ୟୁନିଟ୍‌-୬ର ଉତ୍କଣ୍ଠାପୂର୍ଣ୍ଣ ବିଜୟ

ୟୁନିଲାଇଟ୍‌ କପ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ

ଭୁବନେଶ୍ୱର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଚାଲିଥିବା ୟୁନିଲାଇଟ୍‌ କପ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଗୁରୁବାର ଏକ ମ୍ୟାଚ୍‌ରେ ୟୁନିଟ୍‌-୬ ଉଚ୍ଚବିଦ୍ୟାଳୟ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ୩୧ ମିନିଟ୍‌ରେ ବିକାଶ ନାୟକଙ୍କ ଏକମାତ୍ର ଗୋଲ୍‌ ବଳରେ ଏହି ଦଳ ଡିପିଏସ୍‌ କଳିଙ୍ଗକୁ ୧-୦ରେ ପରାସ୍ତ କରିଦେଇଛି। ବିଜୟୀ ଦଳର ସୋନୁ ନାୟକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ୟୁନିଟ୍‌-୬ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୁଦନ ମଲ୍ଲିକଙ୍କଠାରୁ ଗ୍ରହଣ କରିଥିଲେ। ଗୁରୁବାର ଅନ୍ୟ ଏକ ମ୍ୟାଚ୍‌ ରାମକୃଷ୍ଣ ଓ ୟୁନିଟ୍‌-୧ ସରକାରୀ ଉଚ୍ଚବିଦ୍ୟାଳୟ ମଧ୍ୟରେ ଅମୀମାଂସିତ ରହିଥିଲା। ଟାଟା ସ୍ପଞ୍ଜ୍‌ ଆଇରନ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ସଞ୍ଜୟ ପଟ୍ଟନାୟକ ଓ ବରିଷ୍ଠ ଅଧିକାରୀ ଶ୍ରୀକାନ୍ତ ମିଶ୍ର ଅତିଥି ଭାବେ ଯୋଗଦେଇ ୟୁନିଟ୍‌-୧ ଦଳର ମଳୟ ମାଝୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ତପନ ମହାନ୍ତି, ନବରଞ୍ଜନ ପଟ୍ଟନାୟକ, ପ୍ରିୟନାଥ ମିଶ୍ର, ପ୍ରଫୁଲ୍ଲ ମିଶ୍ର, ଦିଲିପ ଦାସ ଓ ଅମୀୟ ମିଶ୍ର ଉପସ୍ଥିତ ଥିଲେ। ସରୋଜ ମହାରଣା, ଶ୍ରୀକାନ୍ତ ପଣ୍ଡା, କୀର୍ତି ସ୍ୱାଇଁ, ରାଜେନ୍ଦ୍ର ବାରିକ, ଚନ୍ଦ୍ରକାନ୍ତ ବାରିକ, ପାକା ପଣ୍ଡା, ମହେଶ୍ୱର ସିଂହ (କମିଶନର) ମ୍ୟାଚ୍‌ ପରିଚାଳନା କରିଥିଲେ। ଆସନ୍ତାକାଲି କଳିଙ୍ଗ ବିଦ୍ୟାପୀଠ (ସାମପୁର) ଓ ୟୁନିଟ୍‌-୮ ଡିଏଭି ଏବଂ ଅରବିନ୍ଦ ସ୍କୁଲ୍‌ (ଗଣ୍ଡରପୁର) ଓ କିସ୍‌ ସ୍କୁଲ୍‌ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର