ପୂର୍ବତନ ବିଚାରପତି ଡିକେ ଜୈନ ବିସିସିଆଇ ଲୋକପାଳ

ନୂଆଦିଲ୍ଲୀ: ପୂର୍ବତନ ବିଚାରପତି ଡିକେ ଜୈନଙ୍କୁ ବିସିସିଆଇର ଲୋକପାଳ ନିଯୁକ୍ତ କରାଯାଇଛି। ଉଚ୍ଚତମ ନ୍ୟାୟାଳୟ ଗୁରୁବାର ଏହି ନିର୍ଦେଶନାମା ଜାରି କରିଛନ୍ତି। ବିଚାରପତି ଏସ୍‌ଏ ବୋବଦେ ଓ ଏଏମ୍ ସାପ୍ରେଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଜୈନଙ୍କ ନାମ ଘୋଷଣା କରିଥିଲେ। ମାନ୍ୟବର ବିଚାରପତି ଦ୍ବୟ କହିଥିଲେ, ଆମେ ଖୁସି ଯେ ସର୍ବସମ୍ମତିକ୍ରମେ ଏବଂ ସମସ୍ତଙ୍କ ପରାମର୍ଶ ନେଇ ପୂବର୍ତନ ବିଚାରପତି ଡିକେ ଜୈନଙ୍କୁ ବିସିସିଆଇର ଲୋକପାଳ ନିଯୁକ୍ତ କରାଯାଉଛି। ସୂଚନାଯୋଗ୍ୟ ଯେ ବିସିସିଆଇ ଲୋକପାଳ ପଦ ଲାଗି ୬ ଜଣ ପୂର୍ବତନ ବିଚାରପତିଙ୍କ ନାଁ ଚର୍ଚାକୁ ଆସିଥିଲା। ହେଲେ ଶ୍ରୀ ଜୈନଙ୍କ ନାମରେ ସହମତି ହୋଇଥିଲା। ଲୋକପାଳ ଆର୍ଥିକ ମାମଲା ସହ ରାଜ୍ୟ ସଂଘ ଏବଂ ଖେଳାଳିଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ବିବାଦର ସମାଧାନ ମଧ୍ୟ କରିବେ। ଉଚ୍ଚତମ ନ୍ୟାୟାଳୟ ଗତବର୍ଷ ଅଗଷ୍ଟ ୯ରେ ବିସିସିଆଇରେ ଲୋକପାଳ ନିଯୁକ୍ତ କରିବାକୁ ପରାମର୍ଶ ଦେଇଥିଲେ।

ସିଓଏରେ ଆଉ ୩ ସଦସ୍ୟ ନିଯୁକ୍ତ
ପ୍ରଶାସକ ସମିତି (ସିଓଏ)ର ମୁଖ୍ୟ ବିନୋଦ ରାଏ ଏବଂ ଏହାର ସଦସ୍ୟା ଡାଏନା ଏଡୁଲ୍‌ଜୀଙ୍କ ମଧ୍ୟରେ ବିସିସିଆଇର ନିର୍ଦିଷ୍ଟ କିଛି ପ୍ରସଙ୍ଗକୁ କେନ୍ଦ୍ରକରି ମତପାର୍ଥକ୍ୟ ସାଧାରଣରେ ଚର୍ଚ୍ଚା ହେଉଥିବାକୁ ନେଇ ଉଚ୍ଚତମ ନ୍ୟାୟାଳୟ ଖୁବ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷକରି ହାର୍ଦିକ୍‌ ପାଣ୍ଡ୍ୟା ଓ ଲୋକେଶ ରାହୁଲ୍‌ଙ୍କ ମାମଲାକୁ ନେଇ ରାଏ ଓ ଏଡୁଲ୍‌ଜୀଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଆସୁଛି। ମତପାର୍ଥକ୍ୟକୁ ନେଇ ସାଧାରଣସ୍ତରକୁ ନଯିବା ପାଇଁ ଉଚ୍ଚତମ ନ୍ୟାୟାଳୟ ଇତି ମଧ୍ୟରେ ଉଭୟଙ୍କୁ ଚେତାଇ ଦେଇଛନ୍ତି। ଏଭଳି ସ୍ଥିତିରେ ସୁଧାର ଆଣିବାକୁ ଉଚ୍ଚତମ ନ୍ୟାୟାଳୟ ଆଉ ୩ ସଦସ୍ୟଙ୍କୁ ସିଓଏରେ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଦେ ଓ ଏମ୍‌ ସାପ୍ରେଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଏହି ନିଯୁକ୍ତି ଦେଇଛନ୍ତି। ଆରମ୍ଭରୁ ସିଓଏ ୪ ଜଣିଆ ସଦସ୍ୟ ବିଶିଷ୍ଟ ରହିଥିଲା ବେଳେ ଐତିହାସିକ ରାମଚନ୍ଦ୍ର ଗୁହା ଏବଂ ବ୍ୟାଙ୍କର୍‌ ବିକ୍ରମ ଲିମାୟେଙ୍କ ଇସ୍ତଫା ପରେ ଏବେ ମାତ୍ର ଦୁଇ ସଦସ୍ୟ ରହିଥିଲେ। ତେଣୁ କୌଣସି ପ୍ରସଙ୍ଗ ଉପରେ ସହମତି ହେଉନା‌ହିଁ। ତେଣୁ ନୂଆ କରି ୩ ଜଣ ସଦସ୍ୟଙ୍କୁ ନିଯୁକ୍ତି ପରେ ସିଓଏ ଏବେ ୫ ଜଣରେ ଚାଲିବ। ତେଣୁ ସହମତି ନେଇ ବିଶେଷ ଅସୁବିଧା ହେବନାହିଁ ବୋଲି ଉଚ୍ଚତମ ନ୍ୟାୟାଳୟ ଆଶା ରଖିଛି।

ସମ୍ବନ୍ଧିତ ଖବର