ଆଫଗାନିସ୍ତାନ ଓ ବାଂଲାଦେଶକୁ ହେୟ ମଣିିବା ମୂର୍ଖାମି ହେବ

ସୁନୀଲ ଗାଭାସ୍କର

ପାକିସ୍ତାନ ବିପକ୍ଷ ସହଜ ବିଜୟ ପରେ ଭାରତୀୟ କ୍ରିକେଟ୍‌ ଦଳର ଆତ୍ମବିଶ୍ୱାସ ଏବେ ଆକାଶଛୁଆଁ । ଏଥିଲାଗି ଭାରତର ଏସିଆ କପ୍‌ ବଜାୟ ରଖିବା ଆଶା ଏବଂ ଉତ୍ସାହ ବି ଢେର ବଢ଼ିଥିବ। ହଂକଂ ବିପକ୍ଷ ପ୍ରଭାବହୀନ ପ୍ରଦର୍ଶନ ପାଇଁ ସେମାନେ ସମାଲୋଚିତ ହୋଇଥିଲେ। ହେଲେ ପାକିସ୍ତାନକୁ ଏକତରଫା ଭାବେ ୮ ଓ୍ଵିକେଟ୍‌ରେ ହରାଇବା ସେହି ଦୁଃଖ ଏବଂ ଚାପକୁ ଦୂର କରିଦେଇଛି। ପାଣ୍ଡ୍ୟା ଆହତ ହେବା ଅବଶ୍ୟ ଏକ ଚିନ୍ତାର କାରଣ। ଜାଦେଜାଙ୍କୁ କିନ୍ତୁ ଏଥିଲାଗି ଦିନିକିଆ ଦଳକୁ ଫେରିବାର ସୁଯୋଗ ମିଳିଯାଇଛି। ସୁଯୋଗ ମିଳିଲେ ଅଲରାଉଣ୍ଡର ଭୂମିକା ଭଲ ଭାବରେ ତୁଳାଇ ପାରିବେ ବୋଲି କେଦାର ଯାଦବ ମଧ୍ୟ ପ୍ରମାଣିତ କରିଛନ୍ତି। ଉଭୟ ପାକିସ୍ତାନ ଏବଂ ହଂକଂ ବିପକ୍ଷରେ ସେ ଚମତ୍କାର ବୋଲିଂ କରିଥିଲେ। ପ୍ରତିପକ୍ଷ ତାଙ୍କୁ ହେୟ ମନେ କରିବାର ଫଳ ପାଇଥିଲେ। ବିଶେଷଜ୍ଞ ବୋଲର ବିଫଳ ହେଲେ କେଦାରଙ୍କ ରୂପରେ ଦଳ ପାଖରେ ଏକ ଅତିରିକ୍ତ ବିକଳ୍ପ ରହିଛି। ଧାଓ୍ଵନ ଏବଂ ରୋହିତ ଫର୍ମକୁ ଫେରିବା ଭାରତକୁ ସର୍ବାଧିକ ଖୁସି ଦେଇଥିବ। କାରଣ ଦ୍ରୁତ ଏବଂ ଦୃଢ଼ ଆରମ୍ଭ ବଡ଼ ସ୍କୋର କରିବା ଲକ୍ଷ୍ୟକୁ ସହଜ କରି ଦେଇଥାଏ। ରାୟୁଡୁ ପୂରା ଲୟରେ ଅଛନ୍ତି, ଡାଇରେଷ୍ଟ ଥ୍ରୋରେ ସୋଏବ ମଲ୍ଲିକଙ୍କୁ ସେ ଯେମିତି ରନ୍‌ ଆଉଟ୍‌ କଲେ, ତାହା ଦେଖିଲା ଭଳି ଥିଲା। ଏଥିଲାଗି ପାକିସ୍ତାନ ତା’ ରନ୍‌ ହାର ବଢ଼ାଇ ପାରି ନଥିଲା। ଗତ ଏକବର୍ଷ ହେବ ଭାରତୀୟ ବୋଲିଂ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି। ଯେ କୌଣସି ପରିବେଶ ଏବଂ ପରିସ୍ଥିତିରେ ଓ୍ଵିକେଟ୍‌ ନେଇ ପାରିବେ ବୋଲି ସେମାନେ ଦେଖାଇ ଦେଇଛନ୍ତି। ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ହେଉଥିବା ବ୍ୟାପକ ଚର୍ଚା ପାଇଁ ବାଂଲାଦେଶ ଏବଂ ଆଫଗାନିସ୍ତାନ ଭଳି ଦଳକୁ ଯେତିକି ଗୁରୁତ୍ୱ ଦେବା କଥା, ସେତିକି ନଦେବାର ବିପଦ ରହିଛି। ହେଲେ ହଂକଂ ଅଭିଜ୍ଞତା ପରେ ଭାରତ ଏହି ଦୁଇ ଦଳକୁ ଆଦୌ ହାଲକା ଭାବେ ନେବନାହିଁ ବୋଲି ମୋର ଆଶା। ଶ୍ରୀଲଙ୍କାକୁ ହରାଇ ବାଂଲାଦେଶ ଏବଂ ଆଫଗାନିସ୍ତାନ ନିଜ ଅସଲ ଶକ୍ତିର ପରିଚୟ ଦେଇ ସାରିଛନ୍ତି। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୫୦ ରନ୍‌ କରିଦେଲେ, ସେମାନଙ୍କ ସ୍ପିନର ଭାରତ ପାଇଁ ସମସ୍ୟା ସୃଷ୍ଟି କରି ପାରନ୍ତିି। ପକେଟ ଡାଇନାମାଇଟ୍‌ ମୁସ୍‌ଫିକର ରହିମ ଦିନକୁ ଦିନ ଭଲ ହୋଇ ଚାଲିଛନ୍ତି। ସେଥିପାଇଁ ବାଂଲାଦେଶ ମଧ୍ୟ କିଛି କମ୍‌ ବୋଲି ଭାବିବା ମସ୍ତବଡ଼ ଭୁଲ ହେବ। ପାକିସ୍ତାନ ବିଜୟ ପରେ ଭାରତ ଶିବିର ଏବେ ବହୁତ ଖୁସି ଅଛି, ହେଲେ ସେମାନେ ମନେ ରଖିବା କଥା ଯେ ‘‘ପିକ୍ଚର ଅଭି ବାକି ହେ’’। (ପିଏମଜି/ଇଏସପି)

ସମ୍ବନ୍ଧିତ ଖବର