ରୋହିତଙ୍କୁ ହରାଇଲେ ରାହାଣେ

ମୁମ୍ବାଇ : ଶନିବାର ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଦୁଇ ମୁମ୍ବାଇ ତାରକା ରୋହିତ ଶର୍ମା ଏବଂ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ହୋଇଥିବା ମୁକାବିଲା ଉତ୍କଣ୍ଠାପୂର୍ଣ୍ଣ ଭାବେ ଶେଷ ହୋଇଛି। ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ କିନ୍ତୁ ରାହାଣେଙ୍କ ରାଜସ୍ଥାନ ରୟାଲ୍‌ସ ୪ ୱିକେଟ୍‌ରେ ହରାଇ ଦେଇଛି। ଏଥି ସହିତ ପରାଜୟ ଧାରାକୁ ଭାଙ୍ଗି ରାଜସ୍ଥାନ ରୟାଲ୍‌ସ ସପ୍ତମ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିଛି। ମୁମ୍ବାଇ ସପ୍ତମରୁ ତୃତୀୟ ପରାଜୟ ବରଣ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ବଢ଼ିଆ ଆରମ୍ଭ କରିଥିଲା। ରୋହିତ ଶର୍ମା (୪୭, ୩୨ ବଲ୍‌, ୬ ଚୌକା, ୧ ଛକା) ଏବଂ କ୍ବିଣ୍ଟନ୍ ଡି’କକ୍‌ (୮୧, ୫୨ ବଲ୍‌, ୬ ଚୌକା, ୪ ଛକା) ପ୍ରଥମ ୱିକେଟ୍ ପାଇଁ ୯୬ ରନ୍ ଉଠାଇଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ (୧୬), କିରଣ ପୋଲାର୍ଡ (୬), ଈଶାନ କିଷନ (୫)ଙ୍କ ବିଫଳତା କାରଣରୁ ମୁମ୍ବାଇ ମଧ୍ୟକ୍ରମ ବିଗିଡ଼ି ଯାଇଥିଲା। ଶେଷକୁ ହାର୍ଦିକ ପାଣ୍ଡ୍ୟା (୨୮*, ୧୧ ବଲ, ୧ ଚୌକା, ୩ ଛକା) କିଛି ଆକର୍ଷଣୀୟ ସଟ୍ ଖେଳି ଦଳକୁ ୧୮୭ ରନ୍‌ରେ ପହଞ୍ଚାଇ ଦେଇଥିଲେ। ରାଜସ୍ଥାନ ପକ୍ଷରୁ ‌ଜୋଫ୍ରା ଆର୍ଚର (୩/୩୯) ସଫଳ ବୋଲର ଥିଲେ। ଜବାବରେ ଅଜିଙ୍କ୍ୟ ରାହାଣେ (୩୭, ୨୧ ବଲ୍‌, ୬ ଚୌକା, ୧ ଛକା) ଏବଂ ଜୋସ୍ ବଟଲର୍ (୮୯, ୪୩ ବଲ୍‌, ୮ ଚୌକା, ୭ ଛକା) ଦୃଢ଼ ମୂଳଦୁଆ ପକାଇବା ପରେ ରାଜସ୍ଥାନ ରୟାଲ୍‌ସ ଶେଷ ପର୍ଯ୍ୟନ୍ତ ୧୦ ହାରରେ ରନ୍‌ ସଂଗ୍ରହ ଜାରି ରଖିଥିଲା। ସଂଜୁ ସାସମନ୍‌ (୩୧, ୨୬ ବଲ, ୨ ଚୌକା, ୧ ଛକା) ମଧ୍ୟ ଉପ‌ଯୋଗୀ ପାଳି ଖେଳିଥିଲେ। ଦଳୀୟ ସ୍କୋର୍‌ ୨ ୱିକେଟ୍‌ରେ ୧୭୦ ରନ୍‌ ପହଞ୍ଚିବା ବେଳେ ରାଜସ୍ଥାନ ୯ ବଲ୍ ଏବଂ ୪ ରନ୍‌ ଭିତରେ ୪ ୱିକେଟ୍ ହରାଇ ଆଶଙ୍କା ଭିତରେ ରହିଥିଲା। ଶ୍ରେୟସ ଗୋପାଳ (୧୩*, ୭ ବଲ୍‌, ୨ ଚୌକା) କିନ୍ତୁ ଦଳକୁ ୩ ବଲ୍ ପୂର୍ବରୁ ୪ ୱିକେଟ୍‌ରେ ଜିତାଇ ନେଇଥିଲେ। ବଟଲ୍‌ର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅଲଜାରି ଯୋସେଫଙ୍କ ଗୋଟିଏ ଓଭରରୁ ବଟଲର୍ ୨୮ ରନ୍ (୬, ୪, ୪, ୪, ୪, ୬) ଆଦାୟ କରିବା ତାଙ୍କ ପାଳିର ସବୁଠୁ ଆକର୍ଷଣୟ ମୁହୂର୍ତ ଥିଲା।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୮୭/୫ (କ୍ବିଣ୍ଟନ୍ ଡି’କକ୍‌-୮୧, ରୋହିତ ଶର୍ମା-୪୭, ହାର୍ଦିକ ପାଣ୍ଡ୍ୟା-୨୮*, ଜୋଫ୍ରା ଆର୍ଚର-୩/୩୯)। ରାଜସ୍ଥାନ ରୟାଲ୍‌ସ ୧୯.୩ ଓଭରରେ ୧୮୮/୬ (ଜୋସ୍ ବଟଲର୍-୮୯, ଅଜିଙ୍କ୍ୟ ରାହାଣେ-୩୭, ସଂଜୁ ସାମସନ୍-୩୧, କୃନାଲ ପାଣ୍ଡ୍ୟା-୩/୩୪, ଯଶପ୍ରୀତ୍ ବୁମରା-୨/୨୩)।

ସମ୍ବନ୍ଧିତ ଖବର