ଟ୍ରକ ଚାଳକ ପୁଅ ‘ଗୁରୁରାଜା’

ଖେଳାଳି ଜୀବନ ଯେ କେତେ ଦୁର୍ବିସହ ଦେଇ ସଫଳତାର ଶିଖର ଛୁଇଁଥାଏ ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଗୁରୁରାଜା ପୂଜାରୀ। ଜଣେ ଟ୍ରକ୍‌ ଚାଳକର ପୁଅ ଗୁରୁରାଜା ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରୌପ୍ୟ ପଦକ ଜିତି ଦେଶ ତଥା ନିଜ ପାଇଁ ବେଶ କିଛି ଆନନ୍ଦ ମୁହୂର୍ତ ସାଉଁଟିଛନ୍ତି। କର୍ଣ୍ଣାଟକ ଉପକୂଳରେ ଥିବା ଏକ ଛୋଟିଆ ଗାଁ କୁନ୍ଦପୂରାର ୨୫ ବର୍ଷୀୟ ଗୁରୁରାଜା ଏବେ ରାଜ୍ୟଗୋଷ୍ଠୀ ରାଜା ପାଲଟି ଯାଇଛନ୍ତି। ଅଭାବ ହିଁ ଗୁରୁରାଜାଙ୍କୁ ସଫଳତା ଦେଇଛି ବୋଲି ଗୁରୁବାର ବିଜୟ ପରେ କହିଥିଲେ। ମୁଁ ପ୍ରଥମ ଦୁଇଟି ପ୍ରୟାସରେ ବିଫଳ ହେବା ପରେ ପ୍ରଶିକ୍ଷକ ମୋତେ ମୋ ପରିବାର କଥା ମନେ ପକାଇ ଦେଇଥିଲେ। ସେମାନେ ମୋ ଉପରେ କେତେ ନିର୍ଭରଶୀଳ ବୋଲି ସ୍ମରଣ କରାଇ ଦେଇଥିଲେ। ମୁଁ ବି ମୋ ପରିବାର ଓ ଦେଶ କଥା ମନେ ପକାଇ ନିଜ ଉପରକୁ ଆସିଥିବା ଚାପକୁ ହଟାଇ ଆଗକୁ ବଢ଼ିଥିଲି।

ପରବର୍ତୀ ସମୟରେ ମୋଟ ଉପରେ ୨୪୯ କିଲୋଗ୍ରାମ ଉତ୍ତୋଳନ କରି ରୌପ୍ୟ ପଦକ ହାତେଇଥିଲି ବୋଲି ଗୁରୁରାଜ ପ୍ରକାଶ କରିଛନ୍ତି। ମୁଁ ୨୦୧୦ ମସିହାରେ ପ୍ରଥମେ ତାଲିମ ଆରମ୍ଭ କରିବେ ବେଳେ ଲିଫ୍‌ଟ କିଭଳି ନିଆଯାଏ ଜାଣି ନ ଥିଲି। ମୋ ପାଇଁ ଏହା ଭାରି ଓଜନଦାର ଥିଲା। ସେତେବେଳେ ମୁଁ ଅଲିମ୍ପିକ୍‌ ପଦକ ବିଜେତା ସୁଶୀଲ କୁମାରଙ୍କ ପ୍ରେରଣାରେ କୁସ୍ତି କରିବାକୁ ଲକ୍ଷ୍ୟ ରଖିଥିଲି। ୨୦୧୦ ମସିହାରେ ତାଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଖି ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲି। କିନ୍ତୁ ପ୍ରଶିକ୍ଷକ ରାଜେନ୍ଦ୍ର ପ୍ରସାଦଙ୍କୁ ଭେଟିବା ପରେ ଭାରୋତ୍ତୋଳନରେ ଅଟକିଯାଇଥିଲି। ତଥାପି ମୋ ମନ ଏବେ ବି କୁସ୍ତିରେ ଅଛି, ଏହି ଖେଳକୁ ମୁଁ ଭାରି ଭଲ ପାଏ। ମୋ ରାଜ୍ୟଗୋଷ୍ଠୀ ଯାତ୍ରାରେ ଯେଉଁମାନଙ୍କ ସହାୟତା ଅଛି ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଥିଲେ ଗୁରୁରାଜା।

ସମ୍ବନ୍ଧିତ ଖବର