କାର୍‌ ଧକ୍‌କାରେ ୨ ବାଇକ୍‌ ଆରୋହୀ ମୃତ

କାମାକ୍ଷାନଗର : ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ ତୁମୁସିଂହା ଥାନା ଆଲୁଅଝରଣଠାରେ ଆଜି ରାତି ୭ଟାବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୋଟିଏ କାର୍‌ ଓ ଏକ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଯୁବକଙ୍କର ପ୍ରାଣ ଚାଲିଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଢେଙ୍କାନାଳ ଆଡ଼ୁ କାମାକ୍ଷାନଗର ଅଭିମୁଖେ ଏକ କାର୍‌ ଆସିବାବେଳେ ବିପରୀତ ଦିଗରୁ ଯାଉଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍‌କା ହୋଇଥିଲା।

ଫଳରେ ବାଇକ୍‌ରେ ଯାଉଥିବା କଙ୍କଡ଼ାହାଡ଼ ଥାନା ପଳାସଟାଙ୍ଗି ଗାଁର ସନ୍ତୋଷ ପଧାନ(୨୬) ଓ ତୁମୁସିଂହା ଥାନା ନୂଆଅଁଳାବେରେଣିର ସିଦ୍ଧାନ୍ତ ପଧାନ(୨୪)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ରିପୋର୍ଟ ଲେଖାହେବା ସୁଦ୍ଧା(ରାତି ସାଢ଼େ୮ଟା) ସ୍ଥାନୀୟ ଲୋକେ ଢେଙ୍କାନାଳ-କାମାକ୍ଷାନଗର ରାସ୍ତା ଅବରୋଧ କରିଥିଲେ। ଉକ୍ତ କାର୍‌ ଛାଡ଼ି ଚାଳକ ଫେରାର ହୋଇଯାଇଛି। କାମାକ୍ଷାନଗର ଓ ତୁମୁସିଂହା ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ଜବତ କରିବା ସହ ତଦନ୍ତ ଚଳାଇଥିଲା।

ସମ୍ବନ୍ଧିତ ଖବର