ବରଯାତ୍ରୀ ଗାଡ଼ି ଓଲଟି ୨ ମୃତ, ୩୦ରୁ ଅଧିକ ଆହତ

କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବାର୍ଲା ଘାଟିରେ ଆଜି ବରଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ କମାଣ୍ଡର ଓଲଟି ପଡିଛି। ଏଥିରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ତଳଗୁମାଣ୍ଡି ପଞ୍ଚାୟତର ଚାବୁକମାରୀ ଗ୍ରାମରୁ ପ୍ରାୟ ୩୫ଜଣ ବରଯାତ୍ରୀଙ୍କୁ ନେଇ ଗୋଟିଏ କମାଣ୍ଡର ବାର୍ଲା ଗ୍ରାମକୁ ଯାଉଥିଲା। ଗାଡିରେ ନିର୍ଦ୍ଧାରିତ ଲୋକଙ୍କ ଅପେକ୍ଷା ଅଧିକ ଲୋକ ଯାଉଥିଲା ବେଳେ ବାର୍ଲା ଘାଟିରେ ଗାଡିଟି ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା। ଯାହାଫଳରେ ଗାଡି ତଳେ ଦୁଇଜଣ ଚାପି ହୋଇ ଯାଇଥିଲା ବେଳେ ଅନ୍ୟମାନେ ଆହତ ହୋଇଥିଲେ। ଚାପି ହୋଇ ଯାଇଥିବା ବାର୍ଲାମାରୀ ଗ୍ରାମର ଗୁରୁନାଥ ମେଲକା (୬୦ବର୍ଷ) ଓ ଜାଡ ମେଲକା (୫୫ବର୍ଷ)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନାରାୟଣପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଠାରେ କିଛି ଯାତ୍ରୀଙ୍କ ପ୍ରାଥମିକ ଚିକିତ୍ସା କରାଯିବା ପରେ ଛାଡି ଦିଆଯାଇଛି। ଆଉ କିଛି ଯାତ୍ରୀ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାରେ ଲିଲି ମେଲକା (୫ବର୍ଷ)ଙ୍କର ଗୋଡ ଭାଙ୍ଗି ଯାଇଛି ଏବଂ ଗୌରୀ ହିମିରିକା(୫୦ବର୍ଷ)ଙ୍କ ଛାତିରେ ଆଘାତ ଲାଗିଛି। ସେହିପରି କୁସୁନ ହିମିରିକାଙ୍କୁ ଜୋର ଆଘାତ ଲାଗିଛି। ତେବେ ଦୁର୍ଘଟଣା ସ୍ଥଳ ମାଓ ପ୍ରବଣ ହୋଇଥିବାରୁ ପୁଲିସ ଘଟଣା ସ୍ଥଳକୁ ଯାଇନାହିଁ। ଆସନ୍ତାକାଲି ଶବ ଆସିବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର