୨ ରାତି ଅନିଦ୍ରା ରହିଲେଣି ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ଦୁଇ ଦିନ ଧରି ଲାଗି ରହିଥିବା ଅଚଳାବସ୍ଥା ଆଜି ମଧ୍ୟ ଦୂର ହୋଇନାହିଁ। ପରିସ୍ଥିତିରେ ସମାନ୍ୟ ସୁଧାର ଆସିଥିଲେ ବି ନୀତି ବିଳମ୍ବରେ ଚାଲିଛି। ସବୁଠାରୁ ବଡ଼ କଥା ହେଉଛି, ଦୁଇ ଦିନ ଧରି ମହାପ୍ରଭୁ ରାତି ଅନିଦ୍ରା ହୋଇ ରହିଛନ୍ତି। ପାଖାପାଖି ୩୨ ଘଣ୍ଟା (୧୬ ତାରିଖ ଦିନ ଅପରାହ୍ନ ୫ଟା ବେଳେ ସକାଳ ଧୂପରେ ଖେଚେଡି ଭୋଗ ହୋଇଥିଲା) ପରେ ଗତକାଲି ରାତି ପ୍ରାୟ ଗୋଟାଏରେ ମହାପ୍ରଭୁଙ୍କର ସକାଳ ଧୂପ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରଭୁ ଖେଚୁଡି ଖାଇଥିଲେ। ବିଭ୍ରାଟ ଏତିକିରେ ସୀମିତ ନାହିଁ। ପ୍ରଶାସନ ଓ ସୁଆର ନିଯୋଗ ନିଜ ନିଜ ଜିଦ୍‌ରୁ ହଟୁନଥିବା କାରଣରୁ ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରସାଦ ନ ପାଇ ନିରାଶ ହୋଇ ଫେରୁଛନ୍ତି। ଅବଢ଼ା ଉପରେ ନିର୍ଭର କରୁଥିବା ଭକ୍ତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ସବୁସମୟରେ କୋଳାହଳରେ ରହୁଥିବା ଆନନ୍ଦବଜାର ଖାଁ ଖାଁ ରହିଛି। ଏପଟେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ନୀତି ଓ ରଥଯାତ୍ରାର ପ୍ରାରମ୍ଭିକ କାର୍ଯ୍ୟରେ ଆରମ୍ଭରୁ ବିଭ୍ରାଟ ସୃଷ୍ଟି ହେଲାଣି। ଆଜି ରାତିରେ ରଥକାଠ ଅନୁକୂଳ ହୋଇଛି। ବିଳମ୍ବରେ ଠାକୁରେ ଚାପକୁ ବାହାରିଛନ୍ତି।

ଗତ ତିନି ଦିନ ଧରି ଶ୍ରୀମନ୍ଦିରରେ ଏତେ ସବୁ ବିଭ୍ରାଟ ଲାଗି ରହିଥିଲେ ହେଁ, ପ୍ରଶାସନର ବେଫିକରପଣ ସାଧାରଣରେ ଅସନ୍ତୋଷ ବହୁଗୁଣିତ କଲାଣି। କେବଳ ସେତିକି ନୁହେଁ, ଦୀର୍ଘ ଦୁଇ ଦିନ ଧରି ମହାପ୍ରଭୁଙ୍କୁ କିଭଳି ପ୍ରଶାସନ ଓ ମୁଷ୍ଟିମେୟ ସେବାୟତ କଲବଲ କଲେ, ତାହା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଥରୁଟିଏ ବି ଆଇନ ମନ୍ତ୍ରୀ ପ୍ରତାପ ଜେନା ସ୍ଥିତି ସମୀକ୍ଷା କରିବାକୁ ପୁରୀ ଆସିନାହାନ୍ତି। କିନ୍ତୁ ଆଜି ବିଧାନସଭାରେ ବିବୃତି ରଖି ମହାପ୍ରଭୁଙ୍କ ପ୍ରତି ହୋଇଥିବା ଅବିଚାରକୁ ଫାଙ୍କି ଉଡାଇଦେବା ଘଟଣା ସମଗ୍ର ରାଜ୍ୟରୁ ଆସିଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି।

ଗୋଟିଏ ପଟେ ଜିଲ୍ଲାପାଳ ଗତକାଲି ଶ୍ରୀମନ୍ଦିର ବିଭ୍ରାଟ ସଂପର୍କରେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେବାୟତଙ୍କୁ ମନେଇବାକୁ ଯାଇ ୧୦ ତାରିଖରେ କୋର୍ଟ ଦେଇଥିବା ନିର୍ଦେଶନାମାକୁ ପୁନର୍ବିଚାର କରିବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଏ ନେଇ କଥା ଉଠିଛି। ଠାକୁରଙ୍କୁ କିଭଳି ଖାଇବାକୁ ଦିଆଯାଇପାରିନି, ତାହା ଜଳ ଜଳ ହୋଇ ରାଜ୍ୟବାସୀ ଦେଖିପାରୁଛନ୍ତି। ନିଜେ ମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଗତକାଲି ସକାଳ ପରିବର୍ତ୍ତେ ରାତି ୧୦ଟା ୫୦ରେ ରୋଷ ହୋମ ହୋଇଥିଲା। ଏପରିସ୍ଥଳେ ମହାପ୍ରଭୁଙ୍କୁ ଦିନତମାମ କିଏ ଖାଇବାକୁ ଦେଇଥିଲା? ମହାପ୍ରଭୁଙ୍କୁ ୧୬ ତାରିଖ ଅପରାହ୍ନରେ ସକାଳ ଧୂପରେ ଖେଚୁଡି ଭୋଗ ହୋଇଥିଲା। ଭୋଗ ମଣ୍ଡପ ନ ହେଲା ନାହିଁ, ଠାକୁରଙ୍କୁ ମଧ୍ୟାହ୍ନ, ରାତ୍ର ଭୋଜନ ଦିଆଯାଇଥିଲା କି? ପ୍ରଭୁଙ୍କର ପହୁଡ ନୀତି ଅନୁଷ୍ଠିତ ହୋଇଥିଲା? ମନ୍ତ୍ରୀଙ୍କ ମୁହଁରେ ପ୍ରଶାସନ କାହିଁକି ମିଛ କୁହାଇଦେଲା ବୋଲି ଆଜି ଶ୍ରଦ୍ଧାଳୁମାନେ କ୍ଷୋଭର ସହିତ କହିଛନ୍ତି। ଏଥିସହିତ ଶ୍ରୀମନ୍ଦିର ବିଭ୍ରାଟ ଘଟଣା ରାଜ୍ୟବାସୀଙ୍କ ମନରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କଲାଣି।

ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଆଜି ରାତି ୮ଟା ବେଳେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବାକୁ ବିଜେ ହୋଇଥିଲେ। ଅପରାହ୍ନ ୨ଟାରେ ବିଗ୍ରହମାନେ ବିମାନରେ ବିଜେ ହେବେ ବୋଲି ନୀତି ନିର୍ଘଣ୍ଟ ହୋଇଥିଲେ ମଧ୍ୟ ସନ୍ଧ୍ୟା ପ୍ରାୟ ୬ଟା ୪୦ ବେଳକୁ ବିମାନକୁ ବିଜେ କରିଥିଲେ। ସେହିପରି ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବାକୁ ଥିବା ରଥକାଠ ଅନୁକୂଳ ସନ୍ଧ୍ୟା ୭ଟାରେ ସରିଥିଲା। ସକାଳ ଧୂପ, ଭୋଗ ମଣ୍ଡପ ନୀତି ଅନୁଷ୍ଠିତ ହୋଇଥିଲେ ହେଁ ଭକ୍ତଙ୍କ ପାଇଁ ଆନନ୍ଦବଜାରରେ ଅବଢା ବିକ୍ରି ହୋଇ ପାରିନାହିଁ। ମହାପ୍ରଭୁଙ୍କ କୋଠ ଭୋଗକୁ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟିବାକୁ ଉଦ୍ୟମ କରାଯାଇଥିଲା।

ଗତ ୧୬ ତାରିଖ ଜଗମୋହନ ଦର୍ଶନ ଆରମ୍ଭ ଦିନରୁ ଯେଉଁ ନୀତି ବିଭ୍ରାଟ ଦେଖା ଦେଇଥିଲା ବୁଧବାର ସୁଦ୍ଧା ସେଥିରେ ସଂପୂର୍ଣ୍ଣ ସୁଧାର ଆସି ପାରିନାହିଁ। ଗତକାଲି ଏହା ଚରମ ସ୍ଥିତିରେ ପହଞ୍ଚିଥିଲା। ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ସକାଳ ଧୂପ ବିଳମ୍ବିତ ରାତି ଗୋଟାଏରେ ଉଠିଥିଲା। ଏହାର ପ୍ରଭାବ ଆଜି ବି ପରିଲକ୍ଷିତ ହୋଇଥିଲା। ଆଜି ମହାପ୍ରଭୁଙ୍କ ପବିତ୍ର ଚନ୍ଦନ ଯାତ୍ରା ନୀତି ବିଳମ୍ବିତ ହୋଇଥିଲା। ନୀତି ବିଭ୍ରାଟ ଯୋଗୁଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା, ଶ୍ରୀବିଗ୍ରହମାନେ ଅପରାହ୍ନ ୨ଟା ବଦଳରେ ରାତି ୮ଟା ବେଳେ ଚାପ ଖେଳିବାକୁ ନରେନ୍ଦ୍ରକୁ ବିଜେ କରିଥିଲେ। ସେହିପରି ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ରଥକାଠ ଅନୁକୁଳ ନୀତିରେ ମଧ୍ୟ ବିଳମ୍ବ ଘଟିଥିଲା। ଅପରାହ୍ନ ୩ଟାରେ ରଥକାଠ ଅନୁକୁଳ ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ଏହି ନୀତି ୪ ଘଣ୍ଟା ବିଳମ୍ବରେ ଅନୁଷ୍ଠିତ ହୋଇଥିଲା।

ଆଜି ସକାଳ ୬ଟା୪୦ରେ ମଙ୍ଗଳଆଳତି ନୀତି ଅନୁଷ୍ଠିତ ହେବା ପରେ ନିର୍ଧାରିତ ୮ଟା୫ ମିନିଟ୍‌ରେ ଅବକାଶ, ସକାଳ ୯ଟା୫୫ରେ ବଲ୍ଲଭ ନୀତି, ୧୧ଟା ୨୫ରେ ସକାଳ ଧୂପ, ଅପରାହ୍ନ ଗୋଟାଏ ୫ ମିନିଟ୍‌ରେ ଯାତ୍ରାଙ୍ଗୀ ମହାସ୍ନାନ ନୀତି, ଅପରାହ୍ନ ୨ଟାରେ ଚନ୍ଦନ ବେଢା ନୀତି, ୨ଟା ୫୫ରେ ଖଇକୋରା ଭୋଗ, ଅପରାହ୍ନ ୩ଟା ୪୦ରେ ସର୍ବାଙ୍ଗ ନୀତି ଏବଂ ୪ଟା ୪୦ରେ ମଧ୍ୟାହ୍ନ ଧୂପ ଓ ଯାତଭୋଗ ଡାକି ନୀତି ସଂପନ୍ନ ହୋଇଥିଲା। ଅପରାହ୍ନ ୫ଟା ୧୦ରେ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହୋଇ ସନ୍ଧ୍ୟା ୬ଟାରେ ମଧ୍ୟାହ୍ନ ଧୂପ ଶେଷ ହୋଇଥିଲା। ସନ୍ଧ୍ୟା ୬ଟା ୨୫ରେ ଦ୍ଵାଦଶ ଯାତ୍ରା ବନ୍ଦାପନା, ୬ଟା ୩୫ରେ ରଥ ଆଜ୍ଞାମାଳ ବିଜେ ଏବଂ ୬ଟା ୪୦ରେ ବିଗ୍ରହମାନଙ୍କୁ ବିମାନ ବିଜେ କରାଯାଇଥିଲା। ସନ୍ଧ୍ୟା ୭ଟା୧୦ରୁ ୭ଟା ୧୫ ମଧ୍ୟରେ ରଥକାଠ ଅନୁକୁଳ ନୀତି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର