ସିନ୍ଧୁ, ଶ୍ରୀକାନ୍ତଙ୍କୁ ଶୀର୍ଷ ମାନ୍ୟତା

ଗୋଲ୍‌ଡକୋଷ୍ଟ୍‍: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ପିଭି ସିନ୍ଧୁ ଏବଂ ପୁରୁଷ ବିଶ୍ୱ ମାନ୍ୟତାର ଦ୍ୱିତୀୟରେ ଥିବା କିଦାମ୍ବି ଶ୍ରୀକାନ୍ତଙ୍କୁ ଗୋଲ୍‌ଡକୋଷ୍ଠ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୀର୍ଷ ମାନ୍ୟତା ମିଳିଛି। ବ୍ୟାଡ୍‌ମିଣ୍ଟନ୍‌ ଲଢ଼େଇ ଏପ୍ରିଲ ୧୦ ତାରିଖରୁ କାରାରା ସ୍ପୋର୍ଟସ୍‌ ଏବଂ ଲିଜର ସେଣ୍ଟ୍‌ରରେ ଖେଳାଯିବ। ଶୀର୍ଷ ମାନ୍ୟତା ପାଇଥିବାରୁ ସିନ୍ଧୁ ସିଧାସଳଖ ଦ୍ୱିତୀୟ ପର୍ଯ୍ୟାୟରୁ ଅଭିଯାନ ଆରମ୍ଭ କରିବେ। ସେହିପରି ସାଇନା ନେହଓ୍ଵାଲ୍‌ ଏଠାରେ ଦ୍ୱିତୀୟ ମାନ୍ୟତା ପାଇଥିବାରୁ ସେ ମଧ୍ୟ ସିଧାସଳଖ ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବେ। ପୁରୁଷ ଏକକରେ ୨୦୧୭ରେ ୪ ସୁପରସିରିଜ୍‌ ମୁକୁଟ କରାୟତ କରିଥିବା ଶ୍ରୀକାନ୍ତଙ୍କ ସହ ଏଠାରେ ତୃତୀୟ ମାନ୍ୟତା ପାଇଥିବା ଏଚ୍‌ଏସ୍‌ ପ୍ରଣୟ ମଧ୍ୟ ସିଧାସଳଖ ଦ୍ୱିତୀୟ ପର୍ଯ୍ୟୟରୁ ଅଭିଯାନ ଆରମ୍ଭ କରିବେ। ଶ୍ରୀକାନ୍ତଙ୍କ ପ୍ରଥମ ମୁକାବିଲା ଫିଜିର ଲିଅମ୍‌ ଫିଜିଙ୍କ ସହ ହେବ। ପୁରୁଷ ଯୁଗଳ ପ୍ରଥମ ପର୍ଯ୍ୟାୟରେ ଚିରାଗ ସେଠୀ ଓ ସାତ୍ୱିକସାଇ ରାଙ୍କିରେଡ୍ଡୀ ଏବଂ ମିଶ୍ରିତ ଯୁଗଳରେ ଚତୁର୍ଥ ମାନ୍ୟତା ପାଇଥିବା ପ୍ରଣବ ଜେରି ଚୋପ୍ରା ଓ ସିକ୍କି ରେଡ୍ଡୀ ଯୋଡ଼ି ଦ୍ୱିତୀୟ ପର୍ଯ୍ୟାୟରୁ ଅଭିଯାନ ଆରମ୍ଭ କରିବେ। ରାଙ୍କିରେଡ୍ଡୀ ଓ ଅଶ୍ୱିନୀ ପୋନ୍ନାପ୍ପା ଯୋଡ଼ି ମିଶ୍ରିତ ଯୁବଳ ପ୍ରଥମ ପର୍ଯ୍ୟାୟରେ ହାର୍ଡି ଷ୍ଟୁଆର୍ଟ ଓ ଚ୍ଲୋଏ ଲି ତିସିଏର୍‌ଙ୍କୁ ଭେଟିବେ। ମହିଳା ଯୁଗଳରେ ସିକ୍କି ଏବଂ ପୋନ୍ନାପ୍ପା ଯୋଡ଼ି ମଧ୍ୟ ପ୍ରଥମ ପର୍ଯ୍ୟାୟ ବାଇ ପାଇଛନ୍ତି।

ସମ୍ବନ୍ଧିତ ଖବର