ମହାନଦୀରେ ଆରମ୍ଭ ହେଲା ଓ୍ଵିଣ୍ଡ୍‌ ସର୍ଫିଂ:ଜଳକ୍ରୀଡ଼ା ସହ ପର୍ଯ୍ୟଟନ ପାଇଁ ସୁଯୋଗ

କଟକ: ମହାନଦୀରେ ଆଜିଠୁ ପ୍ରଥମ ଥର ପାଇଁ ଓ୍ଵିଣ୍ଡ ସର୍ଫି ଆରମ୍ଭ ହୋଇଛି। ମହାନଦୀ ସଫେଇ ଅଭିଯାନ ପାଇଁ ଆରମ୍ଭ ହୋଇଥିବା ୮ ନମ୍ବର ଓ୍ଵାର୍ଡ ଯୁବକମାନଙ୍କୁ ନେଇ ଗଢା ହୋଇଥିବା ସେଲିଂ କ୍ଲବ୍‌ ଦ୍ୱାରା ଓ୍ଵିଣ୍ଡ୍‌ ସର୍ଫିଂ ଖେଳ ଆରମ୍ଭ ହୋଇଛି। ଏଥିପାଇଁ ଅଭିଯାନର ନେତୃତ୍ୱ ନେଉଥିବା ଓଡ଼ିଶା ୟାଚିଂ ସଂଘର ସମ୍ପାଦକ ତଥା ଆନ୍ତର୍ଜାତିକ ସ୍କୁବା ଡାଇଭର ସବିର ବକ୍ସ ଉକ୍ତ ସର୍ଫିଂ ବୋର୍ଡ ପ୍ରଦାନ କରିଛନ୍ତି। ନବାଗତଙ୍କ ପ୍ରଶିକ୍ଷଣ ପାଇଁ ଆନ୍ତର୍ଜାତିକ ଓ୍ଵିଣ୍ଡ୍‌ ସର୍ଫର ଦିଲେଓ ରାଓ ଏଠାରେ ପ୍ରଶିକ୍ଷଣ ଦେବେ। ଏଠାରୁ ଭଲ ଖେଳାଳିଙ୍କୁ ଚୟନ କରାଯାଇ ରାମଚଣ୍ଡୀସ୍ଥିତ ଜଳକ୍ରୀଡ଼ା କେନ୍ଦ୍ରରେ ବିଶ୍ୱସ୍ତରୀୟ ତାଲିମ ଦିଆଯିବ ବୋଲି ସବିର କହିଛନ୍ତି।
ପୂର୍ବରୁ ଏଠାରେ ଜଳକ୍ରୀଡ଼ା ପ୍ରତି ଆକର୍ଷିତ କରିବା ପାଇଁ ସବିର ଦୁଇଟି କାୟାକିଂ ବୋର୍ଡ ପ୍ରଦାନ କରିଥିଲେ। ଏବେ ପ୍ରାୟ ଦେଢ ଲକ୍ଷ ଟଙ୍କାର ସର୍ଫିଂ ବୋର୍ଡ ସହିତ ପ୍ରାୟ ୪୫ହଜାର ଟଙ୍କାର ୩.୨ ମିଟରର ସେଲ୍‌କୁ ଉକ୍ତ ବୋର୍ଡରେ ଲଗାଯାଇଛି। ଏହା ସବିରଙ୍କ ପ୍ରଥମ ବୋର୍ଡ ହୋଇଥିଲା ବେଳେ ଏଥିରେ ମନସ୍ୱିନୀ ମହାରଣା, ଦିଲେଶ ରାଓ ପ୍ରମୁଖ ଆନ୍ତର୍ଜାତିକ ପଦକ ଜିତିଛନ୍ତି। ତେଣୁ ଏହି ବୋର୍ଡ ତାଙ୍କ ପାଇଁ ଖାସ୍‌ ହୋଇଥିଲା ବେଳେ ଏଥିରେ ନବାଗତମାନେ ପ୍ରଶିକ୍ଷଣ ନେଲେ ପ୍ରେରଣା ପାଇବେ ବୋଲି ସେ କହିଛନ୍ତି। ଯଦି ପ୍ରାରମ୍ଭିକ ପର୍ଯ୍ୟାୟ ଭଲରେ ଚାଲେ ତାହେଲେ ଆଗକୁ ସାଢେ ୫ମିଟର ଲମ୍ବର ସେଲ୍‌ ଯୋଗାଇ ଦିଆଯିବ ଏବଂ ଭବିଷ୍ୟତରେ ଏଠାରେ ଓ୍ଵିଣ୍ଡ ସର୍ଫିଂ ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇପାରିବ। ଏହା ଜଳକ୍ରୀଡ଼ା ସହିତ ପର୍ଯ୍ୟଟନକୁ ମଧ୍ୟ ଆକର୍ଷିତ କରିବାରେ ସହାୟକ ହେବ। ଏଥିପାଇଁ ସରକାରୀ ସହାୟତା ଓ ପ୍ରୋତ୍ସାହନର ଆବଶ୍ୟକତା ରହିଥିବା ସବିର କହିଛନ୍ତି। ସ୍ଥାନୀୟ ଯୁବକଙ୍କ ମଧ୍ୟରେ ରୋହନ ପ୍ରସାଦ ମଲ୍ଲିକ, ସତ୍ୟ ସ୍ୱରୂପ ମଲ୍ଲିକ, ପ୍ରକାଶ ବିଶ୍ୱାଳ, ସାନୁ ସେଠୀ, ସୌମ୍ୟରଂଜନ ସାହୁ, ସାହିଲ ଦତ୍ତ, ରଶ୍ମିରଂଜନ ସାହୁ, ରାଜାରାମ ବେହେରା, ଶଙ୍କର ଘଡେଇ, ବିଜ୍ଞାନ ବେହେରା, ମନୋଜ କୁମାର ସାହୁ, ସତ୍ୟପ୍ରକାଶ ମହାପାତ୍ର, ଶାନ୍ତନୁ ବେହେରା, ଆର୍‌.କେ. ମହାରଣା ପ୍ରମୁଖ ଓ୍ଵିଣ୍ଡ୍‌ ସର୍ଫିଂ ଓ କାୟାକିଂକୁ ପରିଚାଳନା କରୁଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର