ରହିମଙ୍କ ଶତକ: ବାଂଲାର ବଡ଼ ବିଜୟ

ଦୁବାଇ: ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ବାଂଲାଦେଶ ୧୩୭ ରନର ବଡ଼ ବ୍ୟବଧାନରେ ୫ ଥର ବିଜେତା ଶ୍ରୀଲଙ୍କାକୁ ହରାଇ ଦେଇଛି। ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍‌ ମୁସଫିକର ରହିମଙ୍କ ଲଢ଼ୁଆ ଶତକ (୧୪୪) ବଳରେ ବାଂଲାଦେଶ ବିପର୍ଯ୍ୟୟରୁ ବାହାରି ୨୬୧ ରନ୍‌ କରିଥିଲା। ଜବାବରେ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶ୍ରୀଲଙ୍କା ୧୨୪ ରନରେ ସମସ୍ତ ଓ୍ଵିକେଟ୍‌ ହରାଇ ଦେଇଥିଲା। ଲଢ଼ୁଆ ପାଳି ପାଇଁ ମୁସଫିକର୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରବିବାର ପାକିସ୍ତାନ ଓ ହଂ କଂ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ।

ଶନିବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରଥମ ଓଭର ଶେଷ ଦୁଇ ବଲ୍‌ରେ ୨ ଓ୍ଵିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଲିଟନ୍‌ ଦାସ ଏବଂ ସକିବ୍‌ ଅଲ ହାସନଙ୍କୁ ମାଲିଙ୍ଗା ପ୍ୟାଭିଲିଅନ୍‌ ପଠାଇ ଦେଇଥିଲେ। ପରବର୍ତୀ ଓଭରରେ ତମିମ୍‌ ଇକ୍‌ବାଲ୍‌ ଆହତ ହୋଇ ରିଟାର୍ଡ ହର୍ଟ ହେବାରୁ ବାଂଲାଦେଶ ସଙ୍କଟ ବଢ଼ିଥିଲା। ଫଳତଃ ୩ ରନ୍‌ରେ ୩ ଜଣଙ୍କୁ ହରାଇ ଦେଇଥିଲା ବାଂଲାଦେଶ ଦଳ। ଏହି ସମୟରେ କିନ୍ତୁ ଓ୍ଵିକେଟରକ୍ଷକ ମୁସଫିକର ରହିମ୍‌ ଏବଂ ମହମ୍ମଦ ମିଥୁନ୍‌ ତୃତୀୟ ଓ୍ଵିକେଟ୍‌ ପାଇଁ ୧୩୧ ରନ୍‌ ଯୋଡ଼ିବା ମସରାଫ୍‌ ମର୍ତାଜାଙ୍କ ଦଳକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲା। ମିଥୁନଙ୍କୁ ମାଲିଙ୍ଗା ନିଜ ଦ୍ୱିତୀୟ ସ୍ପେଲ୍‌ରେ ଆଉଟ୍‌ କରି ଏହି ଶତକୀୟ ଭାଗୀଦାରିକୁ ଅଲଗା କରିଥିଲେ। ଏହା ପରେ ବାଂଲାଦେଶ ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ହରାଇ ଚାଲିଥିଲା। କିନ୍ତୁ ଗୋଟିଏ ପାର୍ଶ୍ୱରେ ପ୍ରାଚୀର ଭଳି ଛିଡ଼ା ହୋଇଥିବା ମୁସଫିକର ନିଜ ଷଷ୍ଠ ଦିନିକିଆ ଶତକ ହାସଲ ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏକା ଏକା ସେ ଦଳର ସ୍କୋର୍‌କୁ ୨୬୧ ରନ୍‌ରେ ପହଞ୍ଚାଇ ଦେଇଥିଲେ। ତିସରା ପେରେରାଙ୍କୁ ହ୍ୟାଟ୍ରିକ୍‌ ଛକା ମାରିବାକୁ ଯାଇ ଶେଷ ଓ୍ଵିକେଟ୍‌ ଭାବେ ରହିମ୍‌ ଆଉଟ୍‌ ହୋଇଥିଲେ। ତମିମ୍‌ ଆଉ ବ୍ୟାଟିଂ କରିବାକୁ ଆସି ପାରିନଥିଲେ। ବାଂଲାଦେଶର ୨୬୧ ରନ୍‌ରୁ ମୁସିଫିକର୍‌ (୧୪୪, ୧୫୦ ବଲ୍‌, ୧୧ ଚୌକା, ୪ ଛକା) ଏବଂ ମିଥୁନ୍‌ (୬୩, ୬୮ ବଲ୍‌, ୫ ଚୌକା, ୨ ଛକା) ମିଳିତ ଭାବେ ୨୦୭ ରନ୍‌ ସଂଯୋଗ କରିଥିଲେ। ମେହଦି ହାସନ୍‌ ମିରାଜ ତୃତୀୟ ବ୍ୟକ୍ତିଗତ ସର୍ବାଧିକ ୧୫ ରନ୍‌ କରିଥିଲେ। ପ୍ରତ୍ୟାବର୍ତନ ମ୍ୟାଚ୍‌ରେ ମାଲିଙ୍ଗା (୧୦-୨-୨୩-୪) ଚମତ୍କାର ବୋଲିଂ ଚିତ୍ର ପାଇଥିଲେ। ମୁସ୍ତାଫିଜୁରଙ୍କୁ ସେ ଆଉଟ୍‌ କରିଥିଲେ। ହେଲେ ଡିଆର୍‌ଏସ୍‌୍‌ରେ ସେ ବର୍ତିଯିବାରୁ ମାଲିଙ୍ଗା ପାଞ୍ଚ ଓ୍ଵିକେଟ୍‌ ସଫଳତାରୁ ବଞ୍ଚିତ ହୋଇଥିଲେ। ଜବାବରେ ୧୦ ଓଭର ଭିତରେ ଶ୍ରୀଲଙ୍କା ୪ ଓ୍ଵିକେଟ୍‌ ଦେବା ଫଳରେ ଆଉ ମ୍ୟାଚ୍‌କୁ ଫେରିପାରିନଥିଲା। ବାଂଲାଦେଶର ଦ୍ରୁତ ବୋଲରମାନେ ୬୯ ରନ ବେଳକୁ ୭ ଓ୍ଵିକେଟ୍‌ ଦଖଲ କରି ନେଇଥିଲେ। ମ୍ୟାଚ୍‌ ୩୬ ଓଭର ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ବାଂଲାଦେଶ ୧୩୭ ରନ୍‌ର ସହଜ ବିଜୟ ହାସଲ କରି ନେଇଥିଲା।

ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ୪୯.୩ ଓଭରରେ ୨୬୧ (ମୁସଫିକର୍‌ ରହିମ୍‌-୧୪୪, ମହମ୍ମଦ ମିଥୁନ୍‌-୬୩, ଲସିଥ୍‌ ମାଲିଙ୍ଗା-୪/୨୩, ସୁରଙ୍ଗା ଲକ୍‌ମଲ୍‌-୧/୪୬, ତିସରା ପେରେରା-୧/୫୧, ଅମିଳ ଆପୋଂସୋ-୧/୫୫)। ଶ୍ରୀଲଙ୍କା ୩୫.୨ ଓଭରରେ ୧୨୪ (ଦିଲରୁଓ୍ଵାନ ପେରେରା-୨୯, ଉପୁଲ୍‌ ଥରଙ୍ଗା-୨୭, ସୁରଙ୍ଗା ଲକମଲ୍‌-୨୦, ମୁସ୍ତାଫିଜୁର ରହମାନ୍‌-୨/୨୦, ମେହିଦି ହାସନ୍‌ ମିରାଜ-୨/୨୧, ମସରାଫ୍‌ ମର୍ତାଜା-୨/୨୫, ମୋସାଡେକ୍‌-୧/୮, ରୁବେଲ୍‌ ହାସନ୍‌-୧/୧୮, ସକିବ୍‌ ଅଲ୍‌ ହାସନ୍‌-୧/୩୧)।

ସମ୍ବନ୍ଧିତ ଖବର