ରଣଜୀ କ୍ୱାର୍ଟର୍‌ ଫାଇନାଲ୍‌: ମୁମ୍ବାଇକୁ ହରାଇ ସେମିରେ କର୍ଣ୍ଣାଟକ

ନାଗପୁର: ସର୍ବାଧିକ ୪୧ ଥର ରଣଜୀ ଟ୍ରଫି ବିଜେତା ମୁମ୍ବାଇ ଏଥର କ୍ୱାର୍ଟର ଫାଇନାଲ୍‌ରୁ ବିଦାୟ ନେଲା। ୫ ଦିନିଆ ରଣଜୀ କ୍ୱାର୍ଟର ଫାଇନାଲ୍‌ର ଚତୁର୍ଥ ଦିବସରେ ହିଁ କର୍ଣ୍ଣାଟକ ନିକଟରୁ ମୁମ୍ବାଇ ପାଳି ପରାଜୟ ବରଣ କଲା। ପ୍ରଥମ ପାଳିରେ ଅଧିନାୟକ ବିନୟ କୁମାରଙ୍କ ୬ ଓ୍ଵିକେଟ୍‌ ପରେ ଦ୍ୱିତୀୟ ପାଳିରେ ଅଫ୍‌ ସ୍ପିନର କ୍ରିଷ୍ଣାପା ଗୌତମଙ୍କ ୬ ଓ୍ଵିକେଟ୍‌ ହିଁ କର୍ଣ୍ଣାଟକକୁ ଏକପାଖିଆ ବିଜୟ ଭେଟିଦେଲା। ପ୍ରଥମ ପାଳିରେ ମାତ୍ର ୧୭୭ ରନ୍‌ କରିଥିବା ମୁମ୍ବାଇ ଦ୍ୱିତୀୟ ପାଳିରେ ଅପେକ୍ଷାକୃତ ଭଲ ବ୍ୟାଟିଂ କରିଥିଲା। ସୂର୍ଯ୍ୟକୁମାର ଯାଦବ (୧୦୮)ଙ୍କ ଦ୍ୱାଦଶ ପ୍ରଥମ ଶ୍ରେଣୀ ଶତକ ସାଙ୍ଗକୁ ଆକାଶ ପାର୍କର (୬୫) ଓ ପଦାର୍ପଣରେ ଶିବମ୍‌୍‌ ଦୁବେ (୭୧)ଙ୍କ ଅର୍ଧଶତକ ବଳରେ ମୁମ୍ବାଇ ୩୭୭ ରନ୍‌ କରିଥିଲା। କର୍ଣ୍ଣାଟକ ପ୍ରଥମ ପାଳିରେ ଶିବମ୍‌ ଦୁବେ ୫ ଓ୍ଵିକେଟ୍‌ ନେଇଥିଲେ। ଏପରିକ୍ଷେତ୍ରରେ ସେ ପଦାର୍ପଣରେ ୫ ଓ୍ଵିକେଟ୍‌ ଓ ୫୦ ରନ୍‌ କରି ତୃତୀୟ ମୁମ୍ବାଇ ଖେଳାଳି ହୋଇଥିଲେ। ହେଲେ ଏହା ମୁମ୍ବାଇକୁ ପାଳି ପରାଜୟ ଏଡାଇବା ପାଇଁ ଯଥେଷ୍ଟ ହୋଇନଥିଲା। ମୁମ୍ବାଇ ଦ୍ୱିତୀୟ ପାଳିରେ କର୍ଣ୍ଣାଟକ ପକ୍ଷରୁ ଗୌତମ (୬/୧୦୪)ଙ୍କ ବ୍ୟତୀତ ବିନୟ କୁମାର (୨/୪୪) ମଧ୍ୟ ପ୍ରଭାବୀ ବୋଲିଂ କରିଥିଲେ। ସେ ପ୍ରତିପକ୍ଷ ଅଧିନାୟକ ଆଦିତ୍ୟ ତାରେଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍‌ ପଠାଇଦେଇ କର୍ଣ୍ଣାଟକ ବିଜୟ ସହଜ କରିଦେଇଥିଲେ। ପ୍ରଥମ ପାଳିରେ ଶ୍ରେୟସ ଗୋପାଳଙ୍କ ୧୫୦ ସାଙ୍ଗକୁ ମୟଙ୍କ ଅଗ୍ରଓ୍ଵାଲ (୭୮), କୌନେନ୍‌ ଆବାସ (୫୦), ସିଏମ୍‌ ଗୌତମ (୭୯)ଙ୍କ ଅର୍ଧଶତକ ସହାୟତାରେ ୫୭୦ ରନ୍‌ କରିଥିବା କର୍ଣ୍ଣାଟକ ଶେଷରେ ମୁମ୍ବାଇକୁ ଏକ ପାଳି ଓ ୨୦ ରନ୍‌ରେ ପରାସ୍ତ କରିଦେଲା। ରଣଜୀ ଟ୍ରଫି ଇତିହାସରେ ମୁମ୍ବାଇର ଏହା ପଞ୍ଚମ ଥର ପାଳି ପରାଜୟ ଥିଲା। ବିନୟ କୁମାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥି ସହିତ ୮ ଥର ବିଜେତା କର୍ଣ୍ଣାଟକ ଚଳିତ ବର୍ଷ ପ୍ରଥମ ଦଳ ଭାବେ ସେମିଫାଇନାଲ୍‌ ପ୍ରବେଶ କରି ନବମ ଥର ଟ୍ରଫି ଜିତିବାର ସମ୍ଭାବନା ସୃଷ୍ଟି କରିଛି।

ଦିଲ୍ଲୀ ପାଇଁ ବିଜୟ ଲକ୍ଷ୍ୟ ୨୧୭

ଆନ୍ଧ୍ରପ୍ରଦେଶର ମୁଲାପଡ଼ୁରେ ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀର ବିଜୟ ସୁଯୋଗ ରହିଛି। ସୋମବାର ପଞ୍ଚମ ତଥା ଅନ୍ତିମ ଦିବସରେ ବିଜୟ ପାଇଁ ଦିଲ୍ଲୀକୁ ୨୦୯ ରନ୍‌ ଦରକାର। ମଧ୍ୟପ୍ରଦେଶ ପ୍ରଥମ ପାଳିକୁ ୩୩୮ ରନ୍‌ରେ ରୋକିବା ପରେ ଦିଲ୍ଲୀ ପ୍ରଥମ ପାଳିରେ ୪୦୫ ରନ୍‌ କରି ୬୭ ରନ୍‌ର ଅଗ୍ରଣୀ ପାଇଥିଲା। ଏହାପରେ ମଧ୍ୟପ୍ରଦେଶ ଦ୍ୱିତୀୟ ପାଳିକୁ ୨୮୩ ରନ୍‌ରେ ଶେଷ କରିଦେଇଥିଲା। ଫଳରେ ଦିଲ୍ଲୀ ସମ୍ମୁଖରେ ୨୧୭ ରନ୍‌ର ଲକ୍ଷ୍ୟ ରହିଥିଲା। ଏହାର ଜବାବରେ ଦିଲ୍ଲୀ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା କୌଣସି ଓ୍ଵିକେଟ୍‌ ନହରାଇ ୮ ରନ୍‌ କରିଛି। ଫଳରେ ଶେଷ ଦିନ ଆଉ ୨୦୯ ରନ୍‌ କରିପାରିଲେ ଦିଲ୍ଲୀ ବିଜୟୀ ହେବ। ଅନ୍ୟପକ୍ଷରେ ମ୍ୟାଚ୍‌ ଅମୀମାଂସିତ ରହିଲେ ବି ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଦିଲ୍ଲୀ ସେମିଫାଇନାଲ୍‌ ସ୍ଥାନ ପକ୍କା କରିନେବ।

ବେଙ୍ଗଲର ସେମି ଆଶା ଉଜ୍ଜ୍ୱଳ

ରାଜସ୍ଥାନର ଜୟପୁରରେ ଗୁଜରାଟ ବିପକ୍ଷରେ ବେଙ୍ଗଲ ସୁରକ୍ଷିତ ରହିଛି। ପ୍ରଥମ ପାଳିରେ ୩୫୪ ରନ୍‌ କରିଥିବା ବେଙ୍ଗଲ ଗୁଜରାଟ ପ୍ରଥମ ପାଳିକୁ ୨୨୪ ରନ୍‌ରେ ସଫା କରି ୧୩୦ ରନ୍‌ର ଅଗ୍ରଣୀ ପାଇଥିଲା। ଏବେ ଦ୍ୱିତୀୟ ପାଳିରେ ଅଭିମନ୍ୟୁ ଇଶ୍ୱରନ୍‌ (୧୧୪)ଙ୍କ ଶତକ, ଚାଟାର୍ଜୀ (୨୧୩*)ଙ୍କ ଅପରାଜିତ ଦ୍ୱିଶତକ ଓ ଅଧିନାୟକ ମନୋଜ ତିଓ୍ଵାରୀ (୫୯)ଙ୍କ ଅର୍ଧଶତକ ବଳରେ ୪ ଓ୍ଵିକେଟ୍‌ ବିନିମୟରେ ୪୮୩ ରନ୍‌ କରିନେଇଛି। ଏଥି ସହିତ ମୋଟ ଉପରେ ବେଙ୍ଗଲ ୬୧୩ ରନ୍‌ରେ ଆଗୁଆ ହୋଇସାରିଲାଣି। ଏହି ମ୍ୟାଚ୍‌ ଅମୀମାଂସିତ ମୁହାଁ ହୋଇଥିବାରୁ ପାଳି ଅଗ୍ରଣୀ ଭିତ୍ତିିରେ ବେଙ୍ଗଲର ସେମିଫାଇନାଲ୍‌ ଆଶା ଉଜ୍ଜଳ ରହିଛି।

ବିଦର୍ଭ ୫୦୧ ରନ୍‌ରେ ଆଗୁଆ

ଗୁଜରାଟର ସୁରତ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କେରଳ ବିପକ୍ଷରେ ବିଦର୍ଭ ବ୍ୟାଟିଂ ଅଭ୍ୟାସ ଜାରି ରଖିଛି। ପ୍ରଥମ ପାଳିରେ ୨୪୬ ରନ୍‌ କରିବା ପରେ କେରଳ ପାଳିକୁ ୧୭୬ ରନ୍‌ରେ ଅଟକାଇ ବିଦର୍ଭ ୭୦ ରନ୍‌ର ଅଗ୍ରଣୀ ପାଇଥିଲା। ଫଳରେ ପାଳି ଆଗୁଆ ଭିତ୍ତିରେ ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ ଜାଣି ବିଦର୍ଭ ଦ୍ୱିତୀୟ ପାଳିରେ ବ୍ୟାଟିଂ ଅଭ୍ୟାସ କରୁଛି। ଏହି ଦଳ ଦ୍ୱିତୀୟ ପାଳିରେ ୬ ଓ୍ଵିକେଟ୍‌ ବିନିମୟରେ ୪୩୧ ରନ୍‌ କରି ମୋଟ ଉପରେ ୫୦୧ ରନ୍‌ର ଆଗୁଆ ରହିବା ସତ୍ତ୍ୱେ ଘୋଷଣା କରିନାହିଁ। ଫଳରେ ସୋମବାର ଅନ୍ତିମ ଦିବସରେ ମ୍ୟାଚ୍‌ ଅମୀମାଂସିତ ରହିବା ସମ୍ଭାବନା ଦେଖାଦେଇଛି। ବିଦର୍ଭ ଦ୍ୱିତୀୟ ପାଳିରେ ଫୈଜ୍‌ ଫଜଲ୍‌ (୧୧୯) ଓ ଗଣେଶ ସତୀଶ (୧୦୭) ଶତକ ଜମାଇଛନ୍ତି।

ସମ୍ବନ୍ଧିତ ଖବର