ବିଦ୍ୟୁତ୍‌ ଆଘାତରେ ୩ ମୃତ, ଜାତୀୟ ରାଜପଥ ଅବରୋଧ

ବାଲେଶ୍ବର/ଚାନ୍ଦିପୁର/ଠାକୁରମୁଣ୍ଡା : ଆଜି ପୃଥକ୍‌ ସ୍ଥାନରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୩ ଜଣଙ୍କ ପ୍ରାଣ ଯାଇଛି। ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ହିଡ଼ିଗାଁ ପଞ୍ଚାୟତରେ ଦୁଇଜଣ ଏବଂ ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ତାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡ଼ିଗାଁ ପଞ୍ଚାୟତରେ ବିଦ୍ୟୁତ୍‌ ଲାଇନ କାମ କରୁଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ଆଘାତରେ ଜଣେ ବିଦ୍ୟୁତ୍‌ କର୍ମଚାରୀ ଓ ଅନ୍ୟଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ବିଦ୍ୟୁତ୍ କର୍ମଚାରୀ ହେଲେ ଟାଉନ ଥାନା ଅଧୀନ ସୁନହଟ ଅଞ୍ଚଳର ସତ୍ୟନାରାୟଣ ଦାସ (୪୨) ଓ ସ୍ଥାନୀୟ ଯୁବକ ହେଉଛନ୍ତି ହିଡ଼ିଗାଁର ପ୍ରଦୀପ ଜେନା (୨୪)। ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ତା ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଆଜି ଜଣେ ବାଳକଙ୍କ ପ୍ରାଣ ଯାଇଛି। ମୃତ ବାଳକ ହେଉଛନ୍ତି ସ୍ଥାନୀୟ ତରାମରା ପଞ୍ଚାୟତର ବାଘମୁଣ୍ଡା ଡଙ୍ଗଚୁଆ ଗାଁର ଘନଶ୍ୟାମ ବୁଡ଼ିଉଲିଙ୍କ ସାନପୁଅ ସାଦ(୧୬)। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଠାକୁରମୁଣ୍ଡା-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥକୁ ଦୀର୍ଘ ସମୟ ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର