ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଦୁନିଆର ସବୁଠାରୁ ପୁରୁଣା ବାର୍ଷିକ କ୍ରୀଡ଼ା ପୁରସ୍କାର ସହୀଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ୍ ଇଣ୍ଡିଆ କ୍ରିକେଟର୍ ଅଫ୍ ଦ ଇୟର ପୁରସ୍କାରର ୨୦୧୮-୧୯ ବିଜେତାଙ୍କ ନାଁ ଘୋଷିତ ହୋଇଛି। ସଦ୍ୟ ସମାପ୍ତ ଋତୁରେ ବେଶ ସଫଳତା ଅର୍ଜନ କରିଥିବା ଯୁବ ଦ୍ରୁତ ବୋଲର ରାଜେଶ ମହାନ୍ତି ଏବଂ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଏଥର ଯଥାକ୍ରମେ ପୁରୁଷ ଏବଂ ମହିଳା କ୍ରିକେଟର୍ ଅଫ୍ ଦ ଇୟର ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶା ବରିଷ୍ଠ ଦଳ ପକ୍ଷରୁ ରାଜେଶ ମହାନ୍ତି ପଦାର୍ପଣ କରି ପ୍ରାୟ ସବୁ ପ୍ରତିଯୋଗିତା ଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିଲେ। ତାଙ୍କୁ ୨୭ତମ କ୍ରିକେଟର୍ ଅଫ୍ ଦ ଇୟର ପୁରସ୍କାର ଦିଆଯିବ। ରଣଜୀ ଟ୍ରଫିରେ ୪୦ ୱିକେଟ୍ ଦଖଲ କରିଥିଲେ। ଭାରତୀୟ ୧୯ ବର୍ଷରୁ କମ୍ ଦଳର ସଦସ୍ୟ ଥାଇ ଏସିଆ କପ୍ ଜିତିଥିଲେ। ଏହା ବ୍ୟତୀତ ବୋର୍ଡ ଏକାଦଶ ପକ୍ଷରୁ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଖେଳିବା ସହିତ ଏବେ ଚେନ୍ନାଇର ଏମ୍ଆର୍ଏଫ୍ ପେସ୍ ଫାଉଣ୍ଡେସନ୍ରେ ସ୍ଥାୟୀ ତାଲିମ୍ ପାଇଁ ମନୋନୀତ ହୋଇଛନ୍ତି। ସେହିଭଳି ପ୍ରିୟଙ୍କା ଏକଦିବସୀୟରେ ଓଡ଼ିଶା ପାଇଁ ୧୮ ୱିକେଟ୍ ନେଇ ସଫଳ ବୋଲର ହୋଇଥିଲେ ଏବଂ ଟି-୨୦ରେ ୧୭ୱିକେଟ୍ ନେଇଥିଲେ। ଏହି ଦୁଇ କ୍ରିକେଟର୍ଙ୍କୁ ପୁରସ୍କାର ବାବଦ ୩୧ ହଜାର ଟଙ୍କା ଲେଖାଏଁ, ବିଶେଷ ପ୍ରଶସ୍ତି ପତ୍ର ଏବଂ ବ୍ଲେଜର ପ୍ରଦାନ କରାଯିବ ବୋଲି ସହୀଦ ସ୍ପୋର୍ଟିଂ କ୍ଲବ୍ର ସମ୍ପାଦକ ପଙ୍କଜ ପଟ୍ଟନାୟକ ପ୍ରକାଶ କରିଛନ୍ତି। ମେ’ ୧୯ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। କ୍ରୀଡ଼ା ସାମ୍ବାଦିକ ସନାତନ ପାଣି, ସୁଶାନ୍ତ ମହାନ୍ତି , ସୁରେଶ ସ୍ବାଇଁ, ସମ୍ବିତ ମହାପାତ୍ର, ସମୀକ୍ଷା ପଟ୍ଟନାୟକ, ସଂଜୀବ ବିଶ୍ୱାଳ, ତପନ ସ୍ବାଇଁ, ନିରଞ୍ଜନ ରେଡ୍ଡି, ଉମାକାନ୍ତ ମିଶ୍ର ଏବଂ ସମୀର ରାଉତ, ପ୍ରାୟୋଜକ ମାରୁତି ଇଷ୍ଟେଟ୍ର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂ ଏବଂ ସହୀଦ ସ୍ପୋର୍ଟିଂ ସଂପାଦକ ପଙ୍କଜ ପଟ୍ଟନାୟକଙ୍କୁ ନେଇ ଗଠିତ ଚୟନ ସମିତି ଏହି ଦୁଇ ଖେଳାଳିଙ୍କୁ ମନୋନୀତ କରିଥିଲେ। ଶ୍ରେଷ୍ଠ ପୁରୁଷ କ୍ରିକେଟର୍ ଆଲୋଚନା ବେଳେ ବସନ୍ତ ମହାନ୍ତି, ଶୁଭ୍ରାଂଶୁ ସେନାପତି, ପପୁ ରାୟଙ୍କ ନାମ ମଧ୍ୟ ବିଚାରକୁ ଆସିଥିଲା। ରାଜେଶଙ୍କ ଏକାଧିକ ସଫଳତା ତାଙ୍କୁ ଶ୍ରେଷ୍ଠ ବିବେଚିତ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପୁରସ୍କାର ଅତୀତ: ୧୯୯୨-୯୩ ମସିହାରୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ପ୍ରଥମ ବିଜେତା ଥିଲେ ରଂଜୀବ ବିଶ୍ବାଳ। ପରବର୍ତୀ ବର୍ଷ ଗୁଡ଼ିକରେ ଏହାକୁ ଦେବାଶିଷ ମହାନ୍ତି (୫), ପ୍ରଭଞ୍ଜନ ମଲ୍ଲିକ (୩), ବସନ୍ତ ମହାନ୍ତି (୩) ଏକାଧିକ ଥର ଜିତିଥିବା ବେଳେ ପି ଜୟଚନ୍ଦ୍ର, ରଶ୍ମିରଂଜନ ପରିଡ଼ା, ପ୍ରଶାନ୍ତ ମହାପାତ୍ର, ଶିବ ସୁନ୍ଦର ଦାସ, ସଂଜୟ ଶତପଥୀ, ବି.ବି.ସି.ସି ମହାପାତ୍ର, ଦୀପକ ମଙ୍ଗରାଜ, ଧୀରାଜ ସିଂହ, ବିପ୍ଲବ ସାମନ୍ତରାୟ, ନଟରାଜ ବେହେରା, ଦୀପକ ବେହେରା, ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର ଥରେ ଲେଖାଏଁ ପାଇଥିଲେ। ୨୦୧୩-୧୪ରୁ ପ୍ରଥମ କରି ଶ୍ରେଷ୍ଠ ମହିଳା କ୍ରିକେଟର୍ ଧାରା ଆରମ୍ଭ ହୋଇଥିଲା। ମାଧୁରୀ ମେହେଟ୍ଟା, ସ୍ବାଗତିକା ରଥ, ମଧୁସ୍ମିତା ବେହେରା, କାଦମ୍ବିନୀ ମହାକୁଡ, ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଏହି ଗୌରବ ପାଇ ସାରିଛନ୍ତି।