ନିଦାହାସ ଟ୍ରଫି: ଚହଲଙ୍କୁ ୩ ଓ୍ଵିକେଟ୍‌, ଭାରତକୁ ୧୬୭ ରନ୍‌ ଟାର୍ଗେଟ ଦେଲା ବାଂଲାଦେଶ

ଜାଭେଦ୍‌ ଉନାଦକଟ୍‌ଙ୍କୁ ୨ ଓ୍ଵିକେଟ୍‌

କଲମ୍ବୋ: ତ୍ରିରାଷ୍ଟ୍ରୀୟ ‘ନିଦାହାସ ଟ୍ରଫି’ରେ ଭାରତୀୟ ଯୁବ ବୋଲର ଯୁଜବେନ୍ଦ୍ର ଚହଲ ଚମତ୍କାର ବୋଲିଂ କରିଛନ୍ତି। ବାଂଲାଦେଶର ୩ଜଣ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ବିଫଳ କରି ସେ ନୂଆ ଅନୁଭୂତି ସାଉଁଟିଛନ୍ତି। ଶୃଙ୍ଖଳାର ଫାଇନାଲ ମ୍ୟାଚ୍‌ରେ ବାଲାଂଦେଶ ୧୬୬ ରନ୍‌ ସଂଗ୍ରହ କରିବା ପରେ ଭାରତକୁ ଟ୍ରଫି ବିଜୟ ପାଇଁ ୧୬୭ ରନ୍‌ ଟାର୍ଗେଟ ମିଳିଛି। ଟି-୨୦ ମ୍ୟାଚ୍‌ରେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ଓ୍ଵିକେଟ୍‌ ହରାଇ ୧୬୬ ରନ୍‌ ସଂଗ୍ରହ କରିଛି। ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବାଂଲାଦେଶ ବ୍ୟାଟିଂ କରିଥିଲା। ଆରମ୍ଭରୁ ଭଲ ବ୍ୟାଟିଂ କରିଥିବା ଦଳ ୩୩ ରନ୍‌ ବେଳକୁ ୪.୬ ଓଭରରେ ୩ଟି ମୂଲ୍ୟବାନ୍‌ ଓ୍ଵିକେଟ୍‌ ହରାଇ ସାରିଥିଲା। ଯୁଜବେନ୍ଦ୍ର ଚହଲ ୪ ଓଭର ବୋଲିଂ କରି ୧୮ ରନ୍‌ ଦେଇଥିଲେ।

୫ମ ଓ୍ଵିକେଟ୍‌ରେ ମହମ୍ମଦୁଲ୍ଲା(୨୧) ଓ ସବୀର ରହମାନ ୩୬ ରନ୍‌ ଯୋଡ଼ିଥିଲେ। ମାତ୍ର ଏକ ସର୍ଟ ରନ୍‌ ନେବାକୁ ଯାଇ ମହମ୍ମଦୁଲ୍ଲା ଟିମ୍‌ ଇଣ୍ଡିଆର ଓ୍ଵିକେଟ୍‌କିପର ଦିନେଶ କାର୍ତ୍ତିକ ଓ ବିଜୟ ଶଙ୍କରଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ବାଂଲାଦେଶ ୧୦୪ ରନ୍‌ରେ ୫ମ ଓ୍ଵିକେଟ୍‌ ହରାଇଥିଲା। ୧୩୩ ରନ୍‌ରେ ସାକିବୁଲ ହାସନ(୭) ଅଧିନାୟକ ରୋହିତ ଶର୍ମା ଓ ବିଜୟ ଶଙ୍କରଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ବାଂଲାଦେଶର ସର୍ବୋଚ୍ଚ ରନ୍‌ ସଂଗ୍ରହକାରୀ ସବୀର ରହମାନ(୭୭) ଜାଭେଦ୍‌ ଉନାଦକଟ୍‌ଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଉନାଦ୍‌କଟଙ୍କ ୨ୟ ଶିକାର ହୋଇଥିଲେ ରୁବେଲ ହୁସେନ(୦)। ରୁବେଲ ମଧ୍ୟ ବୋଲ୍ଡ ହୋଇ ପାଭଲିଅନ ଫେରିଥିଲେ।

ମାତ୍ର ୨୭ ରନ୍‌ରେ ବାଂଲାଦେଶ ଓପନ୍‌ର ଯୋଡ଼ିଙ୍କୁ ହରାଇଥିଲା। ଲିଟନ୍‌ ଦାସ(୧୧) ଭାରତର ଓ୍ଵାସିଙ୍ଗଟନ୍‌ ସୁନ୍ଦରଙ୍କ ବଲ ସୁରେଶ ରାଇନାଙ୍କୁ କ୍ୟାଚ ହୋଇଥିବା ବେଳେ ତମିମ ଇକ୍‌ବାଲ୍‌ ୧୫ ରନ୍‌ରେ ଆଉଟ୍‌ ହୋଇଥିଲେ। ଯୁବ ବୋଲର ଯୁଜବେନ୍ଦ୍ର ଚହଲଙ୍କ ବଲ ଖେଳି ଶାର୍ଦ୍ଦୁଲ ଠାକୁରଙ୍କୁ କ୍ୟାଚ୍‌ ଦେଇଥିଲେ ଇକ୍‌ବାଲ୍‌। ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ସୌମ୍ୟ ସରକାର ମାତ୍ର ଗୋଟିଏ ରନ୍‌ ଯୋଡ଼ି ଯୁଜବେନ୍ଦ୍ର ଚହଲଙ୍କ ବଲ ଶିଖର ଧାଓ୍ଵନଙ୍କୁ କ୍ୟାଚ୍‌ ଦେଇଥିଲେ। ଯୁଜବେନ୍ଦ୍ର ଚହଲଙ୍କ ୩ୟ ତଥା ଭାରତର ୪ର୍ଥ ଶିକାର ହୋଇଥିଲେ ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ ମୁସଫିକ୍ୟୁର ରହମାନ(୯)। ଶ୍ରୀଲଙ୍କାର ୬୮ ରନ୍‌ରେ ରହମାନ ଆଉଟ୍‌ ହୋଇଥିଲେ। ସେ ଯୁଜବେନ୍ଦ୍ର ଚହଲଙ୍କ ବଲ ବିଜୟ ଶଙ୍କରଙ୍କୁ କ୍ୟାଚ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର