ବେଆଇନ୍‌ ଭାବେ ପରିଚାଳିତ ସେଲ୍‌ଟର ହୋମ୍‌ରେ ଚଢ଼ଉ ହେବ: ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ପାରଳାଖେମୁଣ୍ଡି ସେଲ୍‌ଟର ହୋମ୍‌ରେ କାଗଜପତ୍ର ଯାଞ୍ଚ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ୍‌ ଭାବରେ ପରିଚାଳିତ ହେଉଥିବା ସେଲ୍‌ଟର ହୋମ୍‌ରେ ଚଢ଼ଉ ହେବ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି। ସେ କହିଛନ୍ତି, ଗୁଡ ନ୍ୟୁଜ ଇଣ୍ଡିଆ ଦ୍ୱାରା ୨୨ଟି ସ୍ଥାନରେ ବେଆଇନ ଭାବେ ସେଲ୍‌ଟର ହୋମ ଚାଲିଛି। ୨ଟି ସ୍ଥାନରେ ସେମାନେ ସରକାରଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଢେଙ୍କାନାଳ ଓ ପୁରୀ ବ୍ୟତୀତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ମଧ୍ୟ ସଂସ୍ଥାର ଶାଖା କାର୍ଯ୍ୟାଳୟରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧିକାରୀଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍‌ ତଦନ୍ତ କରିଛନ୍ତି।

ସୂଚନାଯୋଗ୍ୟ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରିସ୍ଥିତ ସେଲ୍‌ଟର ହୋମ୍‌ରେ ଅନ୍ତେବାସୀଙ୍କୁ ଯୌନ ନିର୍ଯ୍ୟାତନା ଦିଆଯିବା ଘଟଣା ପଦାକୁ ଆସିବା ପରେ ପ୍ରଶାସନ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଆଜି ପୁଲିସ ସଂସ୍ଥାର ମୁଖ୍ୟ ଫୟାଜ ରେହମାନ୍‌ଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ପୁଲିସ ‘ଗୁଡ ନ୍ୟୁଜ ଇଣ୍ଡିଆ’ର ମୁଖ୍ୟ ରେହମାନଙ୍କୁ ଫୁଲନଖରା ଅଞ୍ଚଳର ଅନନ୍ତପୁରରୁ ରବିବାର ଗିରଫ କରିଛି। ଢେଙ୍କାନାଳ ଏସ୍‌ପି ସନ୍ତୋଷ ନାୟକଙ୍କ ସୂଚନା ଅନୁସାରେ ସେଲ୍‌ଟର ହୋମ୍‌ର ଅନ୍ୟ ଦୁଇ ଜଣ ଅଭିଯୁକ୍ତ ସୀମାଞ୍ଚଳ ନାୟକ ଓ ଉଦିତ୍‌ ଲିମା ମଧ୍ୟ ଗିରଫ ହୋଇଛନ୍ତି। ଆଜି ଅଭିଯକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ବୋଲି ଏସ୍‌ପି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ପୁରୀରେ ମଧ୍ୟ ଗୁଡ ନ୍ୟୁଜ୍‌ ଇଣ୍ଡିଆର ଶାଖା ସଂସ୍ଥାରେ ଚଢ଼ଉ ହୋଇଛି। ପେଣ୍ଠକଟାରେ ପରିଚାଳିତ ହେଉଥିବା ସେଲ୍‌ଟର ହୋମ୍‌ରେ ପୁରୀ ଡିସିପିଓ ଓ ସିଡବ୍ଲୁସି ଶନିବାର ରାତି ଅଚାନକ ଚଢ଼ଉ କରିଛନ୍ତି। ଜିଲ୍ଲାପାଳଙ୍କ ଅନୁମତି ବିନା ବେଆଇନ୍‌ ଭାବରେ ପରିଚାଳିତ ସେଲ୍‌ଟର ହୋମ୍‌ରେ ୮୧ ଜଣ ଝିଅ ରହୁଥିବା ନେଇ ଅଭିଯୋଗ ହେବା ପରେ ଏକ ଚାରିଜଣିଆ ଟିମ୍‌ ଅଚାନକ ଚଢ଼ଉ କରିଛନ୍ତି। ଟିମ୍‌ କାଗଜପତ୍ର ଯାଞ୍ଚ କରିଛନ୍ତି।

ସମ୍ବନ୍ଧିତ ଖବର