ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ତୃତୀୟ ଶ୍ରେଷ୍ଠ ସଫଳତା

ଗୋଲ୍‌ଡକୋଷ୍ଟ୍‍, ୧୫|୪: ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପଦକ ତାଲିକାରେ କେବଳ ତୃତୀୟ ସ୍ଥାନ ଦଖଲ କରିନାହିଁ। ସର୍ବକାଳୀନ ପ୍ରଦର୍ଶନରେ ମଧ୍ୟ ତୃତୀୟ ଶ୍ରେଷ୍ଠ ସଫଳତା ଅର୍ଜନ କରିଛି। ୨୦୦ରୁ ଅଧିକ ଖେଳାଳିଙ୍କୁ ନେଇ ଗୋଲ୍‌ଡକୋଷ୍ଟ ଗସ୍ତ କରିଥିବା ଭାରତ ଏଥର ୨୬ ସ୍ୱର୍ଣ୍ଣ, ୨୦ ରୌପ୍ୟ, ୨୦ କାଂସ୍ୟ ସହ ମୋଟ ୬୬ ପଦକ ଜିତିଛି। ଅଷ୍ଟ୍ରେଲିଆ (୧୯୮) ଏବଂ ଇଂଲଣ୍ଡ (୧୩୬) ପଛରେ ଭାରତ ତୃତୀୟରେ ରହିଛି। କିନ୍ତୁ ସର୍ବକାଳୀନ ସଫଳତା ତାଲିକା ଦେଖିଲେ ଭାରତ ୨୦୧୦ ନୂଆଦିଲ୍ଲୀ ଏବଂ ୨୦୦୨ ମାଞ୍ଚେଷ୍ଟର୍‌ ସଂସ୍କରଣ ପରେ ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ ପାଇଛି। ନୂଆଦିଲ୍ଲୀରେ ଭାରତ ୩୮ ସ୍ୱର୍ଣ୍ଣ ସହ ମୋଟ ୧୦୧ ଏବଂ ମାଞ୍ଚେଷ୍ଟର୍‌ରେ ୩୦ ସ୍ୱର୍ଣ୍ଣ ସହ ମୋଟ ୬୯ ପଦକ ଜିତିଥିଲା। ୧୬ ବର୍ଷ ପରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ପାଇଥିଲେ ମଧ୍ୟ ମାତ୍ର ୩ ପଦକ ଏବଂ ୪ ସ୍ୱର୍ଣ୍ଣ ପଦକ ପାଇଁ ସର୍ବକାଳୀନ ଦ୍ୱିତୀୟ ଶ୍ରେଷ୍ଠ ସଫଳତାରୁ ବଞ୍ଚିତ ହୋଇଛି। ଗୋଲ୍‌ଡକୋଷ୍ଟ୍‍ରେ ଭାରତ ପାଇଁ ପ୍ରଥମ ଓ ଶେଷ ପଦକ ରୌପ୍ୟ ରୂପରେ ମିଳିଛି। ପ୍ରତିଯୋଗିତାର ପ୍ରଥମ ଦିନ ଭାରୋତ୍ତୋଳକ ଗୁୁରୁରାଜା ପୂଜାରୀ ୫୬ କିଲୋଗ୍ରାମରୁ ଏବଂ ଶେଷ ଦିନରେ ରବିବାର ବ୍ୟାଡ୍‌ମିଣ୍ଟନରେ ସାତ୍ତ୍ୱିକ ରାଙ୍କୀରେଡ୍ଡୀ ଏବଂ ଚିରାଗ ସେଟ୍ଟୀ ସ୍ୱର୍ଣ୍ଣ ମୁକାବିଲାରେ ଇଂଲଣ୍ଡର ମାର୍କସ ଏଲିସ୍‌ ଓ କ୍ରିସ୍‌ ଲାଣ୍ଡ୍ରିଜ୍‌ଙ୍କଠୁ ହାରି ରୌପ୍ୟରେ ଅଭିଯାନ ଶେଷ କରିଥିଲେ।

ଭାରତୀୟ ଦଳ ମଧ୍ୟରୁ ବଂଧୁକଚାଳକ ସବୁଠାରୁ ଅଧିକ ସଫଳ ରହିଛନ୍ତି। ୭ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ୫ କାଂସ୍ୟ ସହିତ ଏମାନେ ମୋଟ ୧୬ ପଦକ ହାସଲ କରିଛନ୍ତି। ବଂଧୁକଚାଳକଙ୍କ ପଛକୁ କୁସ୍ତିବିତ୍‌ଙ୍କଠାରୁ ଭାରତକୁ ମିଳିଥିଲା ମୋଟ ୧୨ ପଦକ। ଏହା ମଧ୍ୟରେ ଥିଲା ୫ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୪ କାଂସ୍ୟ। ଭାରୋତ୍ତୋଳକ ଓ ମୁଷ୍ଟିଯୋଦ୍ଧାମାନେ ୯ ଲେଖାଏଁ ପଦକ ପାଇଛନ୍ତି। ଭାରୋତ୍ତୋଳନରୁ ୫ ସ୍ୱର୍ଣ୍ଣ, ୨ ରୌପ୍ୟ ଏବଂ ୨ କାଂସ୍ୟ ମିଳିଥିବା ବେଳେ ମୁଷ୍ଟିଯୁଦ୍ଧରୁ ୩ ଲେଖାଏଁ ସ୍ୱର୍ଣ୍ଣ, ରୌପ୍ୟ, କାଂସ୍ୟ ଅର୍ଜନ କରିଛନ୍ତି। ଭାରତକୁ ୬୬ ପଦକ ମିଳିଥିଲେ ମଧ୍ୟ ପୁରୁଷ ଓ ମହିଳା ହକି ଦଳ ଅନ୍ୟୁନ ଗୋଟିଏ ଲେଖାଏଁ କାଂସ୍ୟ ପଦକ ଜିତିଥିଲେ ଏହା ଅଧିକ ଭଲ ହୋଇଥାନ୍ତା। ଭାରତୀୟ ହକିକୁ ନୂଆ ସ୍ତରକୁ ନେଇଥିବା ସଫଳତମ ପ୍ରଶିକ୍ଷକ ଅଲ୍‌ଟମ୍ୟାନ୍‌ଙ୍କୁ ହଟାଇବା ପରେ ଦଳ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବି ପଦକଟିଏ ଜିତି ପାରିନାହିଁ।

ଭାରତୀୟ ଖେଳାଳିମାନେ ମଧ୍ୟ ଟେବୁଲ୍‌ ଟେନିସ୍‌ ଓ ବ୍ୟାଡ୍‌ମିଣ୍ଟନ୍‌ରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଟେବୁଲ୍‌ ଟେନିସ୍‌ରୁ ମୋଟ ୮ ପଦକ ମିଳିଥିଲା ଯାହାକି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ। ପୁରୁଷ ଓ ମହିଳା ବିଭାଗରେ ଭାରତ ଦଳଗତ ସ୍ୱର୍ଣ୍ଣ ଜିତିଥିବା ବେଳେ ମନିକା ବାତ୍ରା ପ୍ରଥମ ଭାରତୀୟ ଭାବେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ମହିଳା ଯୁଗଳରେ ମନିକା ବାତ୍ରା-ମୌମା ଦାସ ରୌପ୍ୟ ପଦକ ହାସଲ କରିଥିଲେ। ଅଚନ୍ତା ଶରତ କମଲ୍‌ ପୁରୁଷ ଏକକରେ, ମନିକା-ଶରତ ମିଶ୍ରିତ ଯୁଗଳରେ ଏବଂ ହରମିତ୍‌ ଦେଶାଇ-ସାନିଲ୍‌ ସେଟ୍ଟୀ ୩ କାଂସ୍ୟ ପଦକ ଦେଇଥିଲେ। ମନିକା ବାତ୍ରା ବ୍ୟକ୍ତିଗତ ଭାବେ ୪ ପଦକ ଜିତି ସଫଳତମ ଭାରତୀୟ ରହିଛନ୍ତି। ବ୍ୟାଡ୍‌ମିଣ୍ଟନ୍‌ରୁ ଭାରତକୁ ମୋଟ ୬ ପଦକ ମିଳିଛି। ଯାହାକି ୨୦୧୦ର ୪ ପଦକକୁ ଅତିକ୍ରମ କରିଯାଇଥିଲା। ଦଳଗତରେ ସ୍ୱର୍ଣ୍ଣ, ସାଇନା ନେହ୍ଵାଲ୍‌ ସ୍ୱର୍ଣ୍ଣ, ଏକକରେ କିଦାମ୍ବି ଶ୍ରୀକାନ୍ତ ଓ ପିଭି ସିନ୍ଧୁ ରୌପ୍ୟ, ମହିଳା ଯୁଗଳରେ ଅଶ୍ୱିନୀ ପୋନ୍ନାପ୍ପା-ଏନ୍‌ ସିକ୍କରେଡ୍ଡୀ ରୌପ୍ୟ ପଦକ ଜିତିଥିଲେ।

ଭାରତର ପଦକ ବିଜେତା

ସ୍ୱର୍ଣ୍ଣ (୨୬)

ଜାଭଲିନ୍‌: ନୀରଜ ଚୋପ୍ରା, ବ୍ୟାଡ୍‌ମିଣ୍ଟନ୍‌: ସାଇନା ନେହ୍ଵାଲ୍‌, ଭାରତର ମିଶ୍ରିତ ଦଳ। ମୁଷ୍ଟିଯୁଦ୍ଧ: ଗୌରବ ସୋଲାଙ୍କୀ, ବିକାଶ କୃଷ୍ଣ, ମେରି କମ୍‌। ବଂଧୁକଚାଳନା: ଜିତୁ ରାଏ, ଆନିଶ, ସଂଜୀବ ରାଜପୁତ, ମନୁ ଭାକର, ହୀନା ସିଦ୍ଧୁ, ତେଜସ୍ୱିନୀ ସାଓ୍ଵନ୍ତ, ଶ୍ରେୟସୀ ସିଂହ। ଟେବୁଲ୍‌ ଟେନିସ୍‌: ମନିକା ବାତ୍ରା, ଭାରତୀୟ ମହିଳା ଦଳ, ଭାରତୀୟ ପୁରୁଷ ଦଳ। ଭାରୋତ୍ତୋଳନ: ସତୀଶ କୁମାର ଶିବଲିଙ୍ଗମ୍‌, ରାହୁଲ ରଗାଲା, ମୀରାବାଇ ଚାନୁ, ସଂଜୀତା ଚାନୁ, ପୁନମ ଯାଦବ। କୁସ୍ତି: ସୁମିତ୍‌ ମଲ୍ଲିକ, ରାହୁଲ ଆଓ୍ଵାରେ, ବଜରଙ୍ଗ ପୁନିଆ, ସୁଶୀଲ କୁମାର, ଭିନେଶ ଫୋଗତ।

ରୌପ୍ୟ (୨୦)
ମହିଳା ଡିସ୍‌କସ୍‌: ସୀମା ପୁନିଆ। ବ୍ୟାଡ୍‌ମିଣ୍ଟନ୍‌: କିଦାମ୍ବି ଶ୍ରୀକାନ୍ତ, ପିଭି ସିନ୍ଧୁ, ସାତ୍ତ୍ୱିକ ରାଙ୍କୀରେଡ୍ଡୀ-ଚିରାଗ ସେଟ୍ଟୀ। ମୁଷ୍ଟିଯୁଦ୍ଧ: ସତୀଶ କୁମାର, ଅମିତ୍‌ କୁମାର, ମନୀଷ କୌଶିକ। ବଂଧୁକଚାଳନା: ହୀନା ସିଦ୍ଧୁ, ମେହୁଲ ଘୋଷ, ଅଞ୍ଜୁମ ମୌଦଗିଲ୍‌, ତେଜସ୍ୱିନୀ ସାଓ୍ଵନ୍ତ। ସ୍କ୍ଵାସ୍‌: ଜ୍ୟୋତ୍ସ୍ନା ଚିନ୍ନାପ୍ପା-ଦୀପିକା କାର୍ତିକ ପାଲିକଲ, ସୌରଭ ଘୋଷାଲ-ଦୀପିକା କାର୍ତିକ ପାଲିକଲ୍‌। ଟେବୁଲ୍‌ ଟେନିସ୍‌: ଅଚନ୍ତ ଶରତ କମଲ-ଜ୍ଞାନସେକରନ୍‌, ମନିକା ବାତ୍ରା-ମୌମା ଦାସ। ଭାରୋତ୍ତୋଳନ: ପ୍ରଦୀପ ସିଂହ, ଗୁରୁରାଜା ପୂଜାରୀ। କୁସ୍ତି: ସୌମମ ଖତ୍ରୀ, ବବିତା କୁମାରୀ, ଧନଦା ପୂଜା ।

କାଂସ୍ୟ (୨୦)
ମହିଳା ଡିସ୍‌କସ୍‌: ନଭଜିତ୍‌ କଉର୍‌ ଧିଲୋଁ। ବ୍ୟାଡ୍‌ମିଣ୍ଟନ୍‌: ଏନ୍‌ ସିକ୍କିରେଡ୍ଡୀ-ଅଶ୍ୱିନୀ ପୋନ୍ନାପ୍ପା। ମୁଷ୍ଟିଯୁଦ୍ଧ: ମହମ୍ମଦ ହୁସାଉଦ୍ଦିନ୍‌, ମନୋଜ କୁମାର, ନମନ ତନଓ୍ଵାର। ପାରା ଶକ୍ତିଉତ୍ତୋଳନ: ସଚିନ ଚୌଧୁରୀ। ବଂଧୁକଚାଳନା: ଓମ୍‌ ମିଥରଓ୍ଵାଲ (୨), ରବି କୁମାର, ଅଙ୍କୁର ମିତ୍ତଲ, ଅପୂର୍ବୀ ଚାନ୍ଦିଲା। ଟେବୁଲ୍‌ ଟେନିସ୍‌: ହରମିତ୍‌ ଦେଶାଇ-ସାନିଲ୍‌ ଶଙ୍କର ସେଟ୍ଟୀ, ଅଚନ୍ତ ଶରତ କମଲ, ସାଥିଆଁ ଜ୍ଞାନସେକରନ୍‌-ମନିକା ବାତ୍ରା। ଭାରୋତ୍ତୋଳନ: ଦୀପକ ଲାଥର୍‌, ବିକାଶ ଠାକୁର। କୁସ୍ତି: ସାକ୍ଷୀ ମଲ୍ଲିକ, ଦିବ୍ୟ କାକରନ୍‌, ସୋମବୀର, କିରଣ।

ଧନ୍ୟବାଦ ଗୋଲ୍ଡକୋଷ୍ଟ
୧୨ ଦିନର ଲଢ଼େଇ ପରେ ରବିବାର ମନ୍ତ୍ରମୁଗ୍ଧକର ପରିବେଶରେ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସମାପନ ହୋଇଥିଲା। ବିଭିନ୍ନ ଦେଶର ପଦକ ବିଜେତାଙ୍କ ପରେଡ୍‌ ସହ ଅନ୍ତର୍ଜାତୀୟ ସ୍ତରର ଗାୟକ ଗାୟିକା ଏହି ଅବସରରେ ସଂଗୀତ ପରିବେଷଣ କରିଥିଲେ। ଉଦଘାଟନୀ ଭଳି ଉଦଯାପନୀରେ ମଧ୍ୟ ଅଷ୍ଟ୍ରେଲିଆର ଆଦିମ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା। ରାଜ୍ୟଗୋଷ୍ଠୀ ମହାସଂଘ ଖେଳାଳି, ଅଧିକାରୀ ଏବଂ ପ୍ରଶିକ୍ଷକମାନଙ୍କୁ ଧନ୍ୟବାଦ ଦେଇଥିଲା ବେଳେ ଖେଳାଳିମାନେ ମଧ୍ୟ ଆୟୋଜକଙ୍କୁ ଧନ୍ୟବାଦ ଏବଂ ଅଭିନନ୍ଦନ ଜଣାଇ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତନ କରିଥିଲେ। ମଞ୍ଚ ଉପରେ କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟଙ୍କ ଉପସ୍ଥିତି ମଧ୍ୟ ଖେଳାଳିଙ୍କୁ ଉଲ୍ଲସିତ କରିଥିଲା। ରାଜ୍ୟଗୋଷ୍ଠୀ ଇତିହାସରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗଙ୍କ ପ୍ରତିଯୋଗିତା ସମାନ୍ତରାଳ ଭାବେ ହେବା ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ କରି ଦେଇଥିଲା।

ବାଇଶିରେ ବର୍ମିଂହାମ
ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରବିବାର ରଙ୍ଗାରଙ୍ଗ ମାହୋଲରେ ଶେଷ ହୋଇଛି। ଏହି ବହୁରାଷ୍ଟ୍ରୀୟ କ୍ରୀଡ଼ାର ପରବର୍ତୀ ସଂସ୍କରଣ ୨୦୨୨ରେ ଇଂଲଣ୍ଡର ବର୍ମିଂହାମରେ ଆୟୋଜିତ ହେବ। ଏଣୁ ଆଜିର ଉଦଯାପନୀ ଉତ୍ସବରେ ଗୋଲ୍ଡକୋଷ୍ଟ ଆୟୋଜକମାନେ ବର୍ମିଂହାମ ଆୟୋଜକଙ୍କୁ ମସାଲ ଏବଂ ପତାକା ହସ୍ତାନ୍ତର କରିଥିଲେ। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ମସିହା ଜୁଲାଇ ୨୭ରୁ ଆରମ୍ଭ ହୋଇ ଅଗଷ୍ଟ ୭ରେ ଶେଷ ହେବ। ଏଥିରେ ୭୩ ଦେଶର ୫,୦୦୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର