ବିଶ୍ୱକପ୍‌ରେ ଆଜି ଭାରତ-ଇଣ୍ଡିଜ୍‌ ମୁକାବିଲା

ଧୋନିଙ୍କ ଉପରେ ନଜର

ମାଞ୍ଚେଷ୍ଟର: ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌‌ରେ ନିଜ ଷଷ୍ଠ ମୁକାବିଲାରେ ଭାରତ ଗୁରୁବାର ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍‌କୁ ଭେଟିବ। ଭାରତ ମଧ୍ୟ ତା’ର ଅପରାଜେୟ ଧାରା ଅତୁଟ ରଖିବା ଆଶାରେ ରହିବ। ଭାରତ ପାଞ୍ଚଟି ମୁକାବିଲାରୁ ଚାରିଟିରେ ବିଜୟୀ ହୋଇଥିଲା ବେଳେ ଗୋଟିଏ ବାତିଲ ମ୍ୟାଚ୍‌ରୁ ୧ ପଏଣ୍ଟ ପାଇଛି। ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ଲାଗି କୋହଲି ବାହିନୀକୁ ଆଉ ଦୁଇଟି ବିଜୟ ଦରକାର ରହିଛି। ଅନ୍ୟ ପକ୍ଷରେ ୱେଷ୍ଟଇଣ୍ଡିଜ୍ ମାତ୍ର ଗୋଟିଏ ବିଜୟ ହାସଲ କରିଥିଲା ବେଳେ ଚାରିଟି ହାରିଛି। ଏହି ଦଳର ଦକ୍ଷିଣ ଆଫ୍ରିକା‌ ବିପକ୍ଷ ମୁକାବିଲାକୁ ମଧ୍ୟ ବର୍ଷା ଧୋଇ ନେଇଥିଲା। ବିଶ୍ବକପ୍‌ରେ କିନ୍ତୁ ଭାରତ ପଲ୍ଲା ଭାରି ରହିଛି। ଉଭୟ ଦଳ ବିଶ୍ବକପ୍‌ରେ ୮ଥର ମୁହାଁମୁହିଁ ହୋଇଥିଲା ବେଳେ ୧୯୮୩ ବିଶ୍ବକପ୍‌ର ଚର୍ଚିତ ଫାଇନାଲ୍ ସହ ଭାରତ ପାଞ୍ଚଟି ମ୍ୟାଚ୍ ଜିତିଛି। ଇଣ୍ଡିଜ୍ ୩ ବିଜୟରେ ସନ୍ତୁଷ୍ଟ ରହିଛି। ମୋଟ ଏକଦିବସୀୟ ମୁହାଁମୁହିଁରେ ଇଣ୍ଡିଜ୍ ସାମାନ୍ୟ ଆଗୁଆ ଅଛି। ୧୨୬ ମ୍ୟାଚ୍‌ରୁ ଭାରତ ୫୯ଟି ଜିତିଥିଲା ବେଳେ ଇଣ୍ଡିଜ୍ ୬୨ଟିରେ ବିଜୟୀ ହୋଇଛି।
ଗୁରୁବାର ମ୍ୟାଚ୍‌ରେ ସମସ୍ତଙ୍କ ନଜର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ରହିବ। ଆଫଗାନିସ୍ତାନ ବିପକ୍ଷରେ ମନ୍ଥର ବ୍ୟାଟିଂ କରି ଧୋନି ସମାଲୋଚିତ ହୋଇଥିଲେ। ଏପରିକି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ତାଙ୍କ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠାଇଥିଲେ। ଧୋନି ସେହି ମ୍ୟାଚ୍‌ରେ ୫୨ ବଲ୍ ଖେଳି ମାତ୍ର ୨୮ ରନ୍ କରିଥିଲେ। ‌ସେଥିପାଇଁ ଆସନ୍ତାକାଲି ଧୋନି କେଉଁ ସ୍ଥାନରେ ଖେଳିବେ, ତାହା ବିତର୍କର ବିଷୟ ହୋଇଛି। କେତେକ ବିଶେଷଜ୍ଞ କେଦାର ଯାଦବଙ୍କୁ ଉପରେ ପଠାଇବାକୁ ପରାମର୍ଶ ଦେଇଛନ୍ତି। ଶିଖର ଧାୱନଙ୍କ ସ୍ଥାନ ନେଇଥିବା ଋଷବ ପନ୍ତଙ୍କୁ ସୁଯୋଗ ଦେବାର କୌଣସି ସଂକେତ ଅଧିନାୟକ ବିରାଟ କୋହଲି ଏବଂ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଦେଇ ନାହାନ୍ତି। ବିଜୟ ଶଙ୍କର ଉପଲବ୍ଧ ନହେଲେ ହିଁ ସେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇପାରନ୍ତି। ଆଫଗାନିସ୍ତାନ ବିପକ୍ଷରେ ଶଙ୍କର ଚତୁର୍ଥ ସ୍ଥାନରେ ଖେଳିଥିଲେ। ହେଲେ ଆତ୍ମବିଶ୍ବାସର ସହ ବ୍ୟାଟିଂ କରୁଥିଲା ଭଳି ମନେ ‌ହୋଇ ନଥିଲେ। ତଥାପି ଦଳୀୟ ଅଧିକାରୀମାନେ ତାଙ୍କୁ ବଦଳାଇବାର ସମ୍ଭା‌ବନା କମ୍‌। ଭାରତ ପାଇଁ କେବଳ ଧୋନି ନୁହେଁ ସମଗ୍ର ମଧ୍ୟକ୍ରମ ଚିନ୍ତାର କାରଣ ହେବ। ୱେଷ୍ଟଇଣ୍ଡିଜ ପାଖରେ ଭଲ ପେସ୍ ବାହିନୀ ଥିବାରୁ ଶୀର୍ଷକ୍ରମ ସହ ମଧ୍ୟକ୍ରମ ଭଲ ଖେଳିଲେ ଯାଇ ଭାରତ ବଡ଼ ସ୍କୋର କରିପାରିବ।
ୱେଷ୍ଟଇଣ୍ଡିଜ୍ ସେମିଫାଇନାଲ୍ ଦୌଡ଼ରୁ ଆପାତତଃ ବାଦ୍ ପଡ଼ି ସାରିଛି। ତଥାପି ଏହି ଦଳ ଶେଷ କିଛି ମ୍ୟାଚ୍ ଜିତି ସମ୍ମାନର ସହ ବିଶ୍ବକପ୍ ଅଭିଯାନ ‌ଶେଷ କରିବା ଲକ୍ଷ୍ୟରେ ରହିବ। ଦୁର୍ଦ୍ଧର୍ଷ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ବାଦ୍ ପଡ଼ିବା ଏହି ଦଳ ପାଇଁ ବଡ଼ ଝଟ୍‌କା ହୋଇଛି। ଏହି ଦଳର ଦ୍ରୁତ ବୋଲିଂ ବାହିନୀ ଅବଶ୍ୟ ପ୍ରତିଶ୍ରୁତି ଭରା ଖେଳ ଖେଳିଛି। ସେଲଡନ୍‌ କଟରେଲ, ଓସାନେ ଥୋମାସଙ୍କ ସହ କୋହଲି ଏବଂ ରୋହିତ ଶର୍ମାଙ୍କ ଲଢ଼େଇ ବେଶ୍ ରୋଚକ ହେବ। ବିସ୍ଫୋରକ କ୍ରିସ୍ ଗେଲ୍ ଓ ଯଶପ୍ରୀତ ବୁମରା ଉଭୟ ପରସ୍ପର ଉପରେ ପ୍ରଭାବ ବିସ୍ତାର କରିବା ଲାଗି ଚେଷ୍ଟା କରିବେ। ସେହିଭଳି ସାଇ ହୋପ୍ ଏବଂ ସିମରନ୍ ହେଟମେୟରଙ୍କୁ କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ନିଶ୍ଚିତ ଭାବେ ପରୀକ୍ଷାରେ ପକାଇବେ। ନ୍ୟୁଜିଲାଣ୍ଡ ବିପକ୍ଷରେ କାର୍ଲୋସ୍ ବ୍ରାଥୱେଟ୍ ଦର୍ଶନୀୟ ପାଳି ଖେଳିଥିଲେ। ଭାରତକୁ ମ୍ୟାଚ୍ ଜିତିବାକୁ ହେଲେ ତାଙ୍କ ଉପରେ ଲଗାମ ଲଗାଇବାକୁ ପଡ଼ିବ। ମୋଟ ଉପରେ ଭାରତ ପାଇଁ ଏହି ମ୍ୟାଚ୍ ଆଫଗାନିସ୍ତାନ ମ୍ୟାଚ୍‌ଠାରୁ ଆହୁରି କଷ୍ଟକର ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଭାରତ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇବ।
ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇ ପରବର୍ତୀ ମ୍ୟାଚ୍ ଖେଳି ପାରି ନଥିବା ଦ୍ରୁତ ବୋଲର ଭୁବନେଶ୍ବର କୁମାର ସୁସ୍ଥ ହୋଇଯାଇଛନ୍ତି। ତେବେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବାର ଆଶା ଏକବାର କମ୍। ଏଣୁ ମହମ୍ମଦ ସାମି ତାଙ୍କ ସ୍ଥାନ ନେବେ। ସାମି ଆଫଗାନିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଇଣ୍ଡିଜ୍ ବିପକ୍ଷରେ ସେ ଏହି ପ୍ରଦର୍ଶନ ଦୋହରାଇବା ଆଶାରେ ଥିବେ। ଭାରତ କିନ୍ତୁ ନିଜ ଚୂଡ଼ାନ୍ତ ଦଳରେ ବଡ଼ ଧରଣର ଅଦଳ ବଦଳ କରିବାର ସମ୍ଭାବନା କମ୍। ଇଣ୍ଡିଜ୍ କେତେକ ଅଦଳ ବଦଳ କରିପାରେ। ସେପଟେ ଭୁବି ସଂପୂର୍ଣ୍ଣ ସୁସ୍ଥ ଥିଲେ ସାମିଙ୍କ ସ୍ଥାନରେ ତାଙ୍କୁ ଦଳରେ ନେବାକୁ କୋହଲିଙ୍କୁ ସଚିନ ଆହ୍ବାନ କରିଛନ୍ତି।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ମହମ୍ମଦ ସାମି।
ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: ଜାସନ ହୋଲ୍ଡର (ଅଧିନାୟକ), କ୍ରିସ୍ ଗେଲ୍, ସାଇ ହୋପ୍, ନିକୋଲାସ୍ ପୂରାନ, ସିମରନ୍ ହେଟମେୟର, କାର୍ଲୋସ୍ ବ୍ରାଥୱେଟ୍, ଆସଲେ ନର୍ସ, ଏଭିନ୍ ଲୁଇସ୍, କେମାର ରୋଚ୍, ସିମରନ୍ କଟରେଲ୍, ଓସାନେ ଥୋମାସ।

ସମ୍ବନ୍ଧିତ ଖବର