ବଲାଙ୍ଗୀର ପାଇଁ ୧୫୪୫ କୋଟି ଟଙ୍କାର ପ୍ରକଳ୍ପ

ସମ୍ବଲପୁର: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସି ଭାରତ ସରକାରଙ୍କ ୧୫୪୫କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାରେ ୧୫.୮କୋଟି ଟଙ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ, ରେଳ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାର ମଲ୍ଲି ମେଟାଲ ଲଜିଷ୍ଟିକ ପାର୍କ ପାଇଁ ଶହେ କୋଟି, ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର ବିଛୁପାଲି ମଧ୍ୟରେ ୧୧୫କୋଟି ଟଙ୍କାର ନୂତନ ରେଳ ଚଳାଚଳର ଉଦଘାଟନ, ଝରସୁଗୁଡ଼ା ବିଜୟନଗରମ ଏବଂ ସମ୍ବଲପୁର ଅନୁଗୋଳ ରାସ୍ତାର ୮୧୩ କିଲୋମିଟର ଲମ୍ବର ବିଦ୍ୟୁତକରଣ ପାଇଁ ୧୦୮୫କୋଟି, ବଲାଙ୍ଗୀର ଜିଳ୍ଲାର ବଲାଙ୍ଗୀର ଦେଓଗାଁ ଏବଂ ବରପାଲି ଡୁଙ୍ଗୁରିପାଲି ରାସ୍ତାର ୩୨.୫୬ କିଲୋମିଟର ରାସ୍ତାର ଦୋହରିକରଣ ପାଇଁ ୧୮୯.୩୨ କୋଟି ଟଙ୍କା, ରାୟଗଡ଼ା ଜିଳ୍ଲାର ଥେରୁବାଲି –ସିଙ୍ଗାପୁର ରୋଡ଼ ଷ୍ଟେସନ ମଧ୍ୟରେ ୫୮୮ଟି ବ୍ରିଜ ନିର୍ମାଣ ବାବଦରେ ୨୭ କୋଟି ୪୫ଲକ୍ଷ ଟଙ୍କା ସହ ସଂସ୍କୃତି ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲାର ନୀଳମାଧବ ଓ ସିଦ୍ଦେଶ୍ୱରୀ ମନ୍ଦିର ଗନ୍ଧରଡ଼ି, ରାଣିପୁର ଝରିଏଲ ସ୍ମାରକୀ ସମୂହ, ବଲାଙ୍ଗୀର ଓ ପଶ୍ଚିମ ସେମାନାଥ ଏବଂ ମନ୍ଦିର ସମୂହ ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ୧୦କୋଟି ୨୮ ଲକ୍ଷ, କଳାହାଣ୍ଡି ଜିଳ୍ଲାର ଅସୁରଗଡ଼ ଦୁର୍ଗର ପ୍ରାଚୀନ କୀର୍ତ୍ତି ର ବିକାଶ ପାଇଁ ୨କୋଟି ୨ଲକ୍ଷ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବଳାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କନ୍ଧମାଳ ଓ ବରଗଡ଼ ଜିଳ୍ଲାର ୬ଟି ନୂତନ ପାସପୋର୍ଟ ସେବା କେନ୍ଦ୍ର ଇତ୍ୟାଦିକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ, ଶିଳାନ୍ୟାସ ଓ ଶୁଭାରମ୍ଭ କରିଥିଲେ। ସୂଚନା ଯୋଗ୍ୟ ଯେ, ଗତ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାକୁ ତୃତୀୟ ଗସ୍ତ । ପ୍ରଥମ ଗସ୍ତରେ ୧୪. ୫୨୩ କୋଟି, ଦ୍ବିତୀୟ ଗସ୍ତ ଅର୍ଥାତ ଗତ ୫ତାରିଖ ଦିନ ୪୭୩୩ କୋଟି ଓ ୧୫ ତାରିଖରେ ୧୫୪୫କୋଟି ମୋଟ ୨୦, ୮୦୧କୋଟି ଟଙ୍କାର ଉଦଘଟନ ଓ ଶୁଭାରମ୍ଭ କରିଥିବା ଜଣାପଡ଼ିଛି।

ଆସିଲେ ନାହିଁ ନିମନ୍ତ୍ରିତ ଅତିଥି
ଭାରତ ସରକାରଙ୍କ ରେଳ ବିଭାଗ ପକ୍ଷରୁ ବଣ୍ଟନ କରାଯାଇଥିବା ନିମନ୍ତ୍ରଣ ପତ୍ରରେ ନାମ ଥିବା ଅତିଥି ଯଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର, ରେଳମନ୍ତ୍ରୀ ପିୟୁଷ ଗୋଏଲ ଓ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ନାମ ଥିବା ବେଳେ ଆସି ନଥିଲେ। ସେହିପରି ନିମନ୍ତ୍ରଣ ପତ୍ରରେ ନାମ ନଥିବା ରାଜ୍ୟ ବିରୋଧୀ ଦଳର ନେତା ନରସିଂହ ମିଶ୍ର ଓ ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂଦେଓ, ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

ପାସ୍‌ ବେଶୀ ଚୌକି କମ
ପ୍ରଧ଼ାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖିବା ପାଇଁ ସାଧାରଣ ଲୋକ ସହ କିଛି ଭିଆଇପି ଲୋକ ବଲାଙ୍ଗୀର ରେଳ ଷ୍ଟେସନ କାର୍ଯ୍ୟକ୍ରମରେ ଜମା ହୋଇଥିଲେ। ସେଥି ମଧ୍ୟରୁ ଅନେକ ଲୋକଙ୍କୁ ବିଭାଗ ପକ୍ଷରୁ ଗେଟ ପାସ ଯୋଗାଇ ଦିଆଯାଇଥିଲେ ମଧ୍ୟ ସିଟ ଅଭାବରୁ ଠିକ ଭାବେ ଦେଖିବା ଓ ଭାଷଣ ଶୁଣିିବାରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି।

ଲୋକ ଗହଳିରେ ଫସିଲା କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି
ସଭାସ୍ଥଳରେ ଚୌକି ପଡ଼ିବା ପରେ ପାସ ପାଇଥିବା ଲୋକଙ୍କୁ ଭିତରକୁ ଯିବାକୁ ବାରଣ କରାଯାଇଥିଲା। ବେରିକେଡ କରି ପ୍ରବେଶ ପଥକୁ ଅବରୋଧ କରାଯାଇଥିଲା। ଏହି ସମୟରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡ଼ି ଆସି ଭିଡ଼ରେ ଫସି ଯାଇଥିଲା। ପୁଲିସର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ବେରିକେଡ ଭାଙ୍ଗି ଲୋକ ପଶିଲେ
ଝୁଣ୍ଟିଲେ କେନ୍ଦ୍ରମନ୍ତ୍ରୀ ମୋଦିଙ୍କୁ ଦେଖିବା ପାଇଁ ଆଶାତୀତ ଭାବରେ ଲୋକଙ୍କ ଗହଳି ହୋଇଥିଲା। ଏହି ସମୟରେ ଠିକ ଭାବେ ବ୍ୟବସ୍ଥା ହୋଇନଥିବାରୁ ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଝୁଣ୍ଟି ପଡ଼ିଥିଲେ।

ମୋଦୀଙ୍କ ଗାଡ଼ି
ହେଲିପ୍ୟାଡରୁ ରେଳୱେ ପଡ଼ିଆକୁ ଆସିବା ପାଇଁ ମୋଦୀଙ୍କ ସକାଶେ ୩ଟି ଗାଡ଼ି ଯୋଜାନା କରାଯାଇଥିଲା। ହେଲେ କେଉଁ ଗାଡ଼ିରେ ପ୍ରଧାନମନ୍ତ୍ରୀ ଆସିବେ ତାହାକୁ ନେଇ ଲୋକଙ୍କ ମଧ୍ୟରେ ତର୍କ ବିତର୍କ ଚାଲିଥିଲା। ଶେଷରେ ଏକ ରେଞ୍ଜ ରୋଭର ଗାଡ଼ିରେ ଡିଏଲ୨ସିଏଏକ୍ସ୮୬୨୪ନମ୍ବର ଲେଖାଥିବା ଗାଡ଼ିରେ ଆସିଥିଲେ। ମୋଦି ୧୦.୩ ମିନିଟ ସମୟରେ ଅବତରଣ କରିଥିବା ବେଳେ ୧୦.୦୩ ଉଡ଼ାଣ ୧୦.୫୨ସମୟରେ ବଲାଙ୍ଗୀର ପଥରଚେପାରେ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ।

ସମ୍ବନ୍ଧିତ ଖବର