ରୋହିତଙ୍କ ଛକା କୀର୍ତିମାନ, ଗେଲ୍‌ଙ୍କୁ ଟପିଲେ

ମେଲ୍‌ବର୍ନ: ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍‌ ଦିନିକିଆ ଅବସରରେ ଏକ ମାଇଲଖୁଣ୍ଟ୍‌ ଅତିକ୍ରମ କରିଛନ୍ତି। ସିଡ୍‌ନିରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ନିଜର ଶତକୀୟ ପାଳି ମଧ୍ୟରେ ୬ ଛକା ମାରିଥିବା ରୋହିତ ମଙ୍ଗଳବାର ଆଡିଲେଡ୍‌ରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ୫୨ ବଲ୍‌ରୁ ୪୩ ରନ୍‌ କରିଥିଲେ ମଧ୍ୟ ୨ ଛକା ମାରିଥିଲେ। ଫଳରେ ଅଷ୍ଟ୍ରେଲିଆ ବିପକ୍ଷରେ ୫୩ ମ୍ୟାଚ୍‌ ଓ ୫୫ ପାଳିରେ ତାଙ୍କ ଛକା ସଂଖ୍ୟାକୁ ମୋଟ ୮୯ରେ ପହଞ୍ଚାଇଥିଲେ। ଏହା ନିର୍ଦିଷ୍ଟ କୌଣସି ପ୍ରତିଦ୍ବନ୍ଦ୍ବୀ ବିପକ୍ଷ ଆନ୍ତର୍ଜାତିକ କିକେଟ୍‌ରେ ସର୍ବାଧିକ ଛକା’ର କୀର୍ତିମାନ ଥିଲା। ଏକ୍ଷେତ୍ରରେ ରୋହିତ ୱେଷ୍ଟଇଣ୍ଡିଜ୍‌ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କୁ ଟପି ଯାଇଥିଲେ। ପୂର୍ବରୁ କୌଣସି ନିର୍ଦିଷ୍ଟ ଦଳ ବିପକ୍ଷରେ ସର୍ବାଧିକ ଆନ୍ତର୍ଜାତିକ ଛକା ମାରିବାର କୀର୍ତିମାନ ଗେଲ୍‌ (୮୮)ଙ୍କ ନାମରେ ରହିଥିଲା। ଗେଲ୍‌ ଇଂଲଣ୍ଡ୍‌ ବିପକ୍ଷରେ ୬୧ ମ୍ୟାଚ୍‌ ଓ ୭୪ ପାଳିରେ ହିଁ ୮୮ ଛକା‌ ମାରିଥିଲେ। ତେବେ ପାକିସ୍ତାନ ଅଲ୍‌ରାଉଣ୍ଡର ସାହିଦ୍‌ ଆଫ୍ରିଦି ଏକମାତ୍ର ବ୍ୟାଟ୍‌ସମ୍ୟାନ୍‌ ଯିଏକି ନିର୍ଦିଷ୍ଟ ୩ ଦଳ ବିପକ୍ଷରେ ସର୍ବାଧିକ ଛକା ମାରିବାର ସଫଳତା ନିଜ ନାମରେ ରଖିଥିଲା ବେଳେ ଗେଲ୍‌ ୨ ଦଳ ବିପକ୍ଷରେ ସବୁଠୁ ଅଧିକ ଛକା ମାରିଛନ୍ତି। ଆଫ୍ରିଦି ଶ୍ରୀଲଙ୍କା ବିପକ୍ଷରେ ୯୩ ମ୍ୟାଚ୍‌ରେ ୮୬, ଭାରତ ବିପକ୍ଷରେ ୮୩ ମ୍ୟାଚ୍‌ରେ ୭୫ ଏବଂ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ୫୪ ମ୍ୟାଚ୍‌ରେ ୬୪ ଛକା ମାରିଥିଲା ବେଳେ ଗେଲ୍‌ ଇଂଲଣ୍ଡ୍‌ ବ୍ୟତୀତ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ୫୦ ମ୍ୟାଚ୍‌ରେ ୮୧ ଛକା ମାରିଛନ୍ତି। ଏହି ତାଲିକାର ଶ୍ରେଷ୍ଠ-୧୦ ମଧ୍ୟରେ ରହିଥିବା ଅନ୍ୟମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ୍‌ର ବ୍ରେଣ୍ଡନ ମ୍ୟାକ୍‌ଲମ୍‌ ଇଂଲଣ୍ଡ ବିପକ୍ଷ ୬୧ ମ୍ୟାଚ୍‌ରେ ୭୮, ୱେଷ୍ଟଇଣ୍ଡିଜ୍‌ର ମହାନ୍‌ ବ୍ୟାଟ୍‌ସମ୍ୟାନ୍‌ ଭିଭିଆନ୍‌ ରିଚାର୍ଡସ୍‌ ଇଂଲଣ୍ଡ ବିପକ୍ଷ ୭୨ ମ୍ୟାଚ୍‌ରେ ୭୧, ଶ୍ରୀଲଙ୍କାର ସନତ୍‌ ଜୟସୂରିଆ ପାକିସ୍ତାନ ବିପକ୍ଷ ୧୦୫ ମ୍ୟାଚ୍‌ରେ ୭୧ ଏବଂ ଇଂଲଣ୍ଡର ଇୱିନ୍‌ ମୋର୍ଗାନ୍‌ ଅଷ୍ଟ୍ରେଲିଆ ବିପକ୍ଷ ୬୩ ମ୍ୟାଚ୍‌ରେ ୬୨ ଛକା ମାରିଛନ୍ତି। ଅନ୍ୟପକ୍ଷରେ ସିଡ୍‌ନିରେ ନିଜ ଜୀବନର ୨୨ତମ ଦିନିକିଆ ଆନ୍ତର୍ଜାତିକ ଶତକ ଜମାଇ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଥିବା ମୁମ୍ବାଇ ତାରକା ରୋହିତ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ୧୮୮ ଚୌକା ମାରିଛନ୍ତି। ତେବେ କାରବୀୟ ବ୍ୟାଟ୍‌ସମ୍ୟାନ୍‌ ଭିଭିଆନ୍‌ ରିଚାର୍ଡସ୍‌ଙ୍କ ସର୍ବାଧିକ ଚୌକା (ନିର୍ଦିଷ୍ଟ ଦଳ ବିପକ୍ଷରେ) ସଂଖାଠାରୁ ଯଥେଷ୍ଟ ପଛରେ ରହିଛନ୍ତି। ରିଚାର୍ଡସ୍‌ ଇଂଲଣ୍ଡ୍‌ ବିପକ୍ଷରେ ୭୨ ମ୍ୟାଚ୍‌‌ରେ ମାରିଛନ୍ତି ୫୫୫ ଚୌକା।

ସମ୍ବନ୍ଧିତ ଖବର