ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ, ପ୍ରି-କ୍ବାର୍ଟର ଫାଇନାଲ୍‌ରେ ସୋନିଆ ଓ ସରିତା

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ମହିଳା ମୁଷ୍ଟିଯୁଦ୍ଧ ବିଶ୍ବ ପ୍ରତିଯୋଗିତାରେ ମନୀଷା ମୁନ୍‌ଙ୍କ ଭଳି ଅନ୍ୟତମ ଭାରତୀୟ ସୋନିଆ ଓ ଏଲ୍‌ ସରିତା ଦେବୀ ମଧ୍ୟ ପ୍ରିକ୍ବାର୍ଟର ଫାଇନାଲ୍‌ ପହଞ୍ଚି ଯାଇଛନ୍ତି। ଶନିବାର ୫୭ କେଜି ବର୍ଗରେ ମରକ୍କୋର ଦୋଆ ତୌଜାନିଙ୍କୁ ୫-୦ରେ ପରାସ୍ତ କରି ୨୧ ବର୍ଷ ବୟସ୍କା ହରିଆଣା ଝିଅ ସୋନିଆ ଏହି ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ପ୍ରିକ୍ବାର୍ଟର ଫାଇନାଲ୍‌ରେ ସୋନିଆଙ୍କ ମୁକାବିଲା ୨୦୧୪ ବିଶ୍ବ ପ୍ରତିଯୋଗିତାର ସ୍ବର୍ଣ୍ଣ ବିଜୟିନୀ ବୁଲ୍‌ଗେରିଆର ଷ୍ଟାନିମିରା ପିତ୍ରୋଭାଙ୍କ ସହ ହେବ। ବରିଷ୍ଠ ସ୍ତରରେ ଏହା ମଧ୍ୟ ସୋନିଆଙ୍କର ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତା। ଏହା ପୂର୍ବରୁ ସେ ୨୦୧୬ରେ ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ, ଗତବର୍ଷ ସର୍ବିଆ କପ୍‌ରେ ସ୍ବର୍ଣ୍ଣ ଏବଂ ଚଳିତ ବର୍ଷ ଅହମେଟ୍‌ କମର୍ଟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ। ଅନ୍ୟପକ୍ଷରେ ୨୦୦୬ ସଂସ୍କରଣରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ସରିତା ଦେବୀ ଶୁକ୍ରବାର ରାତିରେ ଏଠାରେ ୬୦ କେଜି ବର୍ଗ ପ୍ରଥମ ଲଢ଼େଇରେ ସ୍ବିଜରଲାଣ୍ଡ୍‌ ପ୍ରତିଦ୍ବନ୍ଦ୍ବୀ ଦିଆନା ସାନ୍ଦ୍ରାଙ୍କୁ ୪-୦ରେ ପରାସ୍ତ କରିଦେଇଥିଲେ। ରବିବାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ସରିତାଙ୍କ ଲଢ଼େଇ ଆୟର୍ଲାଣ୍ଡ୍‌ର କେଲି ହେରିଙ୍ଗ୍‌ଟନ୍‌ଙ୍କ ସହ ହେବ।

ସମ୍ବନ୍ଧିତ ଖବର