ଲେଖକ ହେଉଛି ଦୁର୍ବଳ ଓ ବଞ୍ଚିତର ମୁଖପାତ୍ର: ମା‌ଧବ କୌଶିକ

‘କଥା’ର ୩୨ତମ ବାର୍ଷିକ ଉତ୍ସବ ଓ ନବ ପ୍ରତିଭା ପୁରସ୍କାର ବିତରଣ

0 108

ଭୁବନେଶ୍ବର : ଲେଖକମାନେ ହେଉଛନ୍ତି ଦୁର୍ବଳ ଓ ବଞ୍ଚିତର ମୁଖପାତ୍ର। ଯେଉଁମାନେ ନିଜ କଥାକୁ ଅନ୍ୟ ଆଗରେ ପ୍ରକାଶ କରିପାରନ୍ତିନି ସେମାନଙ୍କ ପାଇଁ ସ୍ବର ଉତ୍ତୋଳନ କରନ୍ତୁ। ସାହିତ୍ୟରେ ଭାଷା ଓ ବ୍ୟାକରଣକୁ ଅଧିକ ଗୁରୁତ୍ବ ଦେବା ଅପେକ୍ଷା ସମାଜର ଦୁର୍ବଳ, ସାଧାରଣ ଲୋକ ଓ ନିରାଶ୍ରିତଙ୍କ ପାଇଁ ଲେଖନ୍ତୁ। ଯୁବ ଲେଖକଙ୍କୁ ପୁରୁଣା ପିଢ଼ିର ଲେଖକମାନେ ଅଧିକାଂଶ ସମୟରେ ସମାଲୋଚନା କରନ୍ତି। କିନ୍ତୁ ଯୁବପିଢ଼ି ଏଥିରେ ହତୋତ୍ସାହିତ ନହୋଇ ଅଗ୍ରସର ହୁଅନ୍ତୁ। ସେମାନଙ୍କ ପାଇଁ ଭରପୂର ସୁଯୋଗ ରହିଛି। ଏଥିପାଇଁ ଯୁବଶକ୍ତିକୁ ନିଜର ଉର୍ଜାକୁ ବଞ୍ଚାଇ ରଖିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ସାହିତ୍ୟ ଅକାଦେମିର ଉପସଭାପତି ମାଧବ କୌଶିକ।

ଓଡ଼ିଆ ଗଳ୍ପର ନବଜାତକ ‘କଥା’ର ୩୨ତମ ବାର୍ଷିକ ଉତ୍ସବ ଓ ନବ ପ୍ରତିଭା ପୁରସ୍କାର ବିତରଣ ଉତ୍ସବରେ ଶ୍ରୀ କୌଶିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଧାରାର ବିପରୀତ ଦିଗରେ ଯିଏ ବହି ପାରିବନି ସେ ଭଲ ସାହିତ୍ୟିକ ହୋଇପାରିବନି, ଏହା ଯୁବ ସାହିତ୍ୟିକମାନଙ୍କୁ ମନେ ରଖିବାକୁ ହେବ। ଭାରତ ବର୍ଷରେ ଯେତେ ସାହିତ୍ୟ ରଚନା ହେଉଛି ସବୁଥିରେ ପ୍ରେମ ଓ ବିଦ୍ରୋହ ହିଁ ଦେଖିବାକୁ ମିଳିଥାଏ। ପ୍ରେମ ମାନେ ଜୀବନର ସଂଘର୍ଷମୟ ସମୟର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରି ଲେଖିବା। ଆଉ ବିଦ୍ରୋହ ମାନେ ଲେଖାରେ ପରିବର୍ତ୍ତନର ସ୍ବର ରହିବା। ଲେଖକଙ୍କୁ ନିଜର ଆକାଂକ୍ଷାକୁ ମାରି ଅନ୍ୟର ଆକାଂକ୍ଷାକୁ ଲେଖାରେ ପ୍ରତିପାଦିତ କରିବାକୁ ହେବ। ନିଜର କାୟାକୁ ଛାଡ଼ି ଅନ୍ୟର କାୟା ଭିତରେ ପ୍ରବେଶ କରି ଲେଖିବାକୁ ହେବ। ତେବେ ଯାଇ ଭଲ ଲେଖା ସୃଷ୍ଟି ହେବ। ଲେଖକଙ୍କୁ ସବୁ ସଂସ୍କୃତିକୁ ସଙ୍ଗମ କରି ଆଗକୁ ବଢ଼ିବାକୁ ହେବ।

ସମାଜ ଆଉ ପୂର୍ବ ଭଳି ନାହିଁ। ଏବେ ବହୁତ ଜଟିଳ ହୋଇଗଲାଣି। ଆଗରୁ ସମସ୍ୟା କେଉଁଠି ଅଛି ଜାଣି ହେଉଥିଲା। କିନ୍ତୁ ଏବେ ଜାଣି ହେଉନି। ହେଲେ ଏବେ ସାଧନ ବହୁତ ଆସିଲାଣି। ପୂର୍ବରୁ କବିତାଟିଏ ଲେଖିଲେ ତାହା ଲୋକଙ୍କ ପାଖରେ ପହଞ୍ଚିବା ବହୁ କଷ୍ଟକର ହୋଇପଡ଼ୁଥିଲା। କିନ୍ତୁ ଏବେ କମ୍ପ୍ୟୁଟର ଓ ବୈଷୟିକ ଜ୍ଞାନ ଯୁଗରେ କବିତା ଓ ଲେଖା କ୍ଷଣିକ ମଧ୍ୟରେ ବହୁ ଲୋକଙ୍କ ପାଖରେ ପହଞ୍ଚି ଯାଉଛି। ଲେଖିବା ସବୁଠୁ କଷ୍ଟଦାୟକ। ସମାଜ ଯେତେ ପରିବର୍ତ୍ତନଶୀଳ ହେଲେ ବି ଲେଖିବା ଲୋକ ପାଇଁ କେବେ ବି ସୁଖ ପରିସ୍ଥିତି ନଥାଏ। ତାଙ୍କ କାମ ହେଲା ଦୁଃଖ ପରିସ୍ଥିତିରେ ବି ଲେଖିବା। ହୃଦୟରେ କଷ୍ଟ ଆସିଲେ ‌ହିଁ ଭଲ ଲେଖା ଲେଖି ହୁଏ। ‌

ଓଡ଼ିଆ ଭାଷା, ସାହିତ୍ୟ ଉପରେ ଶ୍ରୀ କୌଶିକ କହିଥିଲେ ଯେ, ଭାରତର ୨୪ଟି ଭାଷାର ସାହିତ୍ୟକୁ ଆକଳନ କଲେ ଓଡ଼ିଆ ଭାଷା, ସାହିତ୍ୟ ସବୁଠୁ ସମୃଦ୍ଧ ଜାଣି ହୁଏ। ଓଡ଼ିଆ ସାହିତ୍ୟର ଯେତିକି ପୁଞ୍ଜି ଓଡ଼ିଶାରେ ଅଛି ତାହା ଆଉ କୌଣସି ସାହିତ୍ୟରେ ନାହିଁ। ବୌଦ୍ଧିକ ପ୍ରକାରତା ଉପରେ ଲେଖିବା ଲୋକ ଓଡ଼ିଶାରେ ଯେତିକି ଅଛନ୍ତି ଆଉ କେଉଁଠି ନାହାନ୍ତି। ଏତେ ବଡ଼ ବୌଦ୍ଧିକ ସମ୍ପଦ ଆଉ କେଉଁଠି ନାହିଁ। ‘ସମ୍ବାଦ’ ଯେଉଁଭଳି ଓଡ଼ିଆ ଭାଷା, ସାହିତ୍ୟକୁ ସମୃଦ୍ଧ କରୁଛି, ପ୍ରଚାର ପ୍ରସାର କରୁଛି, ସମାଜ ପ୍ରତି ଉତ୍ତର ଦାୟିତ୍ବ ନିଭାଉଛି ତାହା ଅନ୍ୟ ଖବରକାଗଜ ସଂସ୍ଥା କରିବା ଦରକାର। ତେବେ ଯାଇ ସାହିତ୍ୟ ପତ୍ରିକା ଓ ସାହିତ୍ୟିକ ଲୋକଙ୍କ ପାଖରେ ପହଞ୍ଚିପାରିବେ।

ଏଥିରେ ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ତଥା ଭାରତୀୟ ଜ୍ଞାନପୀଠର ନିର୍ଦ୍ଦେଶକ ମଧୁସୂଦନ ଆନନ୍ଦ କହିଲେ ଯେ, ଓଡ଼ିଆ ସାହିତ୍ୟରେ ଫକୀରମୋହନ ସେନାପତିଙ୍କ ସ୍ଥାନ ଯାହା ହିନ୍ଦୀ ସାହିତ୍ୟରେ ପ୍ରେମଚାନ୍ଦଙ୍କ ସ୍ଥାନ ସେୟା। ହିନ୍ଦୀ ସାହିତ୍ୟ ଓ ଓଡ଼ିଆ ସାହିତ୍ୟ ଉପରେ ଆଲୋଚନା କରି କହିଲେ ଯେ, ଜାତୀୟ ସ୍ତରରେ ବହୁ ପତ୍ରିକା ବନ୍ଦ ହୋଇଗଲାଣି। ଏହାର ସ୍ଥାନ କିଛି ଛୋଟ ପତ୍ରିକା ନେଲେଣି। କିନ୍ତୁ ସେଗୁଡ଼ିକୁ ହଜାରେରୁ ୫ହଜାର ମଧ୍ୟରେ ଛପା ହେଉଥିବାରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରୁନି। ଓଡ଼ିଶାରେ କିନ୍ତୁ ସାହିତ୍ୟ ପତ୍ରିକାର ସ୍ଥିତି ଆଶ୍ବସ୍ତିକର ଅଛି। ଆମ ଦେଶରେ ବିଭିନ୍ନ ଭାଷାରେ ସାହିତ୍ୟ ସୃଷ୍ଟି ହେଉଛି। ସବୁ ପତ୍ରିକାରେ ପ୍ରକାଶ ନହୋଇପାରିଲେ ବି ଇଣ୍ଟରନେଟ୍‌ରେ ପ୍ରକାଶ ପାଉଛି। ସାହିତ୍ୟ ଓ ବହି ଆମ ପାଖରେ ନରହିଲେ ଆମ ଜୀବନ ନିରସ ହୋଇଯିବ। ତେଣୁ ସାହିତ୍ୟ ନିୟମିତ ସୃଷ୍ଟି ହେବା ଦରକାର। ସେ ଆହୁରି କହିଥିଲେ ଯେ, ଭାଷା କେବେ ସ୍ଥିର ରୁହେନି। ଏହା ଗତିଶୀଳ। ବହୁତ ଭାଷା, ଲିପି ଲୋପ ପାଇଗଲାଣି। ଯୁବପିଢ଼ିଙ୍କ ଲେଖା ହିଁ ଏହାକୁ ବଞ୍ଚାଇ ରଖିପାରିବ।

ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ସଭାପତିତ୍ବ କରି ସାହିତ୍ୟ-ରାଜନୀତି ଓ ସାହିତ୍ୟ-ସାମ୍ବାଦିକତା ସମ୍ପର୍କ ଉପରେ କହିଥିଲେ। ସେ କହିଥିଲେ ଯେ, ସାହିତ୍ୟ ଓ ସାମ୍ବାଦିକତାର ଯେଉଁ ଅତୁଟ ସମ୍ପର୍କ ରହିଛି ତାହାର ଜୀବନ୍ତ ପ୍ରମାଣ ହେଲେ ମଧୁସୂଦନ ଆନନ୍ଦ। ସାହିତ୍ୟ ଓ ରାଜନୀତି ସମ୍ପର୍କରେ ଅନେକ ବିବାଦ ହୋଇଛି। ସାହିତ୍ୟ ଓ ଏବଂ ରାଜନୀତି ସମ୍ପର୍କକୁ ଆମେ ସାହିତ୍ୟିକମାନେ ଯେଉଁ ଢଙ୍ଗରେ ଦେଖୁଛୁ ସେ ଢଙ୍ଗରୁ କିଛି ବିକଳ୍ପ ଢଙ୍ଗରେ ଦେଖିବା ଆବଶ୍ୟକ ବୋଲି ମୁଁ ଅନୁଭବ କରୁଛି। ସାହିତ୍ୟିକମାନେ ସମୂହ ହିତ କରୁଛନ୍ତି ବୋଲି କହନ୍ତି। ରାଜନୀତି ମଧ୍ୟ ସମୂହ ହିତ ଛଡ଼ା ଅନ୍ୟ କିଛି କହେ ନାହିଁ। କେବଳ ଫରକ ଏତିକି ସମୂହ ହିତକୁ କିଏ କିପରି ବୁଝୁଛି। କିଏ କିପରି ଉପସ୍ଥାପନ କରୁଛି। କିଏ କିପରି ହାସଲ କରିବା ପାଇଁ ଉଦ୍ୟମ କରୁଛି ତାହା ଉପରେ ସବୁ କିଛି ନିର୍ଭର କରେ। ଆଜି ଭାରତର ସମୂହ ହିତ କଥା କେହି ପ୍ରା‌ୟ ଚିନ୍ତା କରୁନାହାନ୍ତି। ଅନୁଷ୍ଠାନଗୁଡ଼ିକ ଅବକ୍ଷୟମୁଖୀ ହୋଇଛନ୍ତି ବୋଲି ପ୍ରାୟ ସମସ୍ତେ ଅନୁଭବ କରୁଛନ୍ତି। ବିରୋଧୀ ଦଳ ଅଭିଯୋଗ କରୁଛି ଶାସକ ଦଳ ସବୁ ଭାଙ୍ଗି ଦେଲେଣି। ସରକାରୀ ଦଳ କହୁଛି ଆମେ କ’ଣ ଭାଙ୍ଗୁଛୁ, ବିରୋଧୀ ଯେତେବେଳେ ଶାସନ କରୁଥିଲେ ସେମାନେ ଯେପରି ଭାଙ୍ଗିଛନ୍ତି ସେପରି କେହି ଭାଙ୍ଗିନାହାନ୍ତି। ରାଜନୈତିକ ଦଳଗୁଡ଼ିକର ଆରୋପ ଓ ପ୍ରତ୍ୟାରୋପ ମଧ୍ୟରେ ସତ କଥାଟି ହେଲା ଉଭୟ ଅନୁଷ୍ଠାନକୁ ଭାଙ୍ଗୁଛନ୍ତି।

ଯେତେବେଳେ ସବୁ ଦଳଗୁଡ଼ିକ ଅନୁଷ୍ଠାନଗୁଡ଼ିକୁ ଭାଙ୍ଗିବାକୁ ଉଦ୍ୟମ କରି ସେମାନଙ୍କୁ ଅଗ୍ରାଧିକାର ଦେବାକୁ ଚେଷ୍ଟା କରନ୍ତି, ଯେତେବେଳେ ଦଳ ସର୍ବସ୍ବ ରାଜନୀତି ଆମକୁ ଗ୍ରାସ କରେ ସେତେବେଳେ ସାହିତ୍ୟିକ ଗୋଷ୍ଠୀଟି ସଂଖ୍ୟା ନ୍ୟୁନ ହେଲେ ମଧ୍ୟ ତାଙ୍କର ସ୍ବରକୁ ଉତ୍ତୋଳନ କରିବାର ଆବଶ୍ୟକତା ଅଛି। ସାହିତ୍ୟକୁ ସାଧାରଣ ଲୋକଙ୍କ ପାଖରେ କେବଳ ଗଣମାଧ୍ୟମ ପହଞ୍ଚାଇପାରିବ। ଗଣମାଧ୍ୟମ ସାହିତ୍ୟର ଯେତିକି ସେବା କରିପାରିବ ତାହା ଅନ୍ୟ କେହି କରିପାରିବେନି। ଏହା କେବଳ କାଗଜ, କାଳିର ମାଧ୍ୟମ ନୁହେଁ। ବିଜ୍ଞାନ ଓ କାରିଗରୀ କୌଶଳକୁ ଆଦର କରିବା ଆବଶ୍ୟକ। ନୂଆ ପିଢ଼ିର ସାହିତ୍ୟିକଙ୍କୁ ପାଠକଙ୍କ ନିକଟରେ ପହଞ୍ଚିବାକୁ ହେଲେ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରିବାକୁ ହେବ। ଅନୁଷ୍ଠାନଗୁଡ଼ିକୁ ଅବକ୍ଷୟରୁ ରକ୍ଷା କରିବା ପାଇଁ ଯୁବ ସାହିତ୍ୟଙ୍କୁ ଏହି ପନ୍ଥା ଆପଣାଇବାକୁ ହେବ। ବିବିଧତା ମଧ୍ୟରେ ଏକତାକୁ ବୁଝିବାର ସାମର୍ଥ୍ୟକୁ ଭାରତୀୟମାନେ ହରାଇ ବସିଛନ୍ତି। ଏହି ଏକତାକୁ ଫେରାଇ ଆଣିବାକୁ ହେଲେ ବହୁଭାଷୀ ସାହିତ୍ୟ, ଭାଷା ହିଁ ପ୍ରମୁଖ ମାଧ୍ୟମ ହେବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

‘କଥା’ର ସମ୍ପାଦକ ଗୌରହରି ଦାସ ସ୍ବାଗତ ଭାଷଣ ଦେଇଥିବାବେଳେ ସମ୍ବାଦର ସହ ମହାପ୍ରବନ୍ଧକ ଆଶିଷ କୁମାର ଗଡ଼ନାୟକ ଧନ୍ୟବାଦ ଦେଇଥିଲେ। କଥାର ସହ ସମ୍ପାଦକ କ୍ଷେତ୍ରବାସୀ ନାଏକ ଅତିଥି ପରିଚୟ ଦେଇଥିଲେ। ଏଥିରେ ଅତିଥିମାନେ ‘କଥା’ର ବାର୍ଷିକ ସଂଖ୍ୟା, ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ଦୁଇଟି ପୁସ୍ତକ ‘ନିର୍ବାଚିତ କଥା’ ଓ ‘ପ୍ରେମ କଥା’ର ଦ୍ବିତୀୟ ପର୍ବକୁ ଲୋକାର୍ପିତ କରିଥିଲେ।

ଏହି ଅବସରରେ କଥାରେ ଗଳ୍ପ ପ୍ରକାଶ ପାଇଥିବା ‌ଶ୍ରେଷ୍ଠ ୧୦ଜଣ ନବ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନେ ହେଲେ ରଶ୍ମି ରଞ୍ଜନ ସାହୁ, ଲିଜାଲିନ୍ ବିଶ୍ବାଳ, ଦେବାନାଂପ୍ରିୟ ପ୍ରିୟଦର୍ଶୀ ସାମଲ, ଡିଲେଶ୍ବର ରଣା, ଆଶିଷ କୁମାର ମିଶ୍ର, ଯୋଗେଶ୍ବର ପଣ୍ଡା, ଜ୍ଞାନରଂଜନ ତ୍ରିପାଠୀ, ଅବକାଶ ପ୍ରଧାନ, ଦୁର୍ଗାଶିଷ ପଟ୍ଟାନାୟକ ଓ ଦେବହୂତି ସାହୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.