷ ମ୍ୟାଚ୍‌ର ମାତ୍ର ଦିନକ ପୂର୍ବରୁ ପାକିସ୍ତାନୀ ଖେଳାଳିମାନେ ମାଞ୍ଚେଷ୍ଟରର ଏକ ନାଇଟ୍ କ୍ଲବକୁ ଯାଇ ସେଠାରେ ବର୍ଗର ପାର୍ଟି କରିବା ସହ ସାଙ୍ଗରେ ମଧ୍ୟ ଏହି ଆମେରିକୀୟ ଖାଦ୍ୟ ଆଣିଥିବା ଚର୍ଚା ହେଉଛି। ଆଉ ଏହି ବର୍ଗର ହିଁ ସେମାନଙ୍କୁ ଅଳସୁଆ କରି ଦେଇଥିଲା। ସେଥିପାଇଁ ସେମାନେ ଭଲ କ୍ଷେତ୍ରରକ୍ଷଣ କି ଭଲ ବ୍ୟାଟିଂ କରି ପାରି ନଥିଲେ ବୋଲି ପାକିସ୍ତାନ ପ୍ରଶଂସକମାନେ କହୁଛନ୍ତି। ସୂଚନା ମୁତାବକ ପାକିସ୍ତାନ କ୍ରିକେଟ୍ ଦଳର କିଛି ଖେଳାଳି ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ତାଙ୍କ ପତି ସୋଏବ ମଲ୍ଲିକଙ୍କ ସହ ‘ଶିଶା କ୍ୟାଫେ’ ନାମକ କ୍ଲବ୍‌ରେ ଖାଦ୍ୟ ଗ୍ରହଣ କରିବା ଏବଂ ଖୁସି ମଜା‌ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ସେମାନଙ୍କୁ କ୍ୟାଫେରେ ରାତି ୨ଟାରେ ଦେଖିଥିବା ମଧ୍ୟ ଇଂଲଣ୍ଡରେ ରହୁଥିବା ବହୁ ପାକ୍ ପ୍ରଶଂସକ ଦାବି କରିଛନ୍ତି। କେତେକ ପାକ୍ ପ୍ରଶଂସକ ଅଧିନାୟକ ସର୍ଫରାଜ ଅହମ୍ମଦ ବର୍ଗର ବୋହି ନେଉଥିବାର ଫଟୋ ମଧ୍ୟ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଛନ୍ତି। ଭାରତଠାରୁ ମ୍ୟାଚ୍ ହାରିବାର ପ୍ରମୁଖ କାରଣ ବର୍ଗର ବୋଲି ଅନେକ ପ୍ରଶଂସକ ମତ ଦେଇଛନ୍ତି। କେତେକ ସାନିଆଙ୍କୁ ମଧ୍ୟ ଆକ୍ଷେପ କରିଛନ୍ତି। ବର୍ଗର କୁସ୍ତି ପାଇଁ ଭଲ କ୍ରିକେଟ୍ ପାଇଁ ନୁହେଁ ବୋଲି ପାକିସ୍ତାନର କ୍ରିକେଟ୍ ବିଶେଷଜ୍ଞ ମତ ଦେଇଛନ୍ତି। କିମ୍ବଦନ୍ତୀ ପାକିସ୍ତାନୀ ବୋଲର ୱାସିମ ଆକ୍ରମ ତାଙ୍କ ସମୟରେ ମ୍ୟାଚ୍ ପୂର୍ବରୁ ଆଦୌ ବର୍ଗର ଖାଆନ୍ତି ନାହିଁ ବୋଲି କହିଛନ୍ତି। ପାକିସ୍ତାନ ଖେଳାଳିଙ୍କ ଦୁର୍ବଳ କ୍ଷେତ୍ରରକ୍ଷଣର କାରଣ ବର୍ଗର ବୋଲି ପାକିସ୍ତାନ ଗଣମାଧ୍ୟମରେ ଚର୍ଚା ହେଉଛି।

ଭିଡିଓ ଦେଖି ସାନିଆ ରାଗିଲେ
ପତି-ପତ୍ନୀ ସୋଏବ ମଲ୍ଲିକ ଓ ସାନିଆ ମିର୍ଜା ପ୍ରତୀକ୍ଷିତ ଭାରତ ମ୍ୟାଚ୍‌ର ପୂର୍ବଦିନ ରାତି ଦୁଇଟା ପର୍ଯ୍ୟନ୍ତ ପାକିସ୍ତାନ ଖେଳାଳିଙ୍କ ସହ ପାର୍ଟି କରୁଥିବାର ଭିଡିଓ ଭାଇରାଲ୍ ହେବା ପରେ ସାନିଆ ଏଥିନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପାକିସ୍ତାନ ପରାଜୟ ପାଇଁ ସେମାନଙ୍କ କ୍ୟାଫେ ଯିବାକୁ ଦାୟୀ କରାଯିବାକୁ ସାନିଆ ତୀବ୍ର ସମାଲୋଚନା କରିଛନ୍ତି। ଟ୍ବିଟ୍ କରି ସେ କହିଛନ୍ତି ଏହି ଭିଡିଓ ତୁମେ ଆମ ବିନା ଅନୁମତିରେ ଉତ୍ତୋଳନ କରିଛ। ଆମ ବ୍ୟକ୍ତିଗତ ଜୀବନକୁ ଅସମ୍ମାନ କରିଛ। ଆମ ସହ ଏକ ଛୋଟ ପିଲା ମଧ୍ୟ ଥିଲା। ଆମେ ରାତ୍ର ଭୋଜନ ପାଇଁ ଯାଇଥିଲୁ। ମ୍ୟାଚ୍ ହାରିବା ପରେ ମଧ୍ୟ ଲୋକମାନଙ୍କୁ ଖାଇବାର ଅନୁମତି ଥାଏ। ଏକଥା କ’ଣ ଜାଣିନ। ତୁମେ ହେଉଛ, ଦଳେ ବୋକା ଲୋକ। ଆରଥରକୁ କିଛି ଭଲ କଥା ପ୍ରକାଶ କରିବାକୁ ଚେଷ୍ଟାକର। ସାନିଆଙ୍କ ଟ୍ବିଟ୍ ପରେ ଅନେକ ପାକିସ୍ତାନୀ ପ୍ରଶଂସକ ତାଙ୍କୁ ଆକ୍ରମଣ କରିଛନ୍ତି। ଏପରିକି ମଲ୍ଲିକଙ୍କୁ ଆଉ ଦଳରେ ନନେବା‌କୁ ସେମାନେ ପିସିବିକୁ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର