‘ମୋ ସ୍କୁଲ’ କାର୍ଯ୍ୟକ୍ରମର ୪ର୍ଥ ପର୍ଯ୍ୟାୟ : ୧୮ ଜିଲ୍ଲାର ୧୪୯୯ ସ୍କୁଲ ସାମିଲ

ଭୁବନେଶ୍ୱର : ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୪୯୯ଟି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସ୍ଥିର ହୋଇଛି। ଏଥିରେ ବୌଦ୍ଧ ଜିଲ୍ଲାର ୭ଟି ସ୍କୁଲ ରହିଥିବା ବେଳେ ବରଗଡ଼ର ୨୩୪, କଟକର ୮୭, ଗଞ୍ଜାମର ୨୩୩, ଜଗତ୍‌ସିଂହପୁରର ୧୭, ଝାରସୁଗୁଡ଼ାର ୪୬, ଖୋର୍ଦ୍ଧାର ୪୫, କଳାହାଣ୍ଡିର ୧୨, କନ୍ଧମାଳର ୧୬, କେନ୍ଦ୍ରାପଡ଼ାର ୧୧୬, କୋରାପୁଟର ୧୫୦, ମୟୂରଭଞ୍ଜର ୨, ନୂଆପଡ଼ାର ୧୦୩, ନବରଙ୍ଗପୁରର ୧୭୬, ସୋନପୁରର ୬୪, ସମ୍ବଲପୁରର ୭୩, ସୁନ୍ଦରଗଡ଼ର ୧୦୦ ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ବିଦ୍ୟାଳୟ ରହିଛି। ଏହି ସବୁ ଜିଲ୍ଲାର ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ୧୬ କୋଟି ୬୪ ଲକ୍ଷ ୮୮ ହଜାରରୁ ଅଧିକ ଅର୍ଥ ବ୍ୟୟ କରାଯିବ। ଏଥିରୁ ରାଜ୍ୟ ସରକାର ୧୧ କୋଟି ୯ ଲକ୍ଷ ୯୨ ହଜାର ଟଙ୍କା ଅନୁଦାନ ଦେଇଥିବା ବେଳେ ସାଧାରଣ ଲୋକଙ୍କଠାରୁ ୫ କୋଟି ୫୪ ଲକ୍ଷ ୯୬ ହଜାର ଟଙ୍କା ସଂଗୃହିତ ହୋଇଛି।

ବରାଦ ହୋଇଥିବା ଅର୍ଥରେ ସ୍କୁଲର ଭିତ୍ତିଭୂମି, ଶ୍ରେଣୀଗୃହର ଉନ୍ନତି, ପାଠାଗାର-ପୁସ୍ତକ, ଖେଳ ସାମଗ୍ରୀ, ଶ୍ରେଣୀଗୃହର ଆସବାବପତ୍ର ଯୋଗାଣ, ସ୍କୁଲ ବଗିଚା ଆଦିର ଉନ୍ନତିକରଣ କାର୍ଯ୍ୟ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ୪ର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହା ସ୍ଥିର ହୋଇଛି। ସୂଚନାଯୋଗ୍ୟ ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ଆଜି ଯାଏ ୪ ହଜାର ୯୭ଟି ସ୍କୁଲ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏବାବଦରେ ୩୮ କୋଟି ୪୯ ଲକ୍ଷ ୪୯ ହଜାର ଟଙ୍କା ମଞ୍ଜୁର କରାଯାଇଛି। ମଞ୍ଜୁର ଅର୍ଥ ୧୫ ଦିନ ମଧ୍ୟରେ ସମ୍ପୃକ୍ତ ସ୍କୁଲରେ ପହଞ୍ଚିବା ସହ ପ୍ରସ୍ତାବିତ କାର୍ଯ୍ୟ ଅନ୍‌ଲାଇନ୍‌ ମନିଟରିଂ କରାଯିବାକୁ ବ୍ୟବସ୍ଥା ହୋଇଛି ବୋଲି ମାଧ୍ୟମିକ ଶିକ୍ଷା ମିସନ ତଥା ଓପେପାର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ସୂଚନା ଦେଇଛନ୍ତିି।

ସମ୍ବନ୍ଧିତ ଖବର