ଚଳିତ ହକି ବିଶ୍ୱ ଲିଗ୍ ଫାଇନାଲ୍ରେ ଭାରତ ଗୋଟିଏ ଅମୀମାଂସିତ ଏବଂ ଦୁଇଟି ପରାଜୟ ସହ ଗ୍ରୁପ୍-ବି’ରେ ସବା ଶେଷରେ ରହିଛି। ଫଳରେ ଆମେ କ୍ୱାର୍ଟର୍ ଫାଇନାଲ୍ରେ ଗ୍ରୁପ୍-ଏ’ର ଶୀର୍ଷ ଦଳ ବେଲ୍ଜିୟମ୍କୁ ଭେଟିବୁ। ପ୍ରତିଯୋଗିତାରେ ତିଷ୍ଠି ରହିବାକୁ ହେଲେ କ୍ୱାର୍ଟର୍ ଫାଇନାଲ୍ରେ ଭାରତକୁ କିଛି ଚମତ୍କାରିତା ଦେଖାଇବାକୁ ପଡ଼ିବ। ନଚେତ୍ ପ୍ରତିଯୋଗିତାରୁ ବିଦାୟ ନେବ।
ସୋମବାର ଜର୍ମାନି ବିପକ୍ଷରେ ଆମ ପ୍ରଦର୍ଶନ ଫିକା ପଡ଼ି ଯାଇଥିଲା। ସେମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ବାସ୍ତବରେ ସେମାନେ ଲଢ଼ିଥିଲେ। ମୂଳରୁ ହିଁ ରକ୍ଷଣାତ୍ମକକୁ ଛାଡ଼ି ଆକ୍ରମଣ ଉପରେ ଜୋର ଦେଇଥିଲେ। ଯାହାକି ଭାରତକୁ ବିସ୍ମିତ କରିଦେଇଥିଲା।
ଏଠି କହିବା କଥା, ଦଳ ଯାହା ବି ରଣ କୌଶଳ ନିର୍ଧାରଣ କରେ ତାକୁ ସବୁ ଖେଳାଳି ଜାଣିବାକଥା। ଯଦି ବିପକ୍ଷ ଦଳ ବିପରୀତ ପ୍ରଦର୍ଶନ କରେ ତେବେ ତାହା ଖେଳାଳିମାନଙ୍କଠୁ ଆଶା କରିହେବ ନାହିଁ। ଏଥିପାଇଁ ପୁରା ଦଳ ସଜାଗ ରହିବା ଦରକାର ଏବଂ ପଡ଼ିଆ ମଧ୍ୟରେ ରଣକୌଶଳ ବଦଳାଇବାକୁ ପଡ଼ିବ। ଏହି ସମୟରେ ବରିଷ୍ଠ ଖେଳାଳି ଆକାଶଦୀପ୍, ମନ୍ଦୀପ୍ ଏବଂ ଏସ୍ ଭି ସୁନୀଲ ରଣନୀତିକୁ ବଦଳାଇବା ଲାଗି ବାଟ ଦେଖାଇବା କଥା। ଏମାନେ ଏପରି ରଣନୀତି ବଦାଳାଇବା କଥା ଯାହାକି ରକ୍ଷଣଭାଗକୁ ଭେଦ କରି ଗୋଲ୍ ଦେବାକୁ ଆମ ଦଳ ସକ୍ଷମ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଆମେ ମଧ୍ୟ କିଛି ସୁଯୋଗ ପାଇଥିଲୁ। ହେଲେ ଗୋଲ୍ ଦେବାରେ ବିଫଳ ହୋଇଥିଲୁ।
ଅନ୍ୟପକ୍ଷରେ ଜର୍ମାନି ଆମ ରକ୍ଷଣଭାଗକୁ ସହଜରେ ଭେଦ କରିଥିଲା ଏବଂ ଗୋଲ୍ ଦେବାର ସୁଯୋଗକୁ ହାତଛଡ଼ା କରିନଥିଲା। ଫଳରେ ଦୁଇଟି ଯାକ ଗୋଲ୍ ଦ୍ୱିତୀୟ କ୍ୱାର୍ଟର୍ରେ ପାଇଯାଇଥିଲା। ପ୍ରଥମ ଗୋଲ୍ ପେନାଲ୍ଟି କର୍ନର୍ରେ ପାଇଥିଲା ବେଳେ ଦ୍ୱିତୀୟ ଗୋଲ୍ ମାଟ୍ସ ଗ୍ରାମ୍ସବୁଚ୍ ଡି’ ଏରିଆରେ ପଶି ଦେଇଥିଲେ।
କ୍ୱାର୍ଟର ଫାଇନାଲ୍ ପ୍ରତ୍ୟେକ ଦଳ ପାଇଁ ‘କର ବା ମର’ ହୋଇଥାଏ। ସେଥିପାଇଁ ଭାରତକୁ ସଜାଗ ଓ ସତର୍କ ରହିବାକୁ ପଡ଼ିବ। କ୍ୱାର୍ଟର୍ ଫାଇନାଲ୍ରୁ ବାହାରିଯିବାକୁ ଆମ ପାଖରେ କୌଣସି ବିକଳ୍ପ ନାହିଁ। ମୁଁ କହିବା କଥା, ଆମେ କିଛି ଚମତ୍କାର କରି ଦେଖାଇବା, ଯିଏ ବି ଆଗରେ ରହୁ। ଖେଳାଳିମାନେ ପଡ଼ିଆରେ ରାଜା, ପ୍ରଶିକ୍ଷକ ନୁହେଁ। ପ୍ରଶିକ୍ଷକ ରଣନୀତି ପ୍ରସ୍ତୁତ କରିବେ। ଖେଳାଳିମାନେ ଏହି ଅନୁସାରେ ଖେଳିବେ। କିନ୍ତୁ ପଡ଼ିଆରେ ଉପୁଜିଥିବା ପରିସ୍ଥିତିକୁ ଖେଳାଳିମାନେ ନିୟନ୍ତ୍ରଣ କରିବା କଥା। ଆମେ ବେଲ୍ଜିୟମ୍କୁ କ୍ୱାର୍ଟର୍ ଫାଇନାଲ୍ରେ ଭେଟିବା। ଯିଏକି ଏ ପର୍ଯ୍ୟନ୍ତ ପ୍ରତିଯୋଗିତାର ଶ୍ରେଷ୍ଠ ଦଳ। (ଗେମ୍ପ୍ଲାନ୍)