ପ୍ୟାରିସ୍: ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତା ‘ଫ୍ରେଞ୍ଚ୍ ଓପନ୍’ର ତୃତୀୟ ଦିନରେ କୌଣସି ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିନି। ଉଭୟ ପୁରୁଷ ଏବଂ ମହିଳା ଏକକରେ ଶୀର୍ଷ ମାନ୍ୟତା ଖେଳାଳିମାନେ ନିଜ ନିଜ ମୁକାବିଲାରେ ସହଜ ବିଜୟ ସହ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି। ମଙ୍ଗଳବାର ପୁରୁଷ ଏକକରେ ଶୀର୍ଷ ମାନ୍ୟତା ଖେଳାଳି ରାଫେଲ୍ ନାଦାଲ, ତୃତୀୟ ମାନ୍ୟତା ମାରିନ୍ ସିଲିକ୍, ଷଷ୍ଠ ମାନ୍ୟତା କେଭିନ୍ ଆଣ୍ଡରସନ୍, ଷୋଡ଼ଶ ମାନ୍ୟତା କାଇଲ୍ ଏଡମୁଡ୍, ଅଷ୍ଟାଦଶ ମାନ୍ୟତା ଫାବିଓ ଫଗ୍ନିନି ଏବଂ ୨୪ ମାନ୍ୟତା ଡେନିସ୍ ସାପୋଭାଲୋଭ ପ୍ରଥମ ପର୍ଯ୍ୟାୟ ପାରି ହୋଇଛନ୍ତି। ସେହିପରି ମହିଳା ଏକକରେ ତୃତୀୟ ମାନ୍ୟତା ଗାର୍ବିନେ ମୁଗୁରୁଜା, ସପ୍ତମ ମାନ୍ୟତା କାରୋଲିନ୍ ଗ୍ରାସିଆ, ଦ୍ୱାଦଶ ମାନ୍ୟତା ଆଞ୍ଜେଲିକ୍ କର୍ବର୍, ୨୪ ମାନ୍ୟତା ଦାରିଆ ଗାଭ୍ରିଲୋଭା, ୨୭ ମାନ୍ୟତା ଝାଙ୍ଗ୍ ସୁଆଇ, ୨୮ ମାନ୍ୟତା ମାରିଆ ସାରପୋଭା ପ୍ର୍ରଥମ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି।
ପୁରୁଷ ଏକକରେ ସ୍ପେନ୍ ତାରକା ନାଦାଲ୍ ୬-୪, ୬-୩, ୭-୬ରେ ଇଟାଲିର ସିମୋନେ ବୋଲିଲିଙ୍କୁ, କ୍ରୋଏସିଆର ସିଲିକ୍ ୬-୩, ୭-୫, ୭-୬ରେ ଅଷ୍ଟ୍ରେଲିଆର ଜେମ୍ସ ଡକ୍ଓ୍ଵର୍ଥଙ୍କୁ, ଦକ୍ଷିଣ ଆଫ୍ରିକାର ଆଣ୍ଡରସନ୍ ୬-୧, ୬-୨, ୬-୪ରେ ଇଟାଲିର ପାଓଲି ଲୋରେଞ୍ଜିଙ୍କୁ, ଇଂଲଣ୍ଡର ଏଡମୁଡ୍ ୬-୨, ୬-୪, ୬-୩ରେ ଅଷ୍ଟ୍ରେଲିଆର ଆଲେକ୍ସ ଡି’ମିନୌର୍ଙ୍କୁ, ଇଟାଲିର ଫୋଗ୍ନିନି ୬-୪, ୬-୨, ୬-୧ରେ ସ୍ପେନ୍ର ପାବ୍ଲୋ ଆଣ୍ଡୁଜରଙ୍କୁ ଏବଂ କାନାଡ଼ାର ସାପୋଭାଲୋଭ ୭-୫, ୬-୪, ୬-୨ରେ ଅଷ୍ଟ୍ରେଲିଆର ଜନ୍ ମିଲ୍ମ୍ୟାନ୍ଙ୍କୁ ପରାସ୍ତ କରିଥିଲେ।
ମହିଳା ଏକକରେ ସ୍ପେନ୍ର ମୁଗୁରୁଜା ୭-୬, ୬-୨ରେ ରୁଷିଆର ସ୍ୱେତଲିନା ଗୁଜେଁତ୍ସୋଭାଙ୍କୁ, ଫ୍ରାନ୍ସର ଗ୍ରାସିଆ ୬-୧, ୬-୦ରେ ଚୀନ୍ର ଡୁଆନ୍ ୟିଙ୍ଗ୍ୟିଙ୍ଗ୍ଙ୍କୁ, ଜର୍ମାନିର କର୍ବର୍ ୬-୨, ୬-୩ରେ ନିଜ ଦେଶର ମୋନା ବର୍ଥେଲ୍ଙ୍କୁ, ଅଷ୍ଟ୍ରେଲିଆର ଗାଭ୍ରିଲୋଭା ୪-୬, ୭-୬, ୬-୩ରେ ରୋମାନିଆର ସେରୋନା କିର୍ସ୍ତିଆଙ୍କୁ, ଚୀନ୍ର ସୁଆଇ ୬-୦, ୭-୫ରେ ସ୍ଲୋଭାକିଆର କ୍ରିଷ୍ଟିନା କୁକୋଭାଙ୍କୁ, ପୂର୍ବତନ ଶୀର୍ଷ ଖେଳାଳି ରୁଷିଆର ସାରାପୋଭା ୬-୧, ୪-୬, ୬-୩ରେ ନେଦରଲାଣ୍ଡର ରିଚେଲ୍ ହୋଗେନ୍କାମ୍ପଙ୍କୁ ହରାଇ ଦେଇଥିଲେ।
ସେରେନାଙ୍କ ସଫଳ ପ୍ରତ୍ୟାବର୍ତନ
ବିଶ୍ୱର ପୂର୍ବତନ ଏକନମ୍ବର ମହିଳା ଏକକ ଟେନିସ୍ ତାରକା ଆମେରିକାର ସେରେନା ଓ୍ଵିଲିୟମ୍ସ ମଙ୍ଗଳବାର ଦୀର୍ଘ ୧୫ ମାସର ବ୍ୟବଧାନ ପରେ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିଲେ। କନ୍ୟା ସନ୍ତାନର ଜନ୍ମ ପାଇଁ ଗତବର୍ଷର ଅଷ୍ଟ୍ରେଲିଆନ୍ ଓପନ୍ ବିଜୟ ପରଠାରୁ ସେ କୌଣସି ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଖେଳି ନଥିଲେ। ତେବେ ଆଜି ଖେଳିଥିବା ଚଳିତ ଫ୍ରେଞ୍ଚ୍ ଓପନର ପ୍ରଥମ ପର୍ଯ୍ୟାୟରେ ଚେକ ରିପବ୍ଲିକର କ୍ରିଷ୍ଟିନା ପ୍ଲିସକୋଭାଙ୍କୁ ୭-୬, ୬-୪ରେ ହରାଇ ସଫଳ ପ୍ରତ୍ୟାବର୍ତନ କରିଛନ୍ତି। ସେରେନାଙ୍କ ଉଭଣୀ ଭେନସ୍ କିନ୍ତୁ ଦୁଭାଗ୍ୟଜନକ ଭାବେ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇ ସାରିଛନ୍ତି। ସେରେନା ଏଥିସହ ନିଜ ୨୪ତମ ଗ୍ରାଣ୍ଡସ୍ଲାମ୍ ବିଜୟ ଅଭିଯାନ ଆରମ୍ଭ କରି ଦେଇଛନ୍ତି।
ୟୁକି ପ୍ରଥମ ପର୍ଯ୍ୟାୟରୁ ବିଦା
ଯୁଗଳରେ ବୋପାନ୍ନା ଆଗେଇଲେ
ଏକ ମାତ୍ର ଭାରତୀୟ ଖେଳାଳି ଭାବେ ଫ୍ରେଞ୍ଚ୍ ଓପନ୍ ପୁରୁଷ ଏକକରେ ଖେଳୁଥିବା ୟୁକି ଭାମ୍ବ୍ରି ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ତେବେ ପୁରୁଷ ଯୁଗଳରେ ରୋହନ ବୋପାନ୍ନା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଫ୍ରାନ୍ସର ଏହଓ୍ଵର୍ଡ ରୋଜର-ଭାସେଲିନ୍ଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ୬-୩, ୬-୧ ସେଟ୍ରେ ଆମେରିକା ଯୋଡ଼ି ଟେଲର ଫ୍ରଜ୍ ଓ ଫ୍ରାନ୍ସିସ୍ ଟାଫୋଙ୍କୁ ପରାସ୍ତ କରିଥିଲେ। ୨୫ ବର୍ଷୀୟ ୟୁକି ବେଲ୍ଜିୟମର ରୁବାନ ବେମଲମ୍ୟାନ୍ସଙ୍କଠୁ ସିଧାସଳଖ ୪-୬, ୪-୬, ୧-୬ ସେଟ୍ରେ ପରାଜୟ ବରଣ କରିଥିଲେ। ୟୁକି ପୂର୍ବରୁ ଅଷ୍ଟ୍ରେଲିଆନ୍ ଓପନ୍ରେ ୩ ଥର ଖେଳିବାର ସୁଯୋଗ ପାଇଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟ ବାଧା ଅତିକ୍ରମ କରିନଥିଲେ। ଚଳିତ ବର୍ଷ ଫ୍ରେଞ୍ଚ୍ ଓପନ୍ ପଦାର୍ପଣ କରିଥିବା ୟୁକି ଏଠାରେ ମଧ୍ୟ ସମଦଶା ଭୋଗିଛନ୍ତି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର