ଆଉ ୧୩ ଦିନ: ୧୯୮୩ କପିଳ କମାଲ, ଭାରତ ନୂଆ ବିଜେତା

0

୧୯୮୩ ମସିହାରେ ଲଗାତର ତୃତୀୟ ଥର ପାଇଁ ଇଂଲଣ୍ଡରେ ଆୟୋଜିତ ହୋଇଥିଲା କ୍ରିକେଟ୍‍ ବିଶ୍ୱକପ୍‍ର ତୃତୀୟ ସଂସ୍କରଣ। ଦୁର୍ଦ୍ଧର୍ଷ ୱେଷ୍ଟଇଣ୍ଡିଜ୍‍ ଏଥିରେ ବାଜି ମାରି ନେବାର ସମ୍ଭାବନା ଅଧିକ ଥିଲା। କାରଣ ୧୯୭୫ ଓ ୧୯୭୯ର ପ୍ରଥମ ଦୁଇ ବିଶ୍ୱ ଲଢ଼େଇରେ ୱେଷ୍ଟଇଣ୍ଡିଜ୍ ସହଜରେ ଅନ୍ୟମାନଙ୍କୁ ପଛରେ ପକାଇ ବିଶ୍ୱ ବିଜେତା ହେବାର ସୌଭାଗ୍ୟ ଲାଭ କରିଥିଲା। ସେଥିପାଇଁ କ୍ରିକେଟ୍‍ ପଣ୍ଡିତଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଇଣ୍ଡିଜ୍ ୧୯୮୩ରେ ହ୍ୟାଟ୍ରିକ୍‍ କରିବ ବୋଲି ଭବିଷ୍ୟବାଣୀ କରିଥିଲେ। ହେଲେ କପିଳ ଦେବଙ୍କ ନେତୃତ୍ୱରେ ଇଂଲଣ୍ଡ ଯାଇଥିବା ସ୍ୱଳ୍ପ ପରିଚିତ ଭାରତୀୟ ଦଳ ଭିନ୍ନ ଯୋଜନା ନେଇ ପଡ଼ିଆକୁ ଓହ୍ଲାଇଥିଲା। ସମସ୍ତଙ୍କୁ ଚକିତ କରି ପ୍ରତିଯୋଗିତାର ଅନ୍ୟତମ ଦୁର୍ବଳ ଦଳ ଭାରତ ଫାଇନାଲରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍‍କୁ ହରାଇ ଇଂଲଣ୍ଡ ମାଟିରେ ବିଜୟ ବାନା ଉଡ଼ାଇ ଥିଲା। ତା ସହିତ କ୍ରିକେଟ୍‍ ଦୁନିଆରେ ଏକ ନୂଆ ଶକ୍ତିର ଅଭ୍ୟୁଦୟ ହୋଇଥିଲା।

୧୯୮୩ ମସିହା ଜୁନ୍‍ ୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଖେଳା ଯାଇଥିବା ତୃତୀୟ ବିଶ୍ୱକପ୍‍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବେଶ୍‍ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ଅନେକ ନାଟକୀୟ ଫଳାଫଳ ମଧ୍ୟ ମିଳିଥିଲା। ହେଲେ ବିଶ୍ୱକପ୍‌ର ନାଁ ପୂର୍ବଭଳି ପ୍ରୁଡେନ୍‍ସିଆଲ କପ୍‍ ରହିଥିଲା। ପାରମ୍ପରିକ ଭାବେ ୮ଟି ଦେଶକୁ ନେଇ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଭାରତ ଓ ଜିମ୍ୱାୱେ ଭଳି ଦୁର୍ବଳ ଦଳ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦେଶକୁ ହରାଇ କ୍ରିକେଟ୍‍ ଜଗତରେ ହଇଚଇ ସୃଷ୍ଟି କରିଥିଲେ। ବିଶେଷ କରି ଭାରତ ତାର ଯୁବ ଅଧିନାୟକ କପିଳ ଦେବ ଓ ଅଲରାଉଣ୍ଡର ମହିନ୍ଦର ଅମରନାଥଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଅନେକ ହାରିବା ମ୍ୟାଚ୍‍କୁ ଜିତି ସମସ୍ତଙ୍କୁ ଚକିତ କରି ଦେଇଥିଲା। ଗ୍ରୁପ୍‍-ବି’ରେ ସ୍ଥାନ ପାଇଥିବା ଭାରତ ମାତ୍ର ୧୭ ରନ୍‌ରେ ୫ ୱିକେଟ୍‍ ହରାଇ ସଙ୍କଟରେ ପଡ଼ିଥିଲା ବେଳେ କପିଳ (୧୭୫ ରନ୍, ୧୩୮ ବଲ୍‍, ୧୬ ଚୌକା, ୬ ଛକା)ଙ୍କ ବିସ୍ଫୋରକ ଶତକ ବଳରେ ଜିମ୍ୱାୱେକୁ ହରାଇ ୱେଷ୍ଟଇଣ୍ଡିଜ ପଛକୁ ଗ୍ରୁପ୍‍ ବି’ର ଦ୍ୱିତୀୟ ଶ୍ରେଷ୍ଠ ଦଳ ଭାବେ ସେମିଫାଇନାଲ୍‌ ପ୍ରବେଶ କରିଥିଲା। ସେହିଭଳି ଗୁପ୍‍ ଏ’ରୁ ଇଂଲଣ୍ଡ ଓ ପାକିସ୍ତାନ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଓଲ୍‍ଡ ଟ୍ରାଫର୍ଡଠାରେ ଖେଳା ଯାଇଥିବା ପ୍ରଥମ ସେମିଫାଇନାଲରେ ଭାରତ ଆୟୋଜକ ଇଂଲଣ୍ଡକୁ ଭେଟିଥିଲା। ୬୦ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ କପିଳ (୩ ୱିକେଟ୍‍), ଅମରନାଥ (୨ ୱିକେଟ୍‍) ଓ ରୋଜର ବିନ୍ନି (୨ ୱିକେଟ୍‍)ଙ୍କ ମାପଚୁପ ବୋଲିଂ ବଳରେ ଇଂଲଣ୍ଡକୁ ମାତ୍ର ୨୧୩ ରନ୍‌ରେ ଭାରତ ସୀମିତ ରଖି ପାରିଥିଲା। ପରେ ଯଶପାଲ ଶର୍ମା (୬୧ ରନ୍‍) ଓ ସନ୍ଦୀପ ପାଟିଲ (୫୧)ଙ୍କ ଅର୍ଧଶତକ ବଳରେ ମାତ୍ର ୪ ୱିକେଟ୍‌ରେ ୨୧୪ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରି ପ୍ରଥମ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଥିଲା। ଦି ଓଭାଲ୍‌ରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଧାର୍ଯ୍ୟ କରିଥିବା ୧୮୫ ରନ୍‍ର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇ ୱେଷ୍ଟଇଣ୍ଡିଜ୍‍ ଦ୍ୱିତୀୟ ଦଳ ଭାବେ ଓ ଲଗାତାର ତୃତୀୟ ଥର ପାଇଁ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଫାଇନାଲରେ ମାଲକମ୍‍ ମାର୍ସାଲ, ଜୋଏଲ ଗାର୍ନର, ମାଇକେଲ ହୋଲ୍‍ଡିଂ ଓ ଆଣ୍ଡି ରବର୍ଟସଙ୍କୁ ନେଇ ଗଠିତ ୱେଷ୍ଟଇଣ୍ଡିଜ୍‍ ଦ୍ରୁତ ବୋଲିଂ ବାହିନୀ ଭାରତୀୟ ଶୀର୍ଷକ୍ରମକୁ ଜଣକ ପରେ ଜଣେ ଧରାଶାୟୀ କରିଥିଲେ। ତେବେ ନିମ୍ନକ୍ରମ ଖେଳାଳିଙ୍କ ଉପଯୋଗୀ ବ୍ୟାଟିଂ ପାଇଁ ଭାରତ ୧୮୩ (୫୪.୪ ଓଭର) ରନ୍‍ର ସମ୍ମାନଜନକ ସ୍କୋର କରି ନେଇଥିଲା। କୃଷ୍ଣମଚାରି ଶ୍ରୀକାନ୍ତ ସର୍ବାଧିକ ୩୮ ରନ୍‍ କରିଥିଲା ବେଳେ ସନ୍ଦୀପ ପାଟିଲ ୨୭ ଓ ଅମରନାଥ ୨୬ ରନ୍‍ କରିଥିଲେ। ତାରକା ଖଚିତ ୱେଷ୍ଟଇଣ୍ଡିଜ୍‍ ବ୍ୟାଟିଂକ୍ରମ ପାଇଁ ଏହି ଲକ୍ଷ୍ୟ ଅତ୍ୟନ୍ତ ଛୋଟିଆ ବୋଲି କୁହାଯାଉଥିଲା। ତେବେ ଇଣ୍ଡିଜ୍‍ ବ୍ୟାଟିଂ କରିବାକୁ ଆସିଲା ବେଳେ ଭାରତୀୟ ବୋଲର ନିଜ ଯାଦୁ ଦେଖାଇଥିଲେ। ପାଗ ଓ ପିଚ୍‍ର ଭରପୁର ଫାଇଦା ଉଠାଇ ଦୁର୍ଦ୍ଧର୍ଷ ୱେଷ୍ଟଇଣ୍ଡିଜ୍‍କୁ ମାତ୍ର ୧୪୦ ରନ୍‌ରେ ସୀମିତ ରଖି ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ୍‍ ଜିତିବାର ଗୌରବ ଅର୍ଜନ କରିଥିଲା। ୨୫ ଗଜ ଦୂରରୁ ଦୌଡ଼ି କପିଳ ଭିଭିଆନ୍‍ ରିଚାର୍ଡସଙ୍କ କ୍ୟାଚ୍‍ ନେବା ମ୍ୟାଚ୍‍ର ମୋଡ଼ ବଦଳାଇ ଦେଇଥିଲା। ସେହି କ୍ୟାଚ୍‍ ଆଜି ବି କ୍ରିକେଟ୍‍ ଇତିହାସର ଅନ୍ୟତମ ଶ୍ରେଷ୍ଠ କ୍ୟାଚ୍‍ ଭାବେ ପରିଗଣିତ ହେଉଛି। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଅମରନାଥ ସେମିଫାଇନାଲ୍‍ ଭଳି ଫାଇନାଲରେ ମଧ୍ୟ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଇଂଲଣ୍ଡର ଡେଭିଡ୍‍ ଗାୱାର (୩୮୪) ପ୍ରତିଯୋଗିତାରେ ସର୍ବାଧିକ ରନ୍‍ ଓ ଭାରତର ରୋଜର ବିନ୍ନି (୧୮) ସର୍ବାଧିକ ୱିକେଟ୍‍ ନେଇଥିଲେ। ଲର୍ଡସ ବାଲକୋନିରେ କପିଳ ଯେତେବେଳେ ବିଶ୍ୱକପ୍‍ ଧରି ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲେ ସେତେବେଳେ ସବୁ ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠିଥିଲା।

ସଂଖ୍ୟାରେ ବିଶ୍ୱକପ୍‍
୨୦୧୧ ବିଶ୍ୱକପ୍‌ରେ କାନାଡାର ଜନ୍‍ ଡେଭିଡ୍‍ସନ୍‍ ଓ ହିରାଲ ପଟେଲ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୨୩ଟି ବଲ୍‍ରୁ ୪୧ ରନ୍‍ ସଂଗ୍ରହ କରିଥିଲେ। ଏହି ଦୁଇ ଜଣଙ୍କ ଷ୍ଟ୍ରାଇକ୍‍ ରେଟ୍‍ ବା ରନ୍‍ ସଂଗ୍ରହ ହାର ଥିଲା ୧୭୮। ଯାହା ବିଶ୍ୱକପ୍‌ରେ କୌଣସି ସହଯୋଗୀ ସଦସ୍ୟ ରାଷ୍ଟ୍ରର ଏକ ପୂର୍ଣ୍ଣକାଳୀନ ସଦସ୍ୟ ରାଷ୍ଟ୍ର ବିପକ୍ଷରେ ଥିଲା ସର୍ବାଧିକ ପ୍ରଥମ ୱିକେଟ୍‍ ଭାଗୀଦାରି ରନ୍‍ ସଂଗ୍ରହ ହାର।

ସମ୍ବନ୍ଧିତ ଖବର

Leave A Reply

Your email address will not be published.