ମାଞ୍ଚେଷ୍ଟର୍: ଚଳିତ ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷ ବିଜୟରେ ଯେଉଁ କିଛି ଭାରତୀୟ ଖେଳାଳି ଅନେକ ଦିନ ପର୍ଯ୍ୟନ୍ତ ମନେ ରହିବେ ସେ ତାଲିକାରେ ନିଶ୍ଚିତ ବିଜୟ ଶଙ୍କର ସାମିଲ ହୋଇଗଲେ। ଅପ୍ରତ୍ୟାଶିତ ଭାବେ ବୋଲିଂ ପାଇଁ ଆମନ୍ତ୍ରିତ ଶଙ୍କର ପ୍ରଥମ ବଲରେ ୱିକେଟ୍ ନେଇ ବିରଳ କ୍ଲବ୍ରେ ସାମିଲ ହୋଇଗଲେ। ବିଶ୍ବକପ୍ ଇତିହାସରେ ଏହା ଚତୁର୍ଥ ଉଦାହରଣ ଥିଲା। ବରମୁଡାର ମଲାଚି ଜୋନ୍ସ, ଅଷ୍ଟ୍ରେଲିଆର ଇଆନ୍ ହାର୍ଭେ ଏବଂ ପାକିସ୍ତାନର ମହମ୍ମଦ ୟୁସୁଫ ପୂର୍ବରୁ ଏଭଳି ଭାବେ ନିଜ ପଦାର୍ପଣ ବିଶ୍ବକପ୍ ମ୍ୟାଚ୍ର ପ୍ରଥମ ବଲରେ ୱିକେଟ୍ ନେଇଥିଲେ। ଶଙ୍କର ରବିବାର ପାକିସ୍ତାନର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଇମାମ୍ ଉଲ୍ ହକଙ୍କ ୱିକେଟ୍ ନେଇଥିଲେ। ଭାରତ ମଧ୍ୟ ପ୍ରଥମ ୱିକେଟ୍ ପାଇ ଆଗକୁ ବଢ଼ିଥିଲା। ୨୦୦୭ ମସିହା ବିଶ୍ବକପ୍ରେ ବରମୁଡାର ମଲାଚି ଜୋନ୍ସ ନିଜ ପ୍ରଥମ ବଲରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ରବିନ୍ ଉଥପ୍ପାଙ୍କୁ ଆଉଟ୍ କରିଥିଲେ। ପ୍ରଥମ ସ୍ଲିପ୍ରେ ଡ୍ବାନ୍ ଲିଭରକ୍ ଏକ ଚମତ୍କାର କ୍ୟାଚ୍ ନେଇ ଉଥପ୍ପାଙ୍କୁ ପ୍ୟାଭଲିଅନ୍ ଫେରାଇଥିଲେ। ଅନ୍ୟ ଉଦାହରଣଟି ଥିଲା ୨୦୦୩ ବିଶ୍ବକପ୍ର ପାକିସ୍ତାନ-ଅଷ୍ଟ୍ରେଲିଆ ମ୍ୟାଚ୍। ୨୦ତମ ଓଭରରେ ବୋଲିଂ କରିଥିବା ଇଆନ୍ ହାର୍ଭେ ନେଇଥିଲେ ସଲିମ୍ ଇଲାହିଙ୍କ ୱିକେଟ୍। ବ୍ରେଟ ଲି ନେଇଥିଲେ କ୍ୟାଚ୍। ଶେଷ ଥର ପାଇଁ ୨୦୦୭ ବିଶ୍ବକପ୍ର ଅନ୍ୟ ଏକ ମ୍ୟାଚ୍ରେ ପାକିସ୍ତାନର ମହମ୍ମଦ ୟୁସୁଫ୍ ନେଇଥିଲେ ଜିମ୍ବାୱେର କ୍ରିସ୍ ମୋଫୁଙ୍କ ୱିକେଟ୍। ନବମ ୱିକେଟ୍ ପତନ ପରେ ମହମ୍ମଦ ୟୁସୁଫଙ୍କୁ ବଲ୍ ବଢ଼ାଇଥିଲେ ଅଧିନାୟକ ଇଞ୍ଜାମାମ୍ ଉଲ୍ ହକ୍। ୧୧ ନମ୍ବର ମୋଫୁ ଖେଳିବା ପରେ ଇଞ୍ଜାମାମ ହିଁ ନେଇଥିଲେ କ୍ୟାଚ୍। ଏବେ ଇଞ୍ଜାମାମଙ୍କ ପୁତୁରା ଇମାମ ହିଁ ଭାରତକୁ ସେହି କୀର୍ତିମାନ ସମର୍ପି ଦେଇଛନ୍ତି। ୟୁସୁଫ କିନ୍ତୁ ବ୍ୟାଟସମ୍ୟାନ୍ ଭାବେ ପୂର୍ବରୁ ବିଶ୍ବକପ୍ ଖେଳି ସାରିଥିଲେ ଏବଂ ନିଜର ଏକମାତ୍ର ବଲ୍ ବୋଲିଂ କରିଥିଲେ। ଦିନିକିଆ ଇତିହାସରେ ସେ ମାତ୍ର ୨ଟି ବଲ୍ ବୋଲିଂ କରି ସେହି ଏକମାତ୍ର ୱିକେଟ୍ ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
‘ବୋଲିଂ ଆଶା ନ ଥିଲା’
ପାକିସ୍ତାନ ବିପକ୍ଷରେ ବିଶ୍ବକପ୍ ପଦାର୍ପଣ କରିଥିବା ବିଜୟ ଶଙ୍କର ବ୍ୟାଟିଂରେ (୧୫*, ୧୫ ବଲ୍)ରେ ପ୍ରଭାବ ଛାଡ଼ି ପାରିନଥିଲେ କିନ୍ତୁ ବୋଲିଂରେ (୨/୨୨) ଚମତ୍କାରିତା ଦେଖାଇଥିଲେ। ‘ମୁଁ ସମ୍ପୂର୍ଣ୍ଣ ଅନ୍ଧାରରେ ଥିଲି। କାରଣ ମୁଁ ସେତେବେଳେ ବୋଲିଂ କରିବି ବୋଲି ଆଶା କରିନଥିଲି। ମୋତେ କିନ୍ତୁ ଏହା ସହାୟକ ହୋଇଥିଲା। ବଲ୍ ଭଲ ସୁଇଙ୍ଗ କରିଥିଲା, ଠିକଣା ଜାଗାରେ ବୋଲିଂ କରିବାକୁ ଚାହିଁ ମୁଁ ସଫଳ ହୋଇଥିଲି। ପ୍ରଥମ ବଲରେ ୱିକେଟ୍ ନେବା ନିଶ୍ଚିତ ଭାବେ ଯେ କୌଣସି କ୍ରିକେଟର୍ ପାଇଁ ସ୍ବତନ୍ତ୍ର’ ବୋଲି ମ୍ୟାଚ୍ ପରେ ଶଙ୍କର କହିଛନ୍ତି। ପାକିସ୍ତାନ ବିପକ୍ଷରେ ବିଶ୍ବକପ୍ ପଦାର୍ପଣ କରିବା ମୋ ପାଇଁ ଖୁସିର ବିଷୟ। ମୁଁ ଏହି ମୁହୂର୍ତକୁ ଉପଭୋଗ କରିଛି ବୋଲି ପ୍ରକାଶ କରିଛନ୍ତି।