ଧନୀ କ୍ରୀଡ଼ାବିତ୍‌ ତାଲିକାରେ କୋହଲି

ନ୍ୟୁୟର୍କ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ୧୦୦ ଧନୀ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ୮୩ତମ ସ୍ଥାନରେ ରହିଛନ୍ତି। ଫୋର୍ବସ୍‌ ପତ୍ରିକା ତରଫରୁ ପ୍ରକାଶିତ ଏହି ତାଲିକାରେ କୋହଲି ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି। ତାଙ୍କ ବାର୍ଷିକ ଆୟ ୨୪ ନିୟୁତ ଆମେରିକୀୟ ଡଲାର ବୋଲି ଫୋର୍ବସ କହିଛି। ଏହି ତାଲିକାରେ ମୋଟ ୨୨ ରାଷ୍ଟ୍ରର କ୍ରୀଡ଼ାବିତ୍‌ ଥିଲା ବେଳେ ଆମେରିକା ଆଧିପତ୍ୟ ବଜାୟ ରହିଛି। ଏଥିରେ ସର୍ବାଧିକ ୬୬ ଜଣ ଆମେରିକୀୟ କ୍ରୀଡ଼ାବିତ୍‌ ରହିଛନ୍ତି। ତିନିଟି ଖେଳ ବେସ୍‌ବଲ୍‌, ବାସ୍କେଟ୍‌ବଲ୍‌ ଏବଂ ଫୁଟ୍‌ବଲ୍‌ରୁ ମୋଟ ୭୨ ଜଣ ରହିଛନ୍ତି। ତେବେ ଶ୍ରେଷ୍ଠ ୧୦୦ରେ ଜଣେ ହେଲେ ମହିଳାଙ୍କୁ ସ୍ଥାନ ମିଳିନାହିଁ। ଗତବର୍ଷ ଆମେରିକୀୟ ଟେନିସ୍‌ ଲଳନା ସେରେନା ଓ୍ଵିଲିୟମ୍‌ସ ଥିଲା ବେଳେ ଏଥର ଶ୍ରେଷ୍ଠ-୧୦୦ ତାଲିକା ମହିଳା ଶୂନ୍ୟ ହୋଇଯାଇଛି। ତାଲିକାରେ ଏକମାତ୍ର କ୍ରିକେଟର ଭାବେ ସ୍ଥାନ ପାଇ କୋହଲି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୨୦୧୭-୧୮ରେ ତାଙ୍କର ମୋଟ ଦରମା ୪ ନିୟୁତ ଡଲାର ଥିଲା ବେଳେ ଅନ୍ୟାନ୍ୟ ବ୍ୟାବସାୟିକ ଚୁକ୍ତିରୁ ୨୦ ନିୟୁତ ଡଲାର ଆୟ ରହିଛି। ବ୍ୟାବସାୟିକ ଚୁକ୍ତିରୁ ଆୟ କ୍ଷେତ୍ରରେ କୋହଲି ସର୍ବାଧିକ ତାଲିକାର ପଞ୍ଚଦଶ ସ୍ଥାନ ପାଇଥିଲା ବେଳେ ଦରମା ଆୟ କ୍ଷେତ୍ରରେ ତାଲିକାର ୯୫ତମ ସ୍ଥାନ ପାଇଛନ୍ତି। ଗତବର୍ଷ କୋହଲି ଏହି ତାଲିକାର ୮୯ତମ ସ୍ଥାନରେ ରହିଥିଲା ବେଳେ ଏଥର ୬ ସ୍ଥାନ ଲମ୍ପ ମାରିଛନ୍ତି। କୋହଲିଙ୍କ ପୂର୍ବରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୦୧୩ରେ ଫୋର୍ବସ୍‌ର ୧୦୦ ଜଣିଆ ସର୍ବାଧିକ ଆୟକାରୀ କ୍ରୀଡ଼ାବିତ୍‌ ତାଲିକାରେ ତ୍ରୟୋଦଶ ସ୍ଥାନ ପାଇଥିଲା ବେଳେ ୨୦୧୦ରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ୫୧ତମ ସ୍ଥାନରେ ରହିଥିଲେ। ହେଲେ ୨୦୧୦ ପରଠୁ ସଚିନ୍‌, ଧୋନି ଓ କୋହଲିଙ୍କ ବ୍ୟତୀତ ଅନ୍ୟ କୌଣସି କ୍ରିକେଟର୍‌ ଶ୍ରେଷ୍ଠ ୧୦୦ ଜଣିଆ ତାଲିକାରେ ସାମିଲ ହୋଇପାରିନାହାନ୍ତି। ତାଲିକାର ଶୀର୍ଷରେ ୪୧ ବର୍ଷ ବୟସ୍କ ଆମେରିକା ମୁଷ୍ଟିଯୋଦ୍ଧା ବିଜେତା ଫ୍ଲୋୟଡ୍‌ ମେେଓ୍ଵଦର୍‌ ରହିଛନ୍ତି। ତାଙ୍କର ବାର୍ଷିକ ଆୟ ୨୮୫ ମିଲିୟନ୍‌ ଡଲାର ରହିଛି। ଗତ ୭ ବର୍ଷ ମଧ୍ୟରେ ମେେଓ୍ଵଦର୍‌ ଚତୁର୍ଥ ଥର ପାଇଁ ସର୍ବାଧିକ ଆୟକାରୀ କ୍ରୀଡ଼ାବିତ୍‌ର ଗୌରବ ପାଇଛନ୍ତି। ଆର୍ଜେଣ୍ଟିନା ଫୁଟ୍‌ବଲ୍‌ ତାରକା ଲିଓନେଲ୍‌ ମେସି ଏବଂ ପର୍ତୁଗାଲ୍‌ ଫୁଟ୍‌ବଲ୍‌ ତାରକା କ୍ରିଷ୍ଟିଆନ୍‌ ରୋନାଲ୍‌ଡୋ ଯଥାକ୍ରମେ ତାଲିକାର ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଳଂକୃତ କରିଛନ୍ତି।

ମହମ ପ୍ରତିକୃତି ଅନାବୃତ
ନୂଆଦିଲ୍ଲୀ: ଦିଲ୍ଲୀର ମାଡାମ୍‌ ତୁସାଦ୍‌ ସଂଗ୍ରହାଳୟରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ମହମ ପ୍ରତିକୃତି ବୁଧବାର ଅନାବରଣ ହୋଇଛି। ଭାରତୀୟ ଦଳର ଜର୍ସି ପରିହିତ କୋହଲିଙ୍କୁ ବ୍ୟାଟିଂ ମୁଦ୍ରାରେ ତାଙ୍କ ପ୍ରଶଂସକ ଓ ସମର୍ଥକମାନେ ଦେଖିବାକୁ ପାଇବେ। ଆନ୍ତର୍ଜାତିକ କ୍ରିକେଟ୍‌ରେ ତାଙ୍କର ସଫଳତାର ବାର୍ତା ଦେଉଛି ଏହି ମହମ ପ୍ରତିକୃତି। ଫଳରେ ଲିଓନେଲ୍‌ ମେସି, କିମ୍ବଦନ୍ତୀ କପିଳ ଦେବ, ସଚିନ୍‌ ତେନ୍ଦୁଲକର, ଡେଭିଡ୍‌ ବେକ୍‌ହାମଙ୍କ ପରେ ଶେଷ କ୍ରୀଡ଼ାବିତ୍‌ ଭାବେ କୋହଲିଙ୍କ ମହମ ପ୍ରତିକୃତି ମାଡାମ୍‌ ତୁସାଦ୍‌ ସଂଗ୍ରହାଳୟରେ ଶୋଭା ପାଇଲା।

ସମ୍ବନ୍ଧିତ ଖବର