ସ୍ୱତନ୍ତ୍ର କ୍ୟୁରେଟର୍‌ ପଦ ସୃଷ୍ଟି କରିବ ବିସିସିଆଇ

ନୂଆଦିଲ୍ଲୀ: ଆଗାମୀ ଘରୋଇ ଋତୁରେ ଅଧିକ ସଂଖ୍ୟକ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ପିଚ୍‌ ପ୍ରସ୍ତୁତିରେ ନିରପେକ୍ଷତା ବଜାୟ ରଖିବାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ସ୍ୱତନ୍ତ୍ର କ୍ୟୁରେଟର୍‌ ପଦ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି। ବିଶେଷକରି ବିସିସିଆଇ ଛତା ତଳକୁ ଅଧିକରୁ ଅଧିକ ରାଜ୍ୟ ଆସୁଥିବାରୁ ପ୍ରତ୍ୟେକ ଜୋନ୍‌ରେ ଅନ୍ତତଃ ଗୋଟିଏ ଲେଖାଏଁ କ୍ୟୁରେଟର୍‌ ପଦ ଯୋଡ଼ିବା ପାଇଁ ବିସିସିଆଇ ସ୍ଥିର କରିଛି। ସେଥିପାଇଁ ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ବୋର୍ଡ ମଧ୍ୟ କ୍ୟୁରେଟର୍‌ଙ୍କ ପାଇଁ ସାନି ପରୀକ୍ଷା ପରିଚାଳନା କରିବାକୁ ଯାଉଛି। ଏବେ ବିସିସିଆଇର ମୋଟ ୨୯ ଜଣ ସ୍ୱୀକୃତିପ୍ରାପ୍ତ କ୍ୟୁରେଟର୍‌ ରହିଥିଲେ ମଧ୍ୟ ଗତ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା କ୍ୟୁରେଟର୍‌ଙ୍କ ମଧ୍ୟରୁ ଅଧିକାଂଶ ଏହି ଦାୟିତ୍ୱକୁ ସୁଚାରରୂପେ ତୁଲାଇବାରେ ସେତେଟା ଆଗ୍ରହ ପ୍ରକାଶ କରିନଥିବା ଦେଖାଯାଇଛି। ଫଳରେ ବୋର୍ଡ ନିକଟରେ ଗଠନ କରିଥିବା ଗ୍ରାଉଣ୍ଡ୍‌ କମିଟି ବୈଠକରେ ଜୋନ୍‌ସ୍ତରରେ ଜଣେ ଲେଖାଏଁ ସହକାରୀ କ୍ୟୁରେଟର୍‌ ପଦ ସୃଷ୍ଟି କରିବାକୁ ନିଷତ୍ତି ନେଇଛି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏହି ବୈଠକ ବୋର୍ଡର ଉପ କମିଟି ପରିବର୍ତେ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ୍‌ ଜୋହରି ଓ ବିସିସିଆଇ ମହାପ୍ରବନ୍ଧକ (କ୍ରିକେଟ୍‌) ସାବା କରିମ୍‌ଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।

ଗତ ସପ୍ତାହରେ ବିସିସିଆଇ କ୍ୟୁରେଟର୍‌ମାନଙ୍କ ଦରମାରେ ଶତପ୍ରତିଶତ ବୃଦ୍ଧି ଘୋଷଣା କରିଛି। ସେଥିରେ ମୁଖ୍ୟତଃ ୧୦ ଜଣ କ୍ୟୁରେଟର୍‌ ଉପକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପ୍ରତି ଜୋନ୍‌ରୁ ମୁଖ୍ୟ କ୍ୟୁରେଟର୍‌ଙ୍କ ସହିତ ଜଣେ ଲେଖାଏଁ ସହକାରୀ ବିସିସିଆଇର ଏହି ଦରମା ବୃଦ୍ଧି ତାଲିକାରେ ସାମିଲ ହୋଇଛନ୍ତି। ଏଣିକି ନୂଆ ପଦ ସୃଷ୍ଟି ହେଲେ ଅଧିକରୁ ଅଧିକ କ୍ୟୁରେଟର୍‌ ଉପକୃତ ହେବେ। ତେବେ ପୂର୍ବ ବର୍ଷର ପ୍ରଦର୍ଶନକୁ ସମୀକ୍ଷା କରିବା ପରେ ସହକାରୀ କ୍ୟୁରେଟର୍‌ମାନେ ବଛାଯିବେ ବୋଲି ବିସିସିଆଇର ଜଣେ ପଦାଧିକାରୀ କହିଛନ୍ତି। ବିସିସିଆଇ ମଧ୍ୟ କ୍ୟୁରେଟର୍‌ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାର ଚିନ୍ତା କରୁଛି।

ସମ୍ବନ୍ଧିତ ଖବର