ଉଦଯାପିତ ହେଲା ୨୩ ତମ ରାଜ୍ୟସ୍ତରୀୟ ଯୁବ ଉତ୍ସବ

ସାଧନା ହିଁ କଳାକାରର ମୂଳ ପୁଞ୍ଜି: ଆରଡିସି

ଦେବଗଡ: ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ୪ ଦିନ ଧରି ଚାଲିଥିବା ୨୩ ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍ତରାଚଂଳ ରାଜସ୍ୱ କମିସନର ଡି.ଭି ସ୍ୱାମୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ସାଧନା ହିଁ କଳାକାରର ମୂଳ ପୁଞ୍ଜି ବୋଲି କହିବା ସହ ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଏସପି ବି.ଗଙ୍ଗାଧର , ପିଡିଡିଆରଡିଏ ଭୀମସେଣ୍ଟ ପୁନମକାନ୍ତ ଏକ୍କା , ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଯୁବ ମହୋତ୍ସବର ସଂଯୋଜକ ହରିଶ ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପ୍ରାରମ୍ଭରେ କଳାହାଣ୍ଡିର ଲୋକ ନୃତ୍ୟ ଓ ରାୟଗଡ଼ା ଲୋକନୃତ୍ୟ ଢେମସା ନୃତ୍ୟ ପରିବେଷିତ ହୋଇଥିଲା । ଏହାସହିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଗ୍ରୁପ ପ୍ରତିଯୋଗିତାରେ ସାଂସ୍କୃତିକ ରାଲିରେ ବଲାଙ୍ଗୀର ଜିଲ୍ଲା ପ୍ରଥମ, କୋରାପୁଟ ଦ୍ୱିତୀୟ ଓ ଦେବଗଡ଼ ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଥିଲା । ସେହିପରି ଏକକ ଅଭିନୟରେ ଖୋର୍ଦ୍ଧା ଜିଲ୍ଲା ପ୍ରଥମ , ସମ୍ବଲପୁର ଦ୍ୱିତୀୟ ଓ ଜଗତସିଂହପୁର ତୃତୀୟ ସ୍ଥାନ ଅଧିକାର କରିଥିଲା। ଲୋକ ଗୀତରେ ବଲାଙ୍ଗୀର ପ୍ରଥମ, ଗଂଜାମ ଦ୍ୱିତୀୟ ଏବଂ ପୁରୀ ଏବଂ ସମ୍ବଲପୁର ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲା । ଲୋକନୃତ୍ୟରେ ନବରଙ୍ଗପୁର ପ୍ରଥମ, ବଲାଙ୍ଗୀର ଦ୍ୱିତୀୟ, ମାଲକାନଗିରି ତୃତୀୟ, ଭାରତ ନାଟ୍ୟ ଓ କୁଚିପୁଡି ନୃତ୍ୟରେ ଗଂଜାମ ଜିଲ୍ଲାର ରାଧେଶ୍ୟାମ ତରାଇ ପ୍ରଥମ ,କଥକ ନୃତ୍ୟରେ ଭଦ୍ରକର ସ୍ମରଣିକା ରଏ ପ୍ରଥମ , ଓଡ଼ିଶୀରେ ଖୋର୍ଦ୍ଧାର ହରେକୃଷ୍ଣ ଧଳ ପ୍ରଥମ, ହାରମୋନିୟମ ଲାଇଟରେ ଶୁଭଦୀପ୍ତା ଚୌଧୁରୀ ପ୍ରଥମ , ବଂଶୀରେ ପୁରୀର ଲକ୍ଷ୍ମୀପ୍ରସାଦ ମଲ୍ଲିକ ପ୍ରଥମ , ତବଲାରେ ଭଦ୍ରକର ବସନ୍ତ ଦାସ ପ୍ରଥମ, ମୃଦଙ୍ଗମରେ ଭଦ୍ରକର ରୋହିତ ପ୍ରଧାନ ପ୍ରଥମ , ସୀତାରରେ କଟକର ବୁଦ୍ଧାଦିତ୍ୟ ପ୍ରଧାନ ପ୍ରଥମ , ଗିଟାରରେ ବଲାଙ୍ଗୀରର ଅଜୟକୁମାର ସିଂହଦେଓ ପ୍ରଥମଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ଡିଆଇପିଆରଓ ବିଜୟ ମିଶ୍ର ସଭାପରିଚାଳନା କରିଥିବାବେଳେ ଅବନୀକାନ୍ତ ମିଶ୍ର ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କ ନାମ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର